Passenger Ferry Catches Fire: ସମୁଦ୍ର ମଝିରେ ଯାତ୍ରୀବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୪୧ ନିଖୋଜ

Aug 02, 2026 - 16:11
Passenger Ferry Catches Fire: ସମୁଦ୍ର ମଝିରେ ଯାତ୍ରୀବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୪୧ ନିଖୋଜ

ଇଣ୍ଡୋନେସିଆରେ ସମୁଦ୍ର ମଝିରେ ଏକ ଯାତ୍ରୀବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ସଂସ୍ଥାର ସୂଚନା ଅନୁଯାୟୀ, ଜାହାଜରେ ମୋଟ ୨୭୧ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ୨୨୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ଜାହାଜଟି ପୂର୍ବ ଜାଭାର ସୁରାବାୟା ସହରରୁ ଦକ୍ଷିଣ ସୁଲାୱେସିର ମାକାସାର ଅଭିମୁଖେ ଯାଉଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଜାହାଜର କ୍ୟାପ୍ଟେନ ଘଟଣା ସମ୍ପର୍କରେ ଜାତୀୟ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଏଜେନ୍ସି (Basarnas)କୁ ସୂଚନା ଦେଇଥିଲେ।

ସୁରାବାୟା ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅଫିସର ମୁଖ୍ୟ ନାନାଙ୍ଗ ସିଗିତ କହିଛନ୍ତି ଯେ, ଘଟଣାସ୍ଥଳ ନିକଟରେ ଥିବା ଅନେକ ଜାହାଜ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

ସେ କହିଛନ୍ତି, TB Hasnur 26 ଏବଂ British Mentor ନାମକ ଜାହାଜ ସମୁଦ୍ରକୁ ଡେଇଁପଡ଼ିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ଚାରିଟି ଜାହାଜ ସେଠାରେ ରହି ଉଦ୍ଧାର କାର୍ଯ୍ୟ ଚଳାଇଛି।

ସେ ଆହୁରି କହିଛନ୍ତି ଯେ, SAR 249 Permadi ନାମକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଜାହାଜ ମଧ୍ୟ ଘଟଣାସ୍ଥଳକୁ ଯାଉଛି। ତେବେ ସେଠାରେ ପହଞ୍ଚିବାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିବ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଭିଡିଓରେ ଜାହାଜର ଉପର ଡେକ୍‌ରୁ ଘନ କଳା ଧୂଆଁ ବାହାରୁଥିବା ଏବଂ ନିଆଁ ଦ୍ରୁତ ଗତିରେ ବ୍ୟାପୁଥିବା ଦେଖିବାକୁ ମିଳିଛି। ଅନେକ ଯାତ୍ରୀ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ଜାହାଜର ଏକ ପାର୍ଶ୍ୱରେ ଠିଆ ହୋଇଥିବା ମଧ୍ୟ ଭିଡିଓରେ ଦେଖାଯାଇଛି। ତେବେ ଏହି ଭିଡିଓଗୁଡ଼ିକର ସତ୍ୟତାକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।