POK: ପିଓକେ ବିଦ୍ରୋହ ତେଜିଲା: ଭାରତର ସହାୟତା ଲୋଡ଼ିଲେ ପ୍ରଦର୍ଶନକାରୀ
"ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବର୍ତ୍ତମାନ ଏକ ଅଭୂତପୂର୍ବ ଗଣଅସନ୍ତୋଷ ଦେଖିବାକୁ ମିଳିଛି।
ଇସଲାମାବାଦର ଦମନମୂଳକ ନୀତି ବିରୋଧରେ ହଜାର ହଜାର ସ୍ଥାନୀୟ ବାସିନ୍ଦା ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଗତ କିଛି ସପ୍ତାହ ଧରି ଜାରି ରହିଥିବା ଏହି ଆନ୍ଦୋଳନ ଏବେ ଅଧିକ ଉଗ୍ର ରୂପ ଧାରଣ କରିଛି।
ପାକିସ୍ତାନ ପ୍ରଶାସନ ୬୦୦ରୁ ଅଧିକ ସକ୍ରିୟ କର୍ମୀଙ୍କୁ ଗିରଫ କରିବା ସହ "ଜଏଣ୍ଟ ଆୱାମୀ ଆକ୍ସନ କମିଟି" (ଜେଏଏସି)ର ପ୍ରମୁଖ ନେତା ଶୌକତ ନୱାଜ ମୀର୍ଙ୍କୁ ଗୃହବନ୍ଦୀ କରିବା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଜୋର୍ଦାର ବିକ୍ଷୋଭ ଜାରି ରହିଛି।Advertisment ଜେଏଏସି ନେତା ସର୍ଦ୍ଦାର ଅମନ ଖାନଙ୍କ ସମେତ ଅନ୍ୟ ପ୍ରମୁଖ ନେତାମାନଙ୍କର ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେମାନେ ଭାରତ ସରକାରଙ୍କ ନିକଟରେ ସହାୟତା ପାଇଁ ଆକୁଳ ନିବେଦନ କରୁଛନ୍ତି।
ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁଯାୟୀ, ଗତ ଏକ ମାସରୁ ଅଧିକ ସମୟ ଧରି ପାକିସ୍ତାନ ସେମାନଙ୍କ ଉପରେ ଅତ୍ୟାଚାର ଚଳାଇବା ସହ ସେଠାରେ ଖାଦ୍ୟ ଏବଂ ଜୀବନରକ୍ଷାକାରୀ ଔଷଧର ଉତ୍କଟ ସଂକଟ ସୃଷ୍ଟି ହୋଇଛି।
ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ଆନ୍ଦୋଳନକାରୀ ନେତା ଅମନ ଖାନ ପ୍ରଦର୍ଶନକାରୀଙ୍କୁ ନିୟନ୍ତ୍ରଣ ରେଖା (ଏଲ୍ଓସି) ଆଡ଼କୁ ମାର୍ଚ୍ଚ କରିବାକୁ ଆହ୍ୱାନ ଦେଇଛନ୍ତି।
ଆହୁରି ପଢନ୍ତୁ:Hormuz: ହର୍ମୁଜ ପାର୍ କରିଛି ୧୫ ସାର ଜାହାଜ: ଯୁଦ୍ଧରେ ପ୍ରଭାବିତ ହୋଇନି ଯୋଗାଣ କାଶ୍ମୀରକୁ ବିଭାଜନ କରୁଥିବା ଏହି ସୀମା ରେଖାକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଉ ବୋଲି ସେ ଘୋଷଣା କରିଛନ୍ତି।
ସେଠାରେ ଉପସ୍ଥିତ ହଜାର ହଜାର ଜନତା ପାକିସ୍ତାନ ଶାସନରୁ ମୁକ୍ତି ପାଇଁ ସ୍ଲୋଗାନ ଦେଇଥିଲେ।
ପାକିସ୍ତାନକୁ ଚେତାବନୀ ଦେଇ ଖାନ କହିଛନ୍ତି, ଯଦି ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରକୁ ପାକିସ୍ତାନ ଗୁଳି ଚଳାଏ, ତେବେ ଆମେ ତାର କଡ଼ା ଜବାବ ଦେବୁ।
ଏହି ଆନ୍ଦୋଳନ ବର୍ତ୍ତମାନ କେବଳ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟରେ ସୀମିତ ନରହି ସମଗ୍ର ଅଞ୍ଚଳର ଏକତ୍ରୀକରଣ ଦାବିରେ ରୂପାନ୍ତରିତ ହୋଇଛି।
ପ୍ରଦର୍ଶନକାରୀ ନେତାମାନେ ଜମ୍ମୁ, ରାଜୌରୀ, ପୁଞ୍ଚ, ଲଦାଖ ଏବଂ ଗିଲ୍ଗିଟ୍-ବାଲ୍ଟିସ୍ତାନର ସମୁଦାୟକୁ ଏକାଠି ହେବାକୁ ନିବେଦନ କରିଛନ୍ତି।
ପାକିସ୍ତାନ କବଳରୁ ମୁକ୍ତ ହେବା ପାଇଁ ସୀମା ପାର୍ଶ୍ୱରେ ଥିବା ସମସ୍ତ ଗୋଷ୍ଠୀର ଏକତା ଏକାନ୍ତ ଆବଶ୍ୟକ ବୋଲି ସେମାନେ ବାର୍ତ୍ତା ଦେଇଛନ୍ତି।
ପିଓକେ ଜନତା ସମର୍ଥନ ପାଇଁ ଖୋଲାଖୋଲି ଭାବେ ଭାରତକୁ ଆହ୍ୱାନ କରିବା ପାକିସ୍ତାନର ପ୍ରଶାସନିକ ବିଫଳତା ଓ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ବୋଲି କୁହାଯାଉଛି।
"