Parent Teacher Meeting Tips : ଅଭିଭାବକ ସାବଧାନ! PTMରେ କରନ୍ତୁ ନାହିଁ ଏହି ୭ ଭୁଲ; ନଷ୍ଟ ହୋଇପାରେ ପିଲାର ଭବିଷ୍ୟତ
ସ୍କୁଲରେ ହେଉଥିବା ପ୍ୟାରେଣ୍ଟ-ଟିଚର ମିଟିଂ (PTM) କେବଳ ରିପୋର୍ଟ କାର୍ଡ ଦେଖିବା କିମ୍ବା ନମ୍ବର ଜାଣିବାର ଏକ ସୁଯୋଗ ନୁହେଁ। ଏହା ହେଉଛି ଏମିତି ଏକ ମଞ୍ଚ, ଯେଉଁଠାରେ ଅଭିଭାବକ ଓ ଶିକ୍ଷକ ମିଶି ପିଲାର ପାଠପଢ଼ା, ବ୍ୟବହାର ଓ ଭବିଷ୍ୟତକୁ ନେଇ ଆଲୋଚନା କରନ୍ତି।
କିନ୍ତୁ ଅନେକ ସମୟରେ ଅଭିଭାବକଙ୍କ କିଛି ଛୋଟ ଭୁଲ ଯୋଗୁଁ PTMର ମୂଳ ଉଦ୍ଦେଶ୍ୟ ବାଧାପ୍ରାପ୍ତ ହୋଇଥାଏ। କେତେକ କଥା ପିଲାଙ୍କ ମନୋବଳ କମାଇ ଦେଇପାରେ, ଆଉ କେତେକ କଥା ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଦୂରତା ବଢ଼ାଇପାରେ। ତେଣୁ PTMକୁ ଅଧିକ ଫଳପ୍ରଦ କରିବା ପାଇଁ ଏହି ୭ଟି କଥାରୁ ଦୂରେଇ ରୁହନ୍ତୁ।
୧. ସମସ୍ତଙ୍କ ସାମ୍ନାରେ ପିଲାର ଅଭିଯୋଗ କରନ୍ତୁ ନାହିଁ:
PTMରେ ପିଲାକୁ ଡାକି ଗାଳି କରିବା, ଲଜ୍ଜିତ କରିବା କିମ୍ବା ତା’ର ଦୁର୍ବଳତାକୁ ସମସ୍ତଙ୍କ ସାମ୍ନାରେ କହିବା ଠିକ୍ ନୁହେଁ। “ତୁମେ କେବେ ପଢ଼ ନାହିଁ” କିମ୍ବା “ତୁମେ ସବୁବେଳେ ଭୁଲ କରୁଛ” ଭଳି କଥା ପିଲାର ଆତ୍ମବିଶ୍ୱାସକୁ ଆଘାତ ଦେଇପାରେ। ତା’ର ଦୁର୍ବଳତା ଉପରେ ଶାନ୍ତ ଭାବେ ଆଲୋଚନା କରି ସମାଧାନ ଖୋଜିବା ଉଚିତ।
୨. କେବଳ ନିଜ କଥା କହି ଚାଲନ୍ତୁ ନାହିଁ:
କିଛି ଅଭିଭାବକ PTMରେ କେବଳ ନିଜର ମତ ରଖନ୍ତି ଏବଂ ଶିକ୍ଷକଙ୍କ କଥା ଶୁଣିବାକୁ ସମୟ ଦିଅନ୍ତି ନାହିଁ। ମନେ ରଖନ୍ତୁ, ଶିକ୍ଷକ ପ୍ରତିଦିନ ପିଲାଙ୍କ ସହ ସମୟ ବିତାନ୍ତି। ତେଣୁ ତାଙ୍କ ଅନୁଭବ ଓ ପରାମର୍ଶ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।
୩. ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ:
“ଦେଖ, ପିଣ୍ଟୁ କେତେ ଭଲ ପଢ଼ୁଛି” ଭଳି କଥା ପିଲାର ମନକୁ ଆଘାତ କରିପାରେ। ପ୍ରତ୍ୟେକ ପିଲାର ଶିଖିବାର କ୍ଷମତା ଓ ବଢିବା ଅଲଗା ହୋଇଥାଏ। ତେଣୁ ଅନ୍ୟଙ୍କ ସହ ତୁଳନା ନକରି ପିଲାର ନିଜସ୍ୱ ଉନ୍ନତି ଉପରେ ଧ୍ୟାନ ଦିଅନ୍ତୁ।
୪. ଶିକ୍ଷକଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ:
କୌଣସି କଥାରେ ଅସନ୍ତୋଷ ଥିଲେ ମଧ୍ୟ ତାହାକୁ ଶାନ୍ତ ଭାବେ ରଖନ୍ତୁ। ରାଗରେ ତର୍କ କିମ୍ବା ବିବାଦ କରିବା ଦ୍ୱାରା ସମସ୍ୟାର ସମାଧାନ ହୁଏ ନାହିଁ। ବରଂ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଥିବା ବିଶ୍ୱାସ କମିଯାଇପାରେ।
୫. ଶିକ୍ଷକଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ:
ଯଦି ଶିକ୍ଷକ ପିଲାର ପାଠପଢ଼ା, ଆଚରଣ କିମ୍ବା କୌଣସି ଅଭ୍ୟାସ ନେଇ ଚିନ୍ତା ପ୍ରକାଶ କରୁଛନ୍ତି, ତେବେ ଏହାକୁ ଗୁରୁତ୍ୱ ଦିଅନ୍ତୁ। ଏଥିପ୍ରତି ଧ୍ୟାନ ଦେଲେ ଅନେକ ସମସ୍ୟା ସହଜରେ ସମାଧାନ ହୋଇପାରେ।
୬. କେବଳ ଅଭିଯୋଗ ନେଇ PTMକୁ ଯାଆନ୍ତୁ ନାହିଁ:
PTM କେବଳ ସ୍କୁଲର ଅଭାବ କିମ୍ବା ଅଭିଯୋଗ କହିବା ପାଇଁ ନୁହେଁ। ଯଦି କୌଣସି ସମସ୍ୟା ଅଛି ତେବେ ନିଶ୍ଚିତ ଭାବେ ଆଲୋଚନା କରନ୍ତୁ, କିନ୍ତୁ ଏହା ସହିତ ପିଲାର ଭଲ ଦିଗ ଓ ସ୍କୁଲର ସକାରାତ୍ମକ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରନ୍ତୁ।
୭. ପିଲାକୁ ଅଣଦେଖା କରନ୍ତୁ ନାହିଁ:
ଯଦି ପିଲା PTMରେ ଉପସ୍ଥିତ ଅଛି, ତେବେ ତା’ର ମତାମତକୁ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। କେବଳ ନମ୍ବର କିମ୍ବା ରେଜଲ୍ଟ ନେଇ ଆଲୋଚନା ନକରି ତା’କୁ ପଚାରନ୍ତୁ ଯେ ପଢ଼ାରେ କେଉଁ ସମସ୍ୟା ହେଉଛି କିମ୍ବା ସେ କ’ଣ ଭାବୁଛି। ଏହା ପିଲାର ଆତ୍ମବିଶ୍ୱାସ ବଢ଼ାଇବା ସହ ନିଜ ପାଠପଢ଼ାର ଦାୟିତ୍ୱ ବୁଝିବାରେ ସହାୟକ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।