Odisha Tightens RTO Rules: RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

Jul 09, 2026 - 20:07
Odisha Tightens RTO Rules: RTO ଆଇନକୁ ଆହୁରି କଡ଼ା କଲା ପରିବହନ ବିଭାଗ

ଦୁର୍ଘଟଣା ହେଉ ଅବା ଅପରାଧ। କୌଣସି ସ୍ଥିତିରେ ବର୍ତ୍ତି ପାରିବେନି ଗାଡ଼ି ମାଲିକ। ନୂଆ ଗାଡ଼ି ପଞ୍ଜୀକରଣ ହେଉ ଅବା ପୁରୁଣା ଗାଡ଼ିର ମାଲିକାନା ପରିବର୍ତ୍ତନ। ବୈଧ କାଗଜପତ୍ର ସହ ସଠିକ୍ ଠିକଣା ପ୍ରମାଣପତ୍ର ଦାଖଲ ନକଲେ ଗଡ଼ିପାରିବନି ଗାଡ଼ି । ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଏଣିକି ଆଧାର ବାଧ୍ୟତାମୂଳକ ହେବ। ବୈଧ ଡକ୍ୟୁମେଣ୍ଟ ନଥିଲେ ଜବତ ହେବ ଗାଡ଼ି। ଭୁବନେଶ୍ବର ଅବକାରୀ ଅଧୀକ୍ଷକଙ୍କ ଅଫିସ୍ କ୍ୟାଂପସରେ ଥିବା ଜବତ ଗାଡ଼ିର ମାଲିକଙ୍କୁ ଖୋଜୁଛି ଅବକାରୀ ବିଭାଗ। କେଉଁ ଗାଡ଼ି ଗଂଜେଇ ଚୋରା ଚାଲାଣ ବେଳେ ଧରା ପଡିଛି ତ ଆଉ କେଉଁ ଗାଡ଼ିରେ ଚୋରାଛପାରେ ଯାଉଥିଲା ବ୍ରାଉନସୁଗାର। ଚୋରା ମଦ କାରବାର ବେଳେ ବି ଏକାଧିକ ଦାମୀ ଗାଡ଼ି ଜବତ୍ ହୋଇଛି। 

ଚୋରା ମଦ କାରବାର ବେଳେ ଏହାକୁ ସିଜ୍ କରିଥିଲା ଅବକାରୀ ବିଭାଗ। ହେଲେ ମାଲିକକୁ ନୋଟିସ ପଠାଇବା ବେଳେ ଉତ୍ତର ଆସୁଛି ଗାଡ଼ି ବିକ୍ରି ହୋଇସାରିଛି। ଦୁଇଦିନ ତଳେ କଳା କାରରେ ଧଳା ଜହର କାରବାର ହେଉଥିବା ବେଳେ ମାଡ଼ି ବସିଥିଲା ଅବକାରୀ ବିଭାଗ। ଏହାଭିତରେ ଏମିତି କିଛି ଗାଡ଼ି ଅଛି ଯେଉଁଠି ମାଲିକଙ୍କୁ ନୋଟିସ୍ ପଠାଇଲେ ଠିକଣା ନ ପାଇ ନୋଟିସ୍ ଫେରିଆସୁଛି। ଯେଉଁଥି ପାଇଁ ତଦନ୍ତ ଅଧାରେ ଅଟକିଛି। କେବଳ ଅବକାରୀ ବିଭାଗ ନୁହେଁ, ଏହିଭଳି ଅପରାଧ ଘଟାଉଥିବା ଗାଡ଼ି ମାଲିକଙ୍କୁ ଖୋଜିବା ତଦନ୍ତକାରୀ ସଂସ୍ଥା ପାଇଁ ହେଉଛି ମୁଣ୍ଡବ୍ୟଥାର କାରଣ। ହେଲେ ଏଣିକି ଆଉ ଗଳାବାଟରେ ଖସିପାରିବେନି ଗାଡ଼ି ମାଲିକ। ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ମାଲିକାନା ପରିବର୍ତ୍ତନ, ହାଇପୋଥିକେସନ ସହ ଡିଏଲ୍ ରେ ଠିକଣା ପରିବର୍ତ୍ତନ ଭଳି କାର୍ଯ୍ୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ଗାଡ଼ି ମାଲିକଙ୍କ ଠିକଣା, ପରିଚୟ ଓ ଆରଟିଓ ସୀମା ଆଦିର ଯାଞ୍ଚ କଡ଼ାକଡ଼ି ହେବ। ଏ ନେଇ ପରିବହନ କମିଶନର୍ ସମସ୍ତ RTO ଏବଂ ARTOମାନଙ୍କୁ ପତ୍ର ଲେଖି ନିର୍ଦେଶର ଅନୁପାଳନ କରିବା ପାଇଁ କହିଛନ୍ତି।

ଅନେକ କ୍ଷେତ୍ରରେ ପରିଚୟ ପତ୍ରରେ ଗୋଟିଏ ଠିକଣା ରହିଥିବା ବେଳେ ଆରଟିଓରେ ଦାଖଲ ହୋଇଥିବା କାଗଜପତ୍ରରେ ଅନ୍ୟ ଠିକଣା ରହୁଛି। ତେଣୁ ଭବିଷ୍ୟତରେ କୌଣସି କାରଣବଶତଃ ଗାଡ଼ି ମାଲିକଙ୍କୁ ନୋଟିସ୍ ପଠାଇବା, ଟିକସ କିମ୍ବା ଜୋରିମାନା ଆଦାୟ କରିବା, ଦୁର୍ଘଟଣାର ତଦନ୍ତ ଆଦି କାର୍ଯ୍ୟରେ ଯେଭଳି ସମସ୍ୟା ଦେଖାଯିବ ନାହିଁ, ସେଥିପାଇଁ ଗାଡ଼ି ପଂଜିକରଣ ପାଇଁ ଆବେଦକଙ୍କ ପରିଚୟ ଓ ଠିକଣା କଡ଼ାକଡ଼ି ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଉଛି। ନିଷ୍ପତ୍ତି ଅନୁସାରେ ଏଣିକି ଗାଡ଼ି କ୍ରେତା ରହୁଥିବା ଠିକଣା ଅବା ତାଙ୍କ ବ୍ୟବସାୟ ସ୍ଥାନ ଯାଞ୍ଚ କରାଯିବ। ସବୁ ପ୍ରକାର କାମ ପାଇଁ ଆଧାର ଯାଞ୍ଚ ବାଧ୍ୟତାମୂଳକ ହେବ। ଯଦି ଆବେଦନପତ୍ର ଓ ପରିଚୟପତ୍ରରେ ନାମ, ବାପାଙ୍କ ନାମ, ଫୋନ୍ ନମ୍ବର, ଠିକଣା, ଜନ୍ମ ତାରିଖ, ଫଟୋରେ କିଛି ଅସମାନତା ଥାଏ ତା ହେଲେ ଆବେଦନ ଖାରଜ କରାଯିବ। କେବଳ ଏତିକି ନୁହେଁ ଯେଉଁମାନେ ବାରମ୍ବାର ଟ୍ରାଫିକ ନିୟମ ଖିଲାପ କରି ଗାଡ଼ି ଚଳାଉଛନ୍ତି, ସେମାନଙ୍କ ଗାଡ଼ି ଜବତ କରାଯିବ ବୋଲି କୁହାଯାଇଛି । 

ମାଲିକାନା ନ ବଦଳାଇ ଅନେକ ଗାଡ଼ି ମାଲିକ ବେଫିକର୍ ଗାଡ଼ି ବିକ୍ରି କରିଦେଉଛନ୍ତି। ପରେ ଏହି ଗାଡ଼ି ଯଦି କୌଣସି ଅପରାଧିକ କାର୍ଯ୍ୟରେ ଲିପ୍ତ ହୁଏ ତେବେ ମୂଳ ମାଲିକଙ୍କ ପାଇଁ ଅଡ଼ୁଆ ବଢିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।