Welcome!

Unlock your personalized experience.
Sign Up

Panchayat: ଏଣିକି ପଞ୍ଚାୟତ ହେବେ ମାଲାମାଲ୍‌: କେନ୍ଦ୍ରରୁ ମିଳିବ ୧୮୭୧୫ କୋଟି, ରାଜ୍ୟ ଦେବ ୧୦୧୫୦ କୋଟି

Jun 10, 2026 - 05:10
Panchayat: ଏଣିକି ପଞ୍ଚାୟତ ହେବେ ମାଲାମାଲ୍‌: କେନ୍ଦ୍ରରୁ ମିଳିବ ୧୮୭୧୫ କୋଟି, ରାଜ୍ୟ ଦେବ ୧୦୧୫୦ କୋଟି

ଭୁବନେଶ୍ବର: ଷୋଡ଼ଶ ଅର୍ଥ କମିସନ ସୁପାରିସ ଅନୁଯାୟୀ ରାଜ୍ୟର ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଆସନ୍ତା ୫ ବର୍ଷରେ ୧୮୭୧୫ କୋଟି ଟଙ୍କା ମିଳିବ। ୨୦୨୬-୨୭ ଆର୍ଥିକବର୍ଷରୁ ୨୦୩୦-୩୧ ଆର୍ଥିକବର୍ଷ ମଧ୍ୟରେ ଏହି ରାଶି ଦିଆଯିବ। ପଞ୍ଚଦଶ ଅର୍ଥ କମିସନ ସୁପାରିସ ଅନୁସାରେ ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଗତ ୫ ବର୍ଷରେ ୮୮୦୦ କୋଟି ଏବଂ ୨୦୨୦-୨୧ ପାଇଁ ୨୨୫୮ କୋଟି ଟଙ୍କା ମିଳିଥିଲା। ଅର୍ଥାତ୍‌ ଗତ ୬ ବର୍ଷରେ ପଞ୍ଚଦଶ ଅର୍ଥ କମିସନ ସୁପାରିସରୁ ମୋଟ ୧୧୦୫୮ କୋଟି ରାଜ୍ୟର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ମିଳିଥିଲା।  

Cricket: ପାକିସ୍ତାନର ଗଦ୍ଦାଫି ଷ୍ଟାଡିୟମ୍‌କୁ ‘ଡିମେରିଟ୍‌ ପଏଣ୍ଟ’

ଷୋଡ଼ଶ ଅର୍ଥ କମିସନ ସୁପାରିସରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ବହୁ ଅଧିକ ରାଶି ପାଇବେ। ଗତ ୫ ବର୍ଷ ତୁଳନାରେ ପାଖାପାଖି ୧୦ ହଜାର କୋଟି ଟଙ୍କା ଅଧିକ ମିଳିବ। ଅର୍ଥାତ୍‌ ବର୍ଷକୁ ପ୍ରାୟ ୨ ହଜାର କୋଟି ଟଙ୍କା ଅଧିକ ଆସିବ। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦଗୁଡ଼ିକୁ ଏହି ଅର୍ଥ ପ୍ରଦାନ କରାଯିବ। ମୋଟ ୧୮୭୧୫ କୋଟି ଟଙ୍କା ମଧ୍ୟରୁ ୮୦ ପ୍ରତିଶତ ବା ୧୪,୯୭୩ କୋଟି ଟଙ୍କା ମୌଳିକ ଅନୁଦାନ ଭାବେ ଏବଂ ୨୦ ପ୍ରତିଶତ ବା ୩୭୪୨ କୋଟି ଟଙ୍କା ପ୍ରଦର୍ଶନ ଆଧାରରେ ଦିଆଯିବ। ୧୪,୯୭୩ କୋଟି ମୌଳିକ ଅନୁଦାନରୁ ୫୦ ପ୍ରତିଶତ (୭୪୮୬.୫୦ କୋଟି) ହେଉଛି ଅନୁବନ୍ଧିତ ଅନୁଦାନ। ଏହାକୁ ପରିମଳ ଏବଂ କଠିନ ବର୍ଜ୍ୟ ପରିଚାଳନା ଆଦିରେ ବ୍ୟୟ କରାଯିବ। ମୌଳିକ ଅନୁଦାନର ଅବଶିଷ୍ଟ ୫୦ ପ୍ରତିଶତ (୭୪୮୬.୫୦ କୋଟି) ଜଳ ପରିଚାଳନାରେ ଖର୍ଚ୍ଚ ହେବ। ମୋଟ ଅନୁଦାନର ୧୦ ପ୍ରତିଶତ ବା ୧୮୭୧ କୋଟି ଟଙ୍କା ପଞ୍ଚାୟତଗୁଡ଼ିକର ପ୍ରଦର୍ଶନ ଆଧାରରେ ଦିଆଯିବ। ଅବଶିଷ୍ଟ ୧୦ ପ୍ରତିଶତ ବା ୧୮୭୧ କୋଟି ଟଙ୍କା ରାଜ୍ୟ ପ୍ରଦର୍ଶନ ଅନୁଦାନ ଆକାରରେ ମିଳିବ। ପଞ୍ଚାୟତଗୁଡ଼ିକୁ ଅର୍ଥ ଆୟୋଗ ପକ୍ଷରୁ ଏବେଠାରୁ ୨୦୩୦-୩୧ ପର୍ଯ୍ୟନ୍ତ ଯେଉଁ ୧୮୭୧୫ କୋଟି ଟଙ୍କା ଦିଆଯିବ ତାହା ପ୍ରତିବର୍ଷ ସମାନ ରହିବ ନାହିଁ। ୨୦୨୬-୨୭ରେ ମୌଳିକ ଅନୁଦାନ ବାବଦରେ ୨୪୦୪ କୋଟି ଟଙ୍କା ମିଳିବ। ଚଳିତବର୍ଷ ପ୍ରଦର୍ଶନ ଆଧାରରେ କିଛି ମିଳିବ ନାହିଁ। ୨୦୨୭-୨୮ରେ ମୌଳିକ ଅନୁଦାନ ବାବଦରେ ୨୬୬୯ କୋଟି ଏବଂ ପ୍ରଦର୍ଶନ ପାଇଁ ୩୯୭ କୋଟି ମିଳିବ। ସେହିଭଳି ୨୦୨୮-୨୯ରେ ମୌଳିକ ଅନୁଦାନ ବାବଦରେ ୨୯୬୨ କୋଟି ଏବଂ ପ୍ରଦର୍ଶନ ପାଇଁ ୧୦୦୧ କୋଟି, ୨୦୨୯-୩୦ରେ ମୌଳିକ ଅନୁଦାନ ବାବଦରେ ୩୨୮୮ କୋଟି ଏବଂ ପ୍ରଦର୍ଶନ ପାଇଁ ୧୧୧୧ କୋଟି ଦେବାର ବ୍ୟବସ୍ଥା ହୋଇଛି। ୨୦୩୦-୩୧ ପାଇଁ ମୌଳିକ ଅନୁଦାନ ବାବଦରେ ୩୬୫୦ କୋଟି ଏବଂ ପ୍ରଦର୍ଶନ ପାଇଁ ୧୨୩୩ କୋଟି ଟଙ୍କା ଦିଆଯିବ।  

କେନ୍ଦ୍ରରୁ ମିଳିବ ୧୮୭୧୫ କୋଟି
ରାଜ୍ୟ ଦେବ ୧୦୧୫୦ କୋଟି
୬୦:୩୦:୧୦ ଅନୁପାତରେ ମିଳିବ

ପଞ୍ଚାୟତଗୁଡ଼ିକ ପାଇଁ ପ୍ରଦର୍ଶନ ଆଧାରିତ ପାଣ୍ଠି ପାଇବା ନେଇ କଠୋର ସର୍ତ୍ତ ରଖାଯାଇଛି। ଚଳିତ ଆର୍ଥିକବର୍ଷରୁ ଗ୍ରାମପଞ୍ଚାୟତଗୁଡ଼ିକୁ ନିଜସ୍ବ ଉତ୍ସ ରାଜସ୍ବ (ଓଏସ୍‌ଆର୍‌) ବଢ଼ାଇବାକୁ ହେବ। ସର୍ବନିମ୍ନ ରାଜସ୍ବ ପରିବାର ପିଛା ବାର୍ଷିକ ୧୨୦୦ ଟଙ୍କା କରିବାକୁ କୁହାଯାଇଛି। ଏଥିସହିତ କେନ୍ଦ୍ର ସରକାରଙ୍କ ଠାରୁ ଅନୁଦାନ ମିଳିବାର ୧୦ ଦିନ ମଧ୍ୟରେ ରାଜ୍ୟ ସରକାର ତାହାକୁ ୧୦ଟି କାର୍ଯ୍ୟ ଦିବସ ମଧ୍ୟରେ ହସ୍ତାନ୍ତର କରିବେ। ୧୦ ଦିନରୁ ଅଧିକ ବିଳମ୍ବ ହେଲେ ଏଥିପାଇଁ ବଜାର ଦରରେ ସୁଧ ଦେବାକୁ ପଡ଼ିବ। ଅଣଅନୁବନ୍ଧିତ ଅନୁଦାନରୁ ଯେଉଁ ଖର୍ଚ୍ଚ ହେବ ସେଥିରୁ ରାସ୍ତା ଖର୍ଚ୍ଚ ୨୦ ପ୍ରତିଶତ ଭିତରେ ସୀମିତ ରହିବ। ଅଣଅନୁବନ୍ଧିତ ପାଣ୍ଠିକୁ ବେତନ କିମ୍ବା କାର୍ଯ୍ୟାଳୟର ଅନ୍ୟ କୌଣସି ବାବଦରେ ଖର୍ଚ୍ଚ କରାଯାଇ ପାରିବ ନାହିଁ ବୋଲି କମିସନ ସୁପାରିସ କରିଛନ୍ତି। ଏହାବ୍ୟତୀତ ଲୋକାଲ ଫଣ୍ଡ୍‌ ଅଡିଟ୍‌ ବିଭାଗଗୁଡ଼ିକୁ ରାଜ୍ୟ ସରକାର ମଜଭୁତ କରିବା ଆବଶ୍ୟକ। କର୍ମଚାରୀ ଅଭାବ ପୂରଣ ସହିତ ସେମାନଙ୍କ ଦକ୍ଷତା ବଢ଼ାଇବା ଆବଶ୍ୟକ। ପଞ୍ଚାୟତଗୁଡ଼ିକୁ ଅର୍ଥ ସ୍ଥାନାନ୍ତର ସଂକ୍ରାନ୍ତ ରିପୋର୍ଟରେ ଉନ୍ନତି ଆଣିବାକୁ ହେବ ବୋଲି ଷୋଡ଼ଶ ଅର୍ଥ କମିସନ ରିପୋର୍ଟରେ କୁହାଯାଇଛି। ‌

Accident: ମହେନ୍ଦ୍ରଗିରି ମେଳା: ୩ଦିନରେ ତିନି ଶ୍ରଦ୍ଧାଳୁ ମୃତ, ୫୦ରୁ ଊର୍ଦ୍ଧ୍ବ ଆହତ

ସେହିଭଳି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଓଡ଼ିଶାର ଷଷ୍ଠ ଅର୍ଥ କମିସନ ସୁପାରିସ ଅନୁସାରେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ ୧୦,୧୫୦ କୋଟି ଟଙ୍କା ଦେବେ। ରାଜ୍ୟର ଗ୍ରାମ ପଞ୍ଚାୟତଗୁଡ଼ିକୁ ୬୦୯୦ କୋଟି, ପଞ୍ଚାୟତ ସମିତିଗୁଡ଼ିକୁ ୩୦୪୫ କୋଟି ଏବଂ ଜିଲ୍ଲା ପରିଷଦଗୁଡ଼ିକୁ ୧୦୧୫ କୋଟି ଟଙ୍କା ଦିଆଯିବ। କିନ୍ତୁ ରାଜ୍ୟ ସରକାର ଏ ବାବଦରେ ଉପରୋକ୍ତ ୩ ପ୍ରକାର ପଞ୍ଚାୟତିରାଜ ଅନୁଷ୍ଠାନକୁ ବାର୍ଷିକ ୨୦୩୦ କୋଟି ଟଙ୍କା ଲେଖାଏଁ ଦେବେ। ପଞ୍ଚମ ଅର୍ଥ କମିସନ ଗତ ୫ ବର୍ଷରେ ୫୪୯୦.୫୪ କୋଟି ଟଙ୍କା ପ୍ରଦାନ କରିଥିଲେ। ପଞ୍ଚମ ଅର୍ଥ ଆୟୋଗ ସୁପାରିସ ଅନୁସାରେ ରାଜ୍ୟ ସରକାର ଗତ ୫ ବର୍ଷ (୨୦୨୧-୨୦୨୬)ରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଯେତିକି ପାଣ୍ଠି ଦେଇଥିଲେ ଆସନ୍ତା ୫ ବର୍ଷ (୨୦୨୬-୨୦୩୧)ରେ ତାହା ତୁଳନାରେ ପାଖାପାଖି ଦୁଇଗୁଣା ପାଣ୍ଠି ମିଳିବ। ଉଭୟ ‌କେନ୍ଦ୍ରର ଷୋଡ଼ଶ ଅର୍ଥ କମିସନ ଓ ରାଜ୍ୟର ଷଷ୍ଠ ଅର୍ଥ କମିସନ ସୁପାରିସ ଫଳରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ୫ ବର୍ଷରେ ପ୍ରାୟ ୨୯ ହଜାର କୋଟି (୨୮,୮୬୫ କୋଟି) ଟଙ୍କା ମିଳିବା ରାସ୍ତା ‌ଫିଟିଥିବାରୁ ପଞ୍ଚାୟତଗୁଡ଼ିକ ମାଲାମାଲ ହେବେ। 

ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦଗୁଡ଼ିକୁ ରାଜ୍ୟର ଷଷ୍ଠ ଅର୍ଥ କମିସନ ୬୫:୨୫:୧୦ ଅନୁପାତରେ ପାଣ୍ଠି ପ୍ରଦାନ ପାଇଁ ସୁପାରିସ କରିଥିଲା। କିନ୍ତୁ ରାଜ୍ୟ ସରକାର ୬୦:୩୦:୧୦ ଅନୁପାତରେ ଅର୍ଥ ଦେବାକୁ ସ୍ଥିର କରିଛନ୍ତି। ସିଡ୍ୟୁଲ୍‌ଡ ଏରିଆ  ବା ଟ୍ରାଇବାଲ୍‌ ସବ୍‌ ପ୍ଲାନ ଏରିଆରେ ଥିବା ପଞ୍ଚାୟତଗୁଡ଼ିକୁ ଅତିରିକ୍ତ ୩୦ ପ୍ରତିଶତ ପାଣ୍ଠି ଦିଆଯିବ। ଟ୍ରାଇବାଲ ସବ୍‌ ପ୍ଲାନ ଏରିଆରେ ୨୧୮୧ଟି ପଞ୍ଚାୟତ ଥିବାବେଳେ ଅଣ ଟ୍ରାଇବାଲ ସବ୍‌ ପ୍ଲାନ ଏରିଆରେ ୪୫୫୨ଟି ପଞ୍ଚାୟତ ରହିଛି। ଅତିରିକ୍ତ ୨୦ ପ୍ରତିଶତ ପାଣ୍ଠି ଆଂକାକ୍ଷୀ ବ୍ଲକ୍‌ଗୁଡ଼ିକୁ ଦିଆଯିବ। ଏଥିସହିତ ଆକାଂକ୍ଷୀ ବ୍ଲକ୍‌ରେ ଥିବା ଜିଲ୍ଲା ପରିଷଦଗୁଡ଼ିକୁ ୨୦ ପ୍ରତିଶତ ଅତିରିକ୍ତ ପାଣ୍ଠି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ପାଣ୍ଠି ଜାରି ହେବା ପୂର୍ବରୁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପୂର୍ବରୁ ପାଇଥିବା ପାଣ୍ଠିରୁ ଅତିକମ୍‌ରେ ୫୦ ପ୍ରତିଶତ ବିନିଯୋଗ କରିଥିବା ଆବଶ୍ୟକ।