Political Buzz Around Naveen’s Changed Approach: ଟିଏମସି ଭଳି ଦଶା ଭୋଗିବ କି ବିଜେଡି ? ନବୀନଙ୍କ ପରିବର୍ତ୍ତିତ ରୂପକୁ ନେଇ ଚର୍ଚ୍ଚା

Jun 11, 2026 - 20:33
Political Buzz Around Naveen’s Changed Approach: ଟିଏମସି ଭଳି ଦଶା ଭୋଗିବ କି ବିଜେଡି ? ନବୀନଙ୍କ ପରିବର୍ତ୍ତିତ ରୂପକୁ ନେଇ ଚର୍ଚ୍ଚା

ପଶିଲା କି TMC ଛନକା ? ଚିନ୍ତା, ଭୟ ଆଉ ଅବିଶ୍ବାସକୁ ନେଇ ନବୀନଙ୍କ ଛାତି ଧଡ଼ ଧଡ଼। ନେତା ଛାଡୁଛନ୍ତି ଦଳ, ଭୁଶୁଡ଼ି ଯାଉଛିି ଦୁର୍ଗ। ପଡୋଶୀ ପଶ୍ଚିମବଙ୍ଗ ଭଳି ସ୍ଥିତି ଉପୁଜିବା ଆଶଙ୍କା କରି ନବୀନ ଆରମ୍ଭ କରିଛନ୍ତି କସରତ। ଘର ସଜାଡ଼ିବା ଓ ସଂଗଠନକୁ ବାନ୍ଧି ରଖିବାକୁ ନବୀନ ଏବେ ନେତାଙ୍କୁ ଶୁଣିବା ଆରମ୍ଭ କରିଛନ୍ତି। ଦିନେ ଯେଉଁ ନେତାଙ୍କୁ ନବୀନ ବାସିରେ ବି ପଚାରୁ ନଥିଲେ କି ନବୀନ ନିବାସ ମଡ଼ାଇ ଦେଉନଥିଲେ, ଆଜି ସେହି ନେତାଙ୍କୁ ଡାକି ପାଖରେ ବସାଇ କଥା ଶୁଣିଛନ୍ତି।

ଗତକାଲି ପ୍ରଥମ ଥର ପାଇଁ ଶଙ୍ଖ ଭବନରେ ପରାଜିତ ନେତାଙ୍କ ସହ ଆଲୋଚନା କରିଛନ୍ତି ନବୀନ। ଦୀର୍ଘ ଅଢେଇ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରି ସଂଗଠନ, ସମନ୍ବୟ ଓ ସୋସିଆଲ ମିଡିଆ ସଂପର୍କରେ ଟିପସ ଦେଇ ପଞ୍ଚାୟତ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏମିତିକି ସେ ନିଜେ ଜିଲ୍ଲା ବୁଲିବାକୁ ବି ପ୍ରତିଶ୍ରୁତି ଦେଇଛନ୍ତି। ଏଠି ପ୍ରଶ୍ନ ହଠାତ୍ ନବୀନ କାହିଁକି ଡାକିଲେ ବୈଠକ ? ପରାଜିତ ନେତାଙ୍କ ଉପରେ ରହିଛି କି ଅବିଶ୍ବାସ ? ତେବେ ଦଳ TMC ଅବସ୍ଥା ଭୋଗିବ ନାହିଁ ବୋଲି ବିଜେଡି ଦମ୍ଭୋକ୍ତି ରଖି ଥିବା ବେଳେ ବିଜେପି କହିଛି ବିଜେଡିର ଅବସ୍ଥା TMC ଭଳି ହୋଇଗଲାଣି। 

ଗୋଟେ ପଟେ ଚାଲିଥିଲା ନବୀନଙ୍କ ବୈଠକ। ଆଉ ଅନ୍ୟପଟେ ବୈଠକରୁ ବାହାରି ପାଣ୍ଡିଆନ୍ ଦଂପତିଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ କିଛି ନେତା। ସତେ ଯେମିତି ସୁଜାତାଙ୍କ ପାଇଁ ଖଞ୍ଜା ଯାଇଥିଲା ପ୍ଲଟ୍। କାରଣ ବୈଠକରେ ସୁଜାତାଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ହୋଇ ନଥିବାବେଳେ ଏକାଧିକ ନେତା ସୁଜାତାଙ୍କ ଏଣ୍ଟ୍ରିକୁ ଚାହିଁ ବସିଛନ୍ତି। ଯାହାକୁ ନେଇ ଦଳ ଏବେ ଦୁଇ ଭାଗ।

ବରିଷ୍ଠ ନେତାଙ୍କ ଯୁକ୍ତି ଯିଏ ବିପର୍ଯ୍ୟୟ ପାଇଁ ଦାୟୀ ସେ କେମିତି ଗ୍ରହଣୀୟ ହେବେ ? ଅନ୍ୟପଟେ ପ୍ରୋ ପାଣ୍ଡିଆନ୍ ଗ୍ରୁପ୍ ର ନେତା କହିଛନ୍ତି ସୁଜାତା ଆସିଲେ ଅସୁବିଧା କଣ ? ଆଉ କିଛି କହିଛନ୍ତି ସେ ନିଷ୍ପତ୍ତି ନବୀନଙ୍କର।

ଅସ୍ଥିରତା ଭିତରେ ବିଜେଡି। ଘର ସଜାଡ଼ିବାକୁ ନବୀନଙ୍କ ପ୍ରୟାସ। କିନ୍ତୁ ନେତୃତ୍ୱ ଉପରୁ ଆସ୍ଥା ହରାଉଥିବା ନେତାଙ୍କୁ କେତେ ପର୍ଯ୍ୟନ୍ତ ବାନ୍ଧି ରଖି ପାରୁଛନ୍ତି ତାଉପରେ ନଜର।..... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।