OIL: ଅନ୍ତର୍ଜାତୀୟ ବଜାରରେ ଶସ୍ତା ହେଲା ଅଶୋଧିତ ତେଲ; ଏବେ ଗ୍ରାହକଙ୍କୁ ମିଳିବନି ଏଥିରୁ ଲାଭ

Jul 03, 2026 - 16:51
OIL: ଅନ୍ତର୍ଜାତୀୟ ବଜାରରେ ଶସ୍ତା ହେଲା ଅଶୋଧିତ ତେଲ; ଏବେ ଗ୍ରାହକଙ୍କୁ ମିଳିବନି ଏଥିରୁ ଲାଭ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଶସ୍ତା ହୋଇଥିଲେ ମଧ୍ୟ ତାହାର ଲାଭ ଏତେଶୀଘ୍ର ଗ୍ରାହକମାନଙ୍କୁ ମିଳିବ ନାହିଁ। ପେଟ୍ରୋଲ ଦର ଏବେ କମିବନି ବୋଲି ତୈଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆଉ କିଛି ସପ୍ତାହ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ନିମ୍ନସ୍ତରରେ ରହିଲେ ହିଁ ତେଲ ଦର ହ୍ରାସ ସମ୍ପର୍କରେ ବିଚାର କରାଯାଇପାରିବ।

ସେ କହିଛନ୍ତି ଯେ ଇରାନ ଯୁଦ୍ଧ ଦ୍ବାରା ସାରା ବିଶ୍ବର ଊର୍ଜା କ୍ଷେତ୍ରରେ ବିଭ୍ରାଟ ଦେଖାଦେଇଥିଲା। ଭାରତ କିନ୍ତୁ ଏହାର ତୈଳ, ଏଲ୍‌ପିଜି ଓ ଏଲ୍‌ଏନ୍‌ଜି ଗ୍ରାହକମାନଙ୍କୁ ଯଥା ସମ୍ଭବ ସୁରକ୍ଷା ଦେବାରେ ସଫଳ ହୋଇଥିଲା। ବିଭିନ୍ନ ଦେଶ ତେଲ ଦର ବଢ଼ାଇତିଲେ। ଯୁଦ୍ଧ ହେବାର ୭୬ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ କ୍ଷତି ଅସହ୍ୟ ହେବାକୁ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦରକୁ ଚାରି ଥରରେ ଲିଟର ପ୍ରତି ୮ଟଙ୍କା ପର୍ଯ୍ୟନ୍ତ ବଢ଼ାଇଥିଲେ। ସେହି ଦରବୃଦ୍ଧି ବିଶ୍ବର ଅନ୍ୟତମ ସର୍ବନିମ୍ନ ଥିଲା ବୋଲି ଶ୍ରୀ ପୁରୀ କହିଛନ୍ତି।

Crude Oil: ୭୫ ଡଲାର ତଳେ ଅଶୋଧିତ ତେଲ; ଯୁଦ୍ଧ ପରଠାରୁ ସର୍ବନିମ୍ନ

ଯୁଦ୍ଧ ବନ୍ଦ କରିବା ନେଇ ଇରାନ ଓ ଆମେରିକା ମଧ୍ୟରେ ଅନ୍ତରୀଣ ଚୁକ୍ତି ସ୍ବାକ୍ଷର ହେବା ପରଠାରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଥେଷ୍ଟ ଶସ୍ତା ହୋଇଛି। ଯୁଦ୍ଧ ପରେ ପ୍ରାୟ ଅଢ଼େଇ ମାସ ପର୍ଯ୍ୟନ୍ତ ଏହାର ଦାମ ୧୦୦ ଡଲାର ଉପରେ ଥିଲା। କିନ୍ତୁ ଶାନ୍ତି ଚୁକ୍ତି ହେବା ପରେ ତାହା ଦ୍ରୁତ ଗତିରେ ତଳକୁ ଖସିଛି। ଗତକାଲି ବ୍ରେଣ୍ଟ୍‌ କ୍ରୁଡ୍‌ର ଦାମ ବ୍ୟାରେଲ୍‌କୁ ୭୦.୯୧ ଡଲାର, ଆମେରିକାର ୱେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମେଡିଆରିଜ୍‌ର ଦାମ୍‌ ୬୭.୮୩ ଡଲାର ଓ ମୁର୍ବାନ୍‌ର ଦାମ୍‌ ୬୪.୩୩ ଡଲାର ରହିଥିଲା।