One Man's Mission Transforms Five Villages: ଜଣେ ମଣିଷର ଲଢେଇ, ବଦଳାଇଦେଲେ ୫ ଗାଁର ଭାଗ୍ୟ

Jul 13, 2026 - 21:00
One Man's Mission Transforms Five Villages: ଜଣେ ମଣିଷର ଲଢେଇ, ବଦଳାଇଦେଲେ ୫ ଗାଁର ଭାଗ୍ୟ

ଜଣେ ମଣିଷର ଲଢେଇ, ବଦଳାଇଦେଲେ ୫ ଗାଁର ଭାଗ୍ୟ। ନିଶାମୁକ୍ତ ହେଲା ୪୦୦ ପରିବାର। ମଦ ଯେଉଁଠି ଘର ଭାଙ୍ଗୁଥିଲା, ସେଠି ସନ୍ଧ୍ୟା ହେଲେ ଆଜି ଶୁଭୁଛି ଭକ୍ତିର ସ୍ୱର।  ଦିନେ ଯେଉଁ ମାଟିରେ ନିଶା ପାଇଁ କାନ୍ଦବୋବାଳି ପଡୁଥିଲା, ଆଜି ସେଠି ୫ଟି ଗାଁର ୪୦୦ ପରିବାର ହସୁଛନ୍ତି। ଆଉ ଏହି ଅସମ୍ଭବ କ୍ରାନ୍ତି ପଛରେ ଅଛି, ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ ୩୫ ବର୍ଷର ନିରବ ସଂଗ୍ରାମ। କୋରାପୁଟ ନନ୍ଦପୁର ବ୍ଲକରୁ ଆସିଥିବା ଏହି ପ୍ରେରଣାଦାୟୀ କାହାଣୀ, ଆପଣଙ୍କ ହୃଦୟକୁ ଛୁଇଁଯିବ। ମଦ ମୁକ୍ତ ଅଭିଯାନର ରିଅଲ୍ ହିରୋ ବିଚିତ୍ରାନନ୍ଦ ପଣ୍ଡା। ୧୯୮୪ରେ ଯାଜପୁରରୁ କୋରାପୁଟ ଆସିଥିଲେ। ନିଶା କବଳରେ ଉଜୁଡ଼ି ଯାଉଥିବା ସଂସାର, ଆଦିବାସୀ ଭାଇଭଉଣୀଙ୍କ ଦୁଃଖ ଦେଖି ତାଙ୍କ ହୃଦୟ କାନ୍ଦି ଉଠିଥିଲା। ମଦ ମୁକ୍ତ ନେଇ ୧୯୯୦ରୁ ଆରମ୍ଭ ହେଲା ଏକାକୀ ଲଢ଼େଇ। ଘର ଘର ବୁଲି ଲୋକଙ୍କୁ ବୁଝାଇଲେ। କେତେ ଝଡ଼ଝଞ୍ଜା ସହିଛନ୍ତି, କିନ୍ତୁ କେବେ ହାର ମାନି ନଥିଲେ ବିଚିତ୍ରାନନ୍ଦ। 

ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ ଓ ବୈଶାଖୀ ପରିବାର ଗଠନ କରି ମହିଳାଙ୍କ ସହଯୋଗରେ ଗାଁ ଗାଁରେ ବୈଠକ କରି ଲୋକଙ୍କ ମନ ପରିବର୍ତ୍ତନ କରୁଛନ୍ତି ବିଚିତ୍ରାନନ୍ଦ। ୨୦୨୧ରେ ତାଙ୍କ ପ୍ରୟାସରେ ନନ୍ଦପୁର ବ୍ଲକର ଡାବାସପୁଟ ପ୍ରଥମେ ନିଶାମୁକ୍ତ ଗାଁ ହୋଇଥିଲା। ପରେ ମାଡ଼ିଭୀମଡୋଲ, ବନମାଳୀପୁଟ, ଗୋଡ଼ିପୁଟ ଓ କିତ୍ ବା ଗାଁର ୪ଶହ ପରିବାର ସଂପୂର୍ଣ୍ଣ ନିଶାମୁକ୍ତ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା, ବିଚିତ୍ରାନନ୍ଦ କୌଣସି କୋଟିପତି ନୁହନ୍ତି। ଛୋଟ ଜଳଖିଆ ଦୋକାନରୁ ଯାହା ରୋଜଗାର କରନ୍ତି, ସେଥିରୁ ପ୍ରତିବର୍ଷ ହଜାର ହଜାର ଟଙ୍କା ସମାଜସେବାରେ ଢାଳି ଦିଅନ୍ତି। ଭାଷା, ସାହିତ୍ୟ ଓ ନିଶାମୁକ୍ତ ସମାଜ ଗଢ଼ିବା ହିଁ ତାଙ୍କ ଜୀବନର ଏକମାତ୍ର ନିଶା। ଏହି ମହତ ଅବଦାନ ପାଇଁ ବିଚିତ୍ରାନନ୍ଦଙ୍କୁ ଗତବର୍ଷ ଓଡ଼ିଶା ସିଟିଜେନ୍ ଆୱାର୍ଡରେ ସମ୍ମାନିତ କରିଛି ଓଟିଭି। ନିଶାମୁକ୍ତ ଗାଁର ସଫଳତା ପରେ ଏବେ ତାଙ୍କର ଲକ୍ଷ୍ୟ ସମ୍ପୂର୍ଣ୍ଣ ନନ୍ଦପୁର ବ୍ଲକକୁ ନିଶାମୁକ୍ତ କରିବା।

ଯେଉଁଠି ସରକାରୀ ସଚେତନତା କାମ ଦେଲାନି, ସେଠି ୭୨ ବର୍ଷୀୟ ବିଚିତ୍ରାନନ୍ଦ ସାଜିଲେ ଶହ ଶହ ପରିବାରର ଭାଗ୍ୟବିଧାତା। ତାଙ୍କ ନିଷ୍ଠା ଓ ୩୫ ବର୍ଷର ପ୍ରୟାସ ଆଜି ଅନେକ ଗାଁକୁ ଦେଖାଇଛି ନିଶାମୁକ୍ତିର ନୂଆ ସକାଳ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।