Welcome!

Unlock your personalized experience.
Sign Up

Odisha Weather Update: ଆଜି ସନ୍ଧ୍ୟାରେ ଏହିସବୁ ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା

Jul 19, 2026 - 16:04
Odisha Weather Update: ଆଜି ସନ୍ଧ୍ୟାରେ ଏହିସବୁ ଜିଲ୍ଲାର ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ପୁଣି ବଦଳିବାକୁ ଯାଉଛି ପାଣିପାଗର ମିଜାଜ୍। ବାୟୁମଣ୍ଡଳରେ ପ୍ରଚୁର ଜଳୀୟ ବାଷ୍ପ ଯୋଗୁଁ ଆଜି ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ଜାଗାରେ ବର୍ଷାର ପରିମାଣ ୪୦ ରୁ ୫୦ ମିଲିମିଟର କିମ୍ବା ତାଠାରୁ ଅଧିକ ମଧ୍ୟ ହୋଇପାରେ। କେବଳ ସେତିକି ନୁହେଁ, ଚଳିତ ମାସ ଶେଷ ଆଡ଼କୁ ଅର୍ଥାତ୍ ୨୩-୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି, ଯାହାର ପ୍ରଭାବରେ ୨୨ ରୁ ୨୫ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷିବ।

ଆରବ ସାଗର ଆଡୁ ପ୍ରଚୁର ଜଳୀୟ ବାଷ୍ପପୂର୍ଣ୍ଣ ପଶ୍ଚିମା ପବନ ଓଡ଼ିଶା ଆଡ଼କୁ ବହିବା ଆରମ୍ଭ କରିଛି। ବର୍ତ୍ତମାନ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ପ୍ରାୟ ୮୦ ରୁ ୯୦ ପ୍ରତିଶତ ଭିତରେ ରହିଛି। ଯଦିଓ ପୂର୍ବ ସିଷ୍ଟମ ବର୍ତ୍ତମାନ ଦୁର୍ବଳ ହୋଇଯାଇଛି, ତଥାପି ମୌସୁମୀ ସମୟରେ ଅଧିକ ଜଳୀୟ ବାଷ୍ପ ସାଙ୍ଗକୁ ସ୍ଥାନୀୟ ତାପମାତ୍ରା ବୃଦ୍ଧି ଯୋଗୁଁ ମେଘ ଘନୀଭୂତ ହେଉଛି। ଫଳରେ ଆଜି ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ସମ୍ଭାବନା ସବୁଠୁ ଅଧିକ ରହିଛି। ବିଶେଷ କରି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼ ସମେତ ଉତ୍ତର ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଆଜି ବର୍ଷା ହୋଇପାରେ। ତେବେ ଆସନ୍ତାକାଲି ଉପକୂଳରେ ବର୍ଷା କମିବ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ପକେଟରେ ବର୍ଷାର ପରିମାଣ ସାମାନ୍ୟ ବଢ଼ିବ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଜୁଲାଇ ଶେଷ ସପ୍ତାହରେ ଓଡ଼ିଶାରେ ବର୍ଷାର ଅଭାବ ରହିବ ନାହିଁ। ଆସନ୍ତା ୨୩ କିମ୍ବା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଯଦି ଆଗାମୀ ଦୁଇ ଦିନରେ ତାପମାତ୍ରା ବଢ଼େ, ତେବେ ଏହି ଲଘୁଚାପ ଆହୁରି ଘନୀଭୂତ ହେବାର ଅନୁକୂଳ ପରିବେଶ ରହିଛି। ଏହାର ପ୍ରଭାବରେ ୨୨ ତାରିଖରୁ ହିଁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ବିଶେଷ କରି ୨୩ ଏବଂ ୨୪ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ନୟାଗଡ଼ ଭଳି ଉପକୂଳ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେଉଁଝର, ଯାଜପୁର, ଢେଙ୍କାନାଳ, ଭଦ୍ରକ ଏବଂ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ଏହି ସିଷ୍ଟମଟି ଧୀରେ ଧୀରେ ଗତି କରି ପଶ୍ଚିମ ଓଡ଼ିଶା ଦେଇ ୨୫ ତାରିଖ ବେଳକୁ ସେଣ୍ଟ୍ରାଲ୍ ଇଣ୍ଡିଆ ବା ଗୁଜୁରାଟ ଆଡ଼କୁ ସିଫ୍ଟ ହୋଇଯିବ। ତେଣୁ ୨୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଲଗାତାର ବର୍ଷା ଜାରି ରହିବ।

ତେବେ ଆଗାମୀ ୨-୩ ଦିନ ଭିତରେ ଏହି ଲଘୁଚାପର ଚିତ୍ର ଆହୁରି ସ୍ପଷ୍ଟ ହେବ ଏବଂ କେଉଁ ଜିଲ୍ଲାକୁ ସବୁଠୁ ଅଧିକ ବିପଦ ରହିଛି ତାହା ଜଣାପଡ଼ିବ। ମୋଟାମୋଟି ଭାବେ କହିବାକୁ ଗଲେ, ଜୁଲାଇ ଶେଷ ସପ୍ତାହରେ ଓଡ଼ିଶାରେ ପ୍ରତିଦିନ ବର୍ଷା ଦେଖିବାକୁ ମିଳିବ, କେବଳ ସ୍ଥାନ ପରିବର୍ତ୍ତନ ହୋଇପାରେ।

ଏହାସହ ପଢ଼ନ୍ତୁ: Weather Forecast: ଉପକୂଳକୁ ଆଶ୍ୱସ୍ତି, ଆଜି ପଶ୍ଚିମ-ଉତ୍ତର ଓଡ଼ିଶାରେ ଛେଚିବ ବର୍ଷା, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।