Pilgrimage story: ତୀର୍ଥକଥା: ତୀର୍ଥଗାଥା, ଓଁକାରେଶ୍ବର ଜ୍ୟୋତିର୍ଲିଙ୍ଗ
"ମଧ୍ୟପ୍ରଦେଶର ଖଣ୍ଡବା ଜିଲାରେ ନର୍ମଦା ନଦୀ ମଧ୍ୟରେ ମାନ୍ଧାତା ବା ଶିବପୁରୀ ନାମରେ ଏକ ଦ୍ବୀପ ରହିଛି।
ଏହି ଦ୍ବୀପର ଆକାର ସୃଷ୍ଟିକର୍ତ୍ତାଙ୍କର ଆଦିଧ୍ବନି ଓଁକାର ସଦୃଶ।
କୁହାଯାଏ, ଏହା ଓଁକାରର ଭୌତିକ ଆକାର।
ପ୍ରାଚୀନ କାଳରେ ଏହା ଭୀଲ ଜନଜାତିମାନଙ୍କର ବାସସ୍ଥାନ ଥିଲା।
ଏହି ଦ୍ବୀପରେ ଭଗବାନ ଶିବ ଓଁକାରେଶ୍ବର ଜ୍ୟୋତିର୍ଲିଙ୍ଗ ଭାବରେ ବିଦ୍ୟମାନ।Advertisment ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖ ନିଃସୃତ ପ୍ରଥମ ଧ୍ବନି ହେଉଛି ଓଁ।
ଏହି ଧ୍ବନି ବ୍ୟତୀତ ବେଦପାଠ ସମ୍ଭବ ହୁଏ ନାହିଁ।
ଓଁ-କାରର ଭୌତିକ ଆକାର ଓଁକାର ଦ୍ବୀପ ଏବଂ ଏଠାରେ ବିରାଜିତ ରହିଛନ୍ତି ସ୍ବୟଂଭୂ ଜ୍ୟୋତିର୍ଲିଙ୍ଗ।
କାରଣ ଏହା କୌଣସି ମନୁଷ୍ୟ ଦ୍ବାରା ସୃଷ୍ଟ ନୁହେଁ।
କଥିତ ଅଛି, ନର୍ମଦା ନଦୀସ୍ଥିତ ଏହି ଦ୍ବୀପ ପର୍ବତ ଉପରେ ମହାରାଜା ମାନ୍ଧାତା ଘୋର ତପସ୍ୟା କରି ଶିବଙ୍କୁ ପ୍ରସନ୍ନ କରିଥିଲେ।
ଶିବ ପ୍ରସନ୍ନ ହେଲେ।
ତାହା ପରେ ବରଦାନ ସ୍ବରୂପ ମାନ୍ଧାତା ଏଠାରେ ଶିବଙ୍କୁ ନିତ୍ୟ ବାସ କରିବା ନିମିତ୍ତ ନିବେଦନ କରିଥିଲେ।
ସେବେଠାରୁ ଏହି ଦ୍ବୀପ ମାନ୍ଧାତା ନଗରୀର ମାନ୍ୟତା ଲାଭ କରିଛି।
ତ୍ରେତୟା ଯୁଗରେ ଶିବଭକ୍ତ କୁବେର ଏଠାରେ ତପସ୍ୟା କରି ଧନାଧୀପ ହେବାର ସୌଭାଗ୍ୟ ଲାଭ କରିଥିଲେ।
ଭକ୍ତ କୁବେରଙ୍କର ସ୍ନାନ ପାଇଁ ମହାଦେବ ନିଜର ଜଟାରୁ ଏକ ନଦୀ ସୃଷ୍ଟି କରିଥିଲେ।
ସେହି ନଦୀର ନାମ କାବେରୀ।
ଏହା କୁବେର ମନ୍ଦିରରୁ ବାହାରି, ଓଁକାର ପର୍ବତ ପରିକ୍ରମା କରି, ନର୍ମଦାରେ ମିଳିତ ହୋଇଛି।
ଏହାର ସଂଗମ ସ୍ଥାନରେ ଋଣ ମୁକ୍ତେଶ୍ବର ମନ୍ଦିର ଅବସ୍ଥିତ।
ଏହା ବ୍ୟତୀତ ପରିକ୍ରମା ମାର୍ଗରେ ଗୌରୀ ସୋମନାଥ ମନ୍ଦିର ଓ ଶିବନାଥ ମନ୍ଦିର ରହିଛି।
ଓଁକାରେଶ୍ବର ଶିବଲିଙ୍ଗ ମନ୍ଦିର ନିକଟରେ ମାମଲେଶ୍ବର ଶିବଙ୍କ ମନ୍ଦିର ରହିଛି।
କଥିତ ଅଛି, ପବିତ୍ର ନର୍ମଦା ନଦୀରେ ସ୍ନାନ କରି ଓଁକାରେଶ୍ବରଙ୍କ ଦର୍ଶନ ସହିତ ମାମଲେଶ୍ବରଙ୍କୁ ଦର୍ଶନ କଲେ ମନୁଷ୍ୟର ସମସ୍ତ ପାପ ନଷ୍ଟ ହୁଏ।
ଏହା ବ୍ୟତୀତ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କାଳରେ ଓଁକାରେଶ୍ବରଙ୍କୁ ଦର୍ଶନ ନ କଲେ ଦର୍ଶନ ପୂର୍ଣ୍ଣ ହୁଏ ନାହିଁ।
ମାନ୍ୟତା ଅନୁସାରେ, ରାତ୍ରିକାଳରେ ସ୍ବୟଂ ଶିବ ଓ ପାର୍ବତୀ ଏହି ଦ୍ବୀପକୁ ଆସି ଏଠାରେ ଆମୋଦ ପ୍ରମୋଦ କରି ପଶା ଖେଳନ୍ତି ଏବଂ ରାତ୍ରିରେ ଶୟନ କରନ୍ତି।
ଏଠାରେ ୬୮ଟି ତୀର୍ଥ ସହିତ ୩୩ କୋଟି ଦେବତା ନିଜ ପରିବାର ସହିତ ବାସ କରନ୍ତି।
ଦୁଇ ଶିବଲିଙ୍ଗ ସହିତ ଅନ୍ୟ ୧୦୮ଟି ପ୍ରଭାବଶାଳୀ ଶିବଲିଙ୍ଗ ରହିଛି। େତଣୁ ଶିବରାତ୍ରି ସହିତ ଶ୍ରାବଣ ସୋମବାରମାନଙ୍କରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ।
ନର୍ମଦା କୂଳରେ ବିଷ୍ଣୁପୁରୀ ନାମକ ଏକ ବସ୍ତି ନିକଟରେ ଏକ ଘାଟ ରହିଛି।
ଏହି ଘାଟରୁ ନୌକାରେ ନଦୀ ପାର ହୋଇ ଯାତ୍ରୀମାନେ ଓଁକାରେଶ୍ବର ଦ୍ବୀପରେ ପହଞ୍ଚିଥାନ୍ତି।
ସେଠାରେ ମଧ୍ୟ ଚକ୍ରତୀର୍ଥ ନାମକ ଘାଟ ଅଛି।
ଯାତ୍ରୀମାନେ ସେଠାରେ ସ୍ନାନ କରି, ପାହାଚ ଚଢ଼ି ଓଁକାରେଶ୍ବରଙ୍କୁ ଦର୍ଶନ କରନ୍ତି।
ମନ୍ଦିରର ପ୍ରବେଶ ପଥରେ ପଞ୍ଚମୁଖୀ ଗଣେଶଙ୍କର ମନ୍ଦିର ରହିଛି।
ଗର୍ଭଗୃହ ମଧ୍ୟରେ ଓଁକାରେଶ୍ବର ଜ୍ୟୋତିର୍ଲିଙ୍ଗ ବିଦ୍ୟମାନ।
ଏହି ଲିଙ୍ଗଙ୍କର ଅର୍ଦ୍ଧାଂଶ ଜଳ ମଧ୍ୟରେ ବୁଡ଼ି ରହିଛି।
ନିକଟରେ ପାର୍ବତୀଙ୍କର ମୂର୍ତ୍ତି ରହିଛି।
ଦ୍ବିତୀୟ ମହଲାରେ ମହାକାଳେଶ୍ବର, ତୃତୀୟ ମହଲାରେ ସିଦ୍ଧନାଥ, ଚତୁର୍ଥ ମହଲାରେ ମୁକ୍ତେଶ୍ବର ଓ ପଞ୍ଚମ ମହଲାରେ ଧ୍ବଜେଶ୍ବର ମହାଦେବ ବିରାଜମାନ।
ଏହି ଲିଙ୍ଗ ସହିତ ବିଭିନ୍ନ ନଦୀର ମୂର୍ତ୍ତି ରହିଛି।
ଏହି ମନ୍ଦିର ଦର୍ଶନ ଫଳରେ ସମସ୍ତ ଶିବଲିଙ୍ଗଙ୍କ ଦର୍ଶନର ଫଳ ପ୍ରାପ୍ତି ହୋଇଥାଏ।ଓଁକାେରଶ୍ବର ଦର୍ଶନ ପ୍ରାୟ ତିନିଦିନ ହୋଇଥାଏ।
କାରଣ ଏଠାରେ ଥିବା ସହସ୍ର ଶିବଲିଙ୍ଗ ଦର୍ଶନ ଓ ପରିକ୍ରମା ଗୋଟିଏ ଦିନରେ ସମ୍ଭବ ହୁଏ ନାହିଁ।
ଇତିହାସର ବର୍ଣ୍ଣନା ଅନୁସାରେ, ଅହଲ୍ୟାବାଇ ହୋଲ୍କର ଏଠାରେ ପ୍ରତ୍ୟହ ଅଠର ସହସ୍ର ମୃତ୍ତିକା ଶିବଲିଙ୍ଗ ନିର୍ମାଣ କରି ତାହାକୁ ନର୍ମଦାରେ ବିସର୍ଜନ କରାଉଥିଲେ।
ଏହି ମନ୍ଦିରର ଜୀର୍ଣ୍ଣୋଦ୍ଧାର ମଧ୍ୟ କରିଥିଲେ।
କଥିତ ଅଛି ଏଠାରେ ଆଦି ଶଙ୍କରାଚାର୍ଯ୍ୟ ତାଙ୍କ ଗୁରୁ ଗୋବିନ୍ଦ ଭଗବତ୍ପାଦଙ୍କୁ ଏଠାରେ ଦର୍ଶନ କରିଥିଲେ।
ମନ୍ଦିର ତଳେ ଏକ ଗୁମ୍ଫାରେ ଆଦି ଶଙ୍କରାଚାର୍ଯ୍ୟଙ୍କର ଏକ ମୂର୍ତ୍ତି ରହିଛି।–ଡକ୍ଟର ତୁଳସୀ ଓଝା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।