PM Mitra Scheme: ୩୫୦ ଅରବ ଡଲାରର ବୈଶ୍ୱିକ ମହାଶକ୍ତି ହେବ ଭାରତ; ‘ପିଏମ୍ ମିତ୍ର’ ବଦଳାଇବ ଭାରତୀୟ ବସ୍ତ୍ର ଶିଳ୍ପର ଭାଗ୍ୟ !
ନୂଆଦିଲ୍ଲୀ, ୩।୭: ଶତାବ୍ଦୀ ଧରି ଭାରତର ସାଂସ୍କୃତିକ ପରିଚୟ ବସ୍ତ୍ର ଶିଳ୍ପର ତାଣି-ବାଣି ସହ ଜଡ଼ିତ ରହିଆସିଛି । କାଶ୍ମୀରର ପଶ୍ମିନା, ଆସାମର ମୁଙ୍ଗା ସିଲ୍କ, ତାମିଲନାଡ଼ୁର କାଞ୍ଜିଭରମ୍, ଚାନ୍ଦେରୀର ପାରମ୍ପରିକ ବୁଣାକାରୀ ଏବଂ ସୁରଟର ବସ୍ତ୍ର କୌଶଳ ଆମ ସମୃଦ୍ଧ ଐତିହ୍ୟର ଜୀବନ୍ତ ପ୍ରତୀକ । ଆଜି ବି ଦେଶର ଜିଡିପିରେ ୨.୩%, ଶିଳ୍ପ ଉତ୍ପାଦନରେ ୧୩% ଏବଂ ରପ୍ତାନିରେ ୧୨% ଯୋଗଦାନ ଦେଇ ଏହି କ୍ଷେତ୍ର ଅର୍ଥନୀତିର ଏକ ଶକ୍ତ ସ୍ତମ୍ଭ ସାଜିଛି । ଏହାଦ୍ୱାରା ଦେଶର ୪.୫ କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ଓ ୧୦ କୋଟିରୁ ଅଧିକ ଲୋକଙ୍କୁ ପରୋକ୍ଷ ଜୀବିକା ମିଳୁଛି । ସୂତା କଟା, ବୁଣାକାରୀ, ପ୍ରସେସିଂ ଏବଂ ଗାର୍ମେଣ୍ଟ ପ୍ରସ୍ତୁତି ଭଳି କାର୍ଯ୍ୟ ଭିନ୍ନ ଭିନ୍ନ ରାଜ୍ୟରେ ହେଉଥିବାରୁ ଗୋଟିଏ ପୋଷାକ ତିଆରି ହେବା ପାଇଁ ଅନେକ ରାଜ୍ୟର ସୀମା ପାର୍ ହେବାକୁ ପଡ଼ୁଥିଲା । ଏହାଦ୍ୱାରା ଉତ୍ପାଦନ ଖର୍ଚ୍ଚ ବଢ଼ିବା ସହ ବିଶ୍ୱ ବଜାରକୁ ସଠିକ୍ ସମୟରେ ମାଲ୍ ପଠାଇବାରେ ବାଧା ସୃଷ୍ଟି ହେଉଥିଲା । ଏହା ସହିତ ଏହି ଶିଳ୍ପ ବୈଶ୍ୱିକ ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନରେ ୮ ରୁ ୧୦% ଏବଂ ଜଳ ପ୍ରଦୂଷଣରେ ୨୦% ଭାଗୀଦାର ରହିଛି, ଯାହାର ପରିଚାଳନା ଏକ ଜଟିଳ ସମସ୍ୟା ଥିଲା ।