POK: ପିଓକେରେ ବିଦ୍ରୋହ ଦମନ ପାଇଁ ପାକ୍‌ର ବର୍ବରତା: ହିଂସାରେ ୧୨ ମୃତ, ୪୦୦୦ ସେନା ମୁତୟନ

Jul 15, 2026 - 20:46
POK: ପିଓକେରେ ବିଦ୍ରୋହ ଦମନ ପାଇଁ ପାକ୍‌ର ବର୍ବରତା: ହିଂସାରେ ୧୨ ମୃତ, ୪୦୦୦ ସେନା ମୁତୟନ

"ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି।

ଗତ କିଛି ସପ୍ତାହ ଧରି ଜାରି ରହିଥିବା ଜନଆନ୍ଦୋଳନ ବୁଧବାର ମହାସଂଗ୍ରାମର ରୂପ ନେଇଛି।

ଜଏଣ୍ଟ ଆୱାମୀ ଆକ୍ସନ୍ କମିଟି (ଜେଏଏସି) ପକ୍ଷରୁ ରାୱାଲାକୋଟ୍‌ରୁ ପ୍ରଶାସନିକ କେନ୍ଦ୍ର ମୁଜାଫରାବାଦ ଅଭିମୁଖେ ଆରମ୍ଭ ହୋଇଥିବା ବିଶାଳ "ଲଙ୍ଗ ମାର୍ଚ୍ଚ"କୁ ରୋକିବା ପାଇଁ ପାକିସ୍ତାନୀ ସୁରକ୍ଷା ବାହିନୀ ବର୍ବରତା ଦେଖାଇଛି।

ମଙ୍ଗଳବାର ବିଳମ୍ବିତ ରାତିରେ ସେନା ଓ ଜନସାଧାରଣଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୦ ଜଣ ସାଧାରଣ ନାଗରିକ ଏବଂ ୨ ଜଣ ସୁରକ୍ଷାକର୍ମୀଙ୍କ ସମେତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସରକାର ସମଗ୍ର ଅଞ୍ଚଳରେ ୪,୦୦୦ରୁ ଅଧିକ ପାକିସ୍ତାନୀ ରେଞ୍ଜର୍ସ, ସୀମାନ୍ତ ବାହିନୀ (ଏଫ୍‌ସି) ଏବଂ ପୋଲିସ ମୁତୟନ କରିବା ସହ ରାୱାଲାକୋଟ୍‌ରେ ସମ୍ପୂର୍ଣ୍ଣ ମିଡିଆ ବ୍ଲାକଆଉଟ୍ ଜାରି କରିଛନ୍ତି।Advertisment ପାକିସ୍ତାନୀ ଶାସନତନ୍ତ୍ର ବିରୋଧରେ ଜେଏଏସି ଏକ ୩୮ ଦଫା ସମ୍ବଳିତ ଦାବିପତ୍ର ଉପସ୍ଥାପନ କରିଛି।

ଏଥିରେ ପିଓକେରେ ଶାସକ ଗୋଷ୍ଠୀର ସ୍ୱତନ୍ତ୍ର ସୁବିଧା ସୁଯୋଗ ବନ୍ଦ କରିବା, ବାହାର ଲୋକଙ୍କ ପାଇଁ ସଂରକ୍ଷିତ ବିଧାନସଭା ଆସନ ଉଚ୍ଛେଦ କରିବା, ପ୍ରାକୃତିକ ସମ୍ପଦ ଉପରେ ସ୍ଥାନୀୟ ନିୟନ୍ତ୍ରଣ ରକ୍ଷା କରିବା, ମାଙ୍ଗଲା ଡ୍ୟାମ୍ କ୍ଷତିପୂରଣ ପ୍ରଦାନ ଏବଂ ସର୍ବନିମ୍ନ ମାସିକ ମଜୁରି ୫୦,୦୦୦ ପାକିସ୍ତାନୀ ଟଙ୍କା କରିବା ଭଳି ଦାବି ସାମିଲ ଅଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛି ସପ୍ତାହ ଧରି ପାକିସ୍ତାନ ସରକାର ଏହି ଅଞ୍ଚଳକୁ ଖାଦ୍ୟ ଓ ଔଷଧ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରି ମାନବୀୟ ସଙ୍କଟ ସୃଷ୍ଟି କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆନ୍ଦୋଳନର ପ୍ରମୁଖ ନେତାମାନେ ଭାରତ ସରକାରଙ୍କ ନିକଟରୁ ମାନବୀୟ ସହାୟତା ନିବେଦନ କରିବା ସହ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅଭିମୁଖେ ମାର୍ଚ୍ଚ କରିବା ପାଇଁ ସଂକେତ ଦେଇଛନ୍ତି।

ଆହୁରି ପଢନ୍ତୁ: Cabinet: କେନ୍ଦ୍ର କ୍ୟାବିନେଟ୍‌: ୨.୧୯ ଲକ୍ଷ କୋଟିର ପ୍ରସ୍ତାବ ମଞ୍ଜୁର ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ ଅସୀମ୍ ମୁନିରଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକୁ ଦେଶଦ୍ରୋହ ଏବଂ ହିଂସ୍ର ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଉଛି।

ସେନା ପକ୍ଷରୁ ଜେଏଏସିକୁ ଏକ ପ୍ରତିବନ୍ଧିତ ସଶସ୍ତ୍ର ସଂଗଠନ ଭାବେ ଚିତ୍ରଣ କରାଯାଇଛି।

ସାଧାରଣ ପୋଷାକରେ ଥିବା ସେନା ଅଧିକାରୀମାନେ ନିଜେ ଗୁଳିଚାଳନା କରି ଆନ୍ଦୋଳନକାରୀଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ"ରେ ଜେଏଏସି ସ୍ପଷ୍ଟ କରିଛି।

କମିଟି କହିଛି ଯେ, ଯଦି ସେମାନେ ଅସ୍ତ୍ର ଉଠାଇବାକୁ ଚାହୁଥାନ୍ତେ, ତେବେ ଏତେ ସଂଖ୍ୟାରେ ନିରୀହ ଲୋକଙ୍କ ଶବ ସେମାନଙ୍କୁ ବୋହିବାକୁ ପଡ଼ିନଥାନ୍ତା।

ଆହୁରି ପଢନ୍ତୁ: Assam: ମଣିପୁରରେ ଆସାମ ରାଇଫଲ୍ସ ଶିବିର ଉପରେ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣ ପିଓକେରେ ସୃଷ୍ଟି ହୋଇଥିବା ସାଂଘାତିକ ପରିସ୍ଥିତି ଉପରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି।

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ଏହି ପ୍ରତିବାଦ ହେଉଛି ଭାରତର ଏହି ଅଞ୍ଚଳକୁ ବେଆଇନ ଭାବେ ଦଖଲ କରି ରଖିଥିବା ପାକିସ୍ତାନର ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ବ୍ୟବସ୍ଥାଗତ ଶୋଷଣ ଏବଂ ପ୍ରଶାସନିକ ନିର୍ଯାତନାର ପ୍ରତିଫଳନ।

ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସେନାର ଅତ୍ୟଧିକ ବଳପ୍ରୟୋଗକୁ ନିନ୍ଦା କରିବା ସହ ଇସଲାମାବାଦର ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଏହାକୁ ବିଶ୍ୱ ଦରବାରରେ ଦାୟୀ କରିବାକୁ ଭାରତ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇଛି।

ବର୍ତ୍ତମାନ ପିଓକେର ବିଭିନ୍ନ ସହରରୁ ପ୍ରାୟ ୪୦,୦୦୦ରୁ ଅଧିକ ଆନ୍ଦୋଳନକାରୀ ମୁଜାଫରାବାଦ ଅଭିମୁଖେ ବଢ଼ୁଥିବାରୁ ସେଠାରେ ସେନା ସହ ବଡ଼ ଧରଣର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।