Police SI Exam to Be Completed by October: ଅକ୍ଟୋବର ସୁଦ୍ଧା ସରିବ ପୋଲିସ୍ SI ପରୀକ୍ଷା, ଆଶାୟୀଙ୍କ ହଙ୍ଗାମା ପରେ OUSSSC ଅଧ୍ୟକ୍ଷଙ୍କ ଘୋଷଣା
ଓଡ଼ିଶା ୟୁନିଫର୍ମଡ ସର୍ଭିସ୍ ଷ୍ଟାଫ ସିଲେକସନ୍ କମିଶନ ବା (OUSSSC) ଅଫିସରେ ନାମଫଳକ ମାରିଲେ। ପ୍ରତିବାଦ ସ୍ବୂରୂପ କଳା ରିବନ ଫିତା କାଟି କାର୍ଯ୍ୟାଳୟର ଉଦଘାଟନ କଲେ। ଭୁବନେଶ୍ବର ୟୁନିଟ-୨ ଅଞ୍ଚଳରେ କିଛି ମାସ ହେବ ଖୋଲିଥିବା OUSSSC ଅଫିସକୁ କିଛି ଏଭଳି ଢଙ୍ଗରେ ପ୍ରତୀକାତ୍ମକ ଉଦଘାଟନ କରି ପ୍ରତିବାଦ କରିଛନ୍ତି ସବ୍ ଇନସପେକ୍ଟର ପଦବୀ ପାଇଁ ଚାକିରି ଆଶାୟୀ।
କାର୍ଯ୍ୟାଳୟ ଆଗରେ ଷ୍ଟୁଡେଣ୍ଟସ ଏଗେନଷ୍ଟ କରପସନ୍ ବ୍ୟାନରରେ ଶତାଧିକ ଆଶାୟୀ ପ୍ରତିବାଦ ବି କଲେ। ୨୦୨୪ ମସିହାରୁ ଏସ୍ଆଇ ପରୀକ୍ଷା ହୋଇପାରିନାହିଁ। ଦୁଇ ବର୍ଷ ପରେ ବି ଆଶାୟୀମାନେ ଚାହିଁ ବସିଛନ୍ତି। ଶେଷରେ ଧୈର୍ଯ୍ୟର ବନ୍ଧ ଭାଙ୍ଗିବା ପରେ ଆଜି OUSSSC ଅଫିସ୍ ଆଗରେ କିଛି ନିଆରା ଅନ୍ଦାଜରେ ବିକ୍ଷୋଭ କରିଛନ୍ତି ଆଶାୟୀ।
ଆଶାୟୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି OUSSSC ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ବାଇଁ ଆଶାୟୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଆଉ ଆଶାୟୀଙ୍କୁ ବଡ଼ ସୂଚନା ଦେଇ କହିଛନ୍ତି ଆସନ୍ତା ଅକ୍ଟୋବର ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ କରାଯିବ।
ସେହିପରି ଯେଉଁମାନେ ୨୦୨୪ରେ ଆବେଦନ କରିଥିଲେ ସେମାନଙ୍କ ବୟସ ଯଦି ଗଡ଼ି ଯାଇଥାଏ ତେବେ ବି ସେମାନଙ୍କୁ ସୁଯୋଗ ମିଳିବ। ଓଡ଼ିଶା ପୋଲିସ୍ ରିକ୍ରୁଟମେଣ୍ଟ ବୋର୍ଡ ବା OPRB ଯେଉଁ ଆଧାରରେ ପରୀକ୍ଷା କରୁଥିଲା ସେହି ଆଧାରରେ ପରୀକ୍ଷା ହେବ ବୋଲି ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଯାହାକୁ ନେଇ ଚାକିରି ଆଶାୟୀ ସାମାନ୍ୟ ଆଶ୍ବସ୍ତି ଯଦିଓ ଅଛନ୍ତି, ତଥାପି ପରୀକ୍ଷା ତାରିଖ ନେଇ ସ୍ପଷ୍ଟତା ଆସିନଥିବାରୁ ପିଲାଙ୍କ ଭିତରେ ଏବେବି ଦ୍ବନ୍ଦ୍ବ ରହିଛି।
୨୦୨୫ ମାର୍ଚ୍ଚ ମାସରେ ପୋଲିସ୍ ଏସ୍ଆଇ ପରୀକ୍ଷା ବାତିଲା ହେବାପରେ ସେହିବର୍ଷ ଅକ୍ଟୋବର 5 ଓ 6 ତାରିଖକୁ ପରୀକ୍ଷା ଧାର୍ଯ୍ୟ କରାଯାଇଥିଲା। ମାତ୍ର ଆନ୍ତଃରାଜ୍ୟ ସିଣ୍ଡିକେଟ ସହ ପରୀକ୍ଷା ପାଇଁ ମୋଟା ଅଙ୍କର ଡିଲ୍ ନେଇ ସରକାରଙ୍କୁ ସୁରାଗ ମିଳିବା ପରେ ଖୋଦ୍ ମୁଖ୍ୟମନ୍ତ୍ରୀ କରିଥିଲେ ହସ୍ତକ୍ଷେପ। ନିର୍ଦ୍ଦେଶ ପାଇ ବ୍ରହ୍ମପୁର ପୋଲିସ ଦୁଇଟି ବସ୍ ରେ ଆନ୍ଧ୍ର ଯାଉଥିବା ତିନି ଦଲାଲ ସହ ୧୧୪ ପରୀକ୍ଷାର୍ଥୀଙ୍କୁ ଗିରଫ କରିଥିଲା।
ଆଉ ଏହିଠୁ ପଦାକୁ ଆସିଥିଲା କିଭଳି ଟଙ୍କା ଦେଇ ଚାକିରି କିଣାବିକା ହେଉଥିଲା। ଏବେ କିନ୍ତୁ ଆଶାୟୀଙ୍କ ପାଇଁ ଓଡ଼ିଶା ପୋଲିସରେ ୭ ହଜାର ୬୬୪ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ଆଉ OPRB ନୁହେଁ OUSSSC କରିବ ପରୀକ୍ଷା। ୯୩୩ SI ପଦବି ପାଈଁ ପୂର୍ବରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଲାଗି ଏବେ ପରୀକ୍ଷା ହେବାକୁ ଯାଉଛି। ତେବେ ଅପେକ୍ଷା ତାରିଖ ଘୋଷଣାକୁ।.....