Pakistan Failed Olympic Gold Medallist: ଅଲିମ୍ପିକ୍ ଚମ୍ପିଆନଙ୍କୁ ଫେଲ୍ କରିଦେଲା ପାକିସ୍ତାନ, ଅର୍ଶଦଙ୍କ ପରାଜୟ ପଛରେ କାହାର ଦୋଷ?
ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଅର୍ଶଦ ନଦିମଙ୍କ ପାଇଁ କମନୱେଲଥ୍ ଗେମ୍ସ ୨୦୨୬ ନିରାଶାଜନକ ରହିଛି। କିନ୍ତୁ ଏହି ବିଫଳତା ପଛରେ କେବଳ ଅର୍ଶଦ ନୁହେଁ, ପାକିସ୍ତାନର କ୍ରୀଡ଼ା ବ୍ୟବସ୍ଥା ମଧ୍ୟ ଦାୟୀ ବୋଲି ଅଭିଯୋଗ ଉଠିଛି।
ଗ୍ଲାସଗୋରେ ଚାଲିଥିବା କମନୱେଲଥ୍ ଗେମ୍ସର ଜାଭେଲିନ୍ ଥ୍ରୋ ଫାଇନାଲରେ ପାକିସ୍ତାନର ଅଲିମ୍ପିକ୍ ଚାମ୍ପିଅନ୍ ଅର୍ଶଦ ନଦିମ ୮୦ ମିଟର ସୀମା ମଧ୍ୟ ଅତିକ୍ରମ କରିପାରିନଥିଲେ। ସେ ନବମ ସ୍ଥାନରେ ରହିଥିବା ବେଳେ, ଶ୍ରୀଲଙ୍କାର ରୁମେଶ ପଥିରାଗେ ସ୍ୱର୍ଣ୍ଣ, ଭାରତର ନୀରଜ ଚୋପ୍ରା ରୌପ୍ୟ ଏବଂ ଯଶବୀର ସିଂହ କାଂସ୍ୟ ପଦକ ଜିତିଛନ୍ତି।
ସୂଚନା ଅନୁସାରେ, କମନୱେଲଥ୍ ଗେମ୍ସ ପୂର୍ବରୁ ଅର୍ଶଦ ମାତ୍ର ଗୋଟିଏ ପ୍ରସ୍ତୁତି ପ୍ରତିଯୋଗିତାରେ ଭାଗ ନେଇଥିଲେ। ବିଦେଶୀ କୋଚ୍ କିମ୍ବା ଟ୍ରେନରଙ୍କ ସହାୟତା ନ ପାଇ ସେ ଲାହୋରରେ ସ୍ଥାନୀୟ କୋଚ୍ ସଲମାନ ବଟ୍ଙ୍କ ସହ ଅଭ୍ୟାସ କରିଥିଲେ। ଅନ୍ୟପଟେ ନୀରଜ ଚୋପ୍ରା ଓ ଅନ୍ୟ ଭାରତୀୟ ଖେଳାଳି ୟୁରୋପରେ ବିଦେଶୀ କୋଚଙ୍କ ତତ୍ତ୍ୱାବଧାନରେ ପ୍ରସ୍ତୁତି କରିଥିଲେ।
ଅର୍ଶଦଙ୍କ କୋଚ୍ ସଲମାନ ବଟ୍ ମଧ୍ୟ ସ୍ୱୀକାର କରିଛନ୍ତି ଯେ, କମନୱେଲଥ୍ ଗେମ୍ସ ପାଇଁ ଅର୍ଶଦ ସମ୍ପୂର୍ଣ୍ଣ ପ୍ରସ୍ତୁତ ନଥିଲେ। ଏପରିକି ପାକିସ୍ତାନ ଆମେଚର୍ ଆଥଲେଟିକ୍ସ ଫେଡେରେସନ୍ ଓ ପାକିସ୍ତାନ ସ୍ପୋର୍ଟସ ବୋର୍ଡ ତାଙ୍କ ପ୍ରସ୍ତୁତିରେ ଆବଶ୍ୟକ ସହଯୋଗ କରିନଥିବା ଅଭିଯୋଗ ମଧ୍ୟ ହୋଇଛି। ବିଦେଶୀ କୋଚ୍ ଓ ପ୍ରଶିକ୍ଷଣ ପାଇଁ ଅର୍ଥ ମଞ୍ଜୁର ନ କରିବାରୁ ତାଙ୍କ ପ୍ରସ୍ତୁତି ପ୍ରଭାବିତ ହୋଇଥିବା କୁହାଯାଉଛି।
ପାକିସ୍ତାନର ପୂର୍ବତନ ଅଲିମ୍ପିକ୍ ପଦକ ବିଜେତା ହୁସେନ ଶାହ କହିଛନ୍ତି, ଦେଶକୁ ଗୌରବ ଆଣିଥିବା ଜଣେ ଖେଳାଳିଙ୍କୁ ଯଥୋଚିତ ସୁବିଧା ନ ମିଳିବା ପାକିସ୍ତାନର କ୍ରୀଡ଼ା ବ୍ୟବସ୍ଥାର ଦୁର୍ବଳତାକୁ ସାମ୍ନାକୁ ଆଣିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।