Faulty Ambulance Turns Fatal: ପୁଣି ଘାତକ ସାଜିଲା ଧତଡ଼ା ଆମ୍ବୁଲାନ୍ସ, ମେଡ଼ିକାଲ ଯାଇ ନପାରି ଆଖିବୁଜିଲା ୧୧ ବର୍ଷିୟା ଶିଶୁ

Jul 09, 2026 - 20:27
Faulty Ambulance Turns Fatal: ପୁଣି ଘାତକ ସାଜିଲା ଧତଡ଼ା ଆମ୍ବୁଲାନ୍ସ, ମେଡ଼ିକାଲ ଯାଇ ନପାରି ଆଖିବୁଜିଲା ୧୧ ବର୍ଷିୟା ଶିଶୁ

ଗରୀବ ଗୁରୁବାଙ୍କ ଜୀବନ ଏବେ ଧତଡ଼ା ଆମ୍ବୁଲାନ୍ସ ହାତରେ। ଅସୁସ୍ଥ ୧୦୮ ଆମ୍ବୁଲାନ୍ସ, ରୋଗୀ ସେବାରେ ଥାଇ ବି କେବେ ଜୀବନ ଜୀଇଁବାର ସମ୍ଭାବନା ଭିତରେ ମରଣ ମୁହଁକୁ ଠେଲି ଦେଉଛି ତ କେବେ ପୁଣି ରୋଗୀଙ୍କୁ ମାରିଦେଉଛି। କଳାହାଣ୍ଡିରୁ ଆସିଛି ଏମିତି ଏକ ଅଭାବନୀୟ ଘଟଣା। ଯେଉଁଠି ମଝି ରାସ୍ତାରେ ଚକ ପଙ୍କଚର୍ ହେବାରୁ ଠିକ ସମୟରେ ମେଡ଼ିକାଲରେ ପହଞ୍ଚିନପାରି ୧୧ ବର୍ଷର ଟିକି ଝିଅଟି ଆଖିବୁଜିଦେଇଛି। 

ଆମ୍ବଲାନସ ପାଇଁ ମାତ୍ର ୧୧ ବର୍ଷର ଟିକି ଝିଅଟିର ମୃତ୍ୟୁ ପରେ ଭାଙ୍ଗିପଡ଼ିଛନ୍ତି ପରିବାର, କାନ୍ଦ ବୋବାଳିରେ ଫାଟି ପଡୁଛି ମେଡ଼ିକାଲ୍। କାହାକୁ ବୁଝାଇବେ, କାହାକୁ କି ଶାନ୍ତ୍ବନା ଦେବେ। କଳାହାଣ୍ଡି ଜିଲ୍ଲାରେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରତ୍ୟେକ ବାପା-ମାଙ୍କୁ ଦୋହଲାଇଦେଉଛି। ଯାନ୍ତ୍ରିକ ତ୍ରୁଟିରୁ ମଝି ରାସ୍ତାରେ ଦୀର୍ଘ ୩ ଘଣ୍ଟା କାଳ ୧୦୮ ଆମ୍ବୁଲାନ୍ସ ଫସି ରହିବାରୁ ସଠିକ ସମୟରେ ମେଡ଼ିକାଲରେ ପହଞ୍ଚିନପାରି ଜୀବନ ହରାଇଛି ନର୍ଲା ତୁଳାପଡ଼ା ଗାଁର ରିୟା ନାଏକ। 

ପେଟଯନ୍ତ୍ରଣା ଯୋଗୁଁ ରିୟାଙ୍କୁ ପ୍ରଥମେ ନର୍ଲା ଓ ପରେ ଅବସ୍ଥା ଗୁରୁତର ହେବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା ଏହି ଆମ୍ବଲାନସରେ। କିନ୍ତୁ ଗୋହିରାପଦର ରେଳ ଫାଟକ ନିକଟରେ ଚକ ପଙ୍କଚର୍ ହୋଇଯାଇଥିଲା। ଏପରିକି ଷ୍ଟେପିନ୍ ବି କାମ କରୁନଥିଲା। ଶେଷରେ ଗୁରୁତର ରୋଗୀ ୩ ଘଣ୍ଟା କାଳ ମଝି ରାସ୍ତାରେ ମୃତ୍ୟୁ ସହ ସଂଗ୍ରାମ କରିଥିଲା। ଆଉ ବିଳମ୍ବରେ ଯେତେବେଳେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଗଲା, ସେତେବେଳକୁ ଶିଶୁଟିକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏଭଳି ସ୍ଥିତିରେ ଅତି ଦାୟିତ୍ବହୀନ ଭାବେ ମନ୍ତବ୍ୟ ଦେବା ସହ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ବରେ ଥିବା ଏଜେନସି ମୁଣ୍ଡରେ ଅଠାବୋଳି ହାତ ଝାଡ଼ିଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ। 

କଳାହାଣ୍ଡି ହେଉଛି ସେହି ଜିଲ୍ଲା, ଯେଉଁଠି ଆମ୍ବୁଲାନ୍ସ ବ୍ୟବସ୍ଥାରେ ହତାଶ ହୋଇ ପତ୍ନୀର ମୃତଦେହକୁ ବୋହି ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ। ତା’ସହ ସରକାରୀ ବ୍ୟବସ୍ଥାର ମୁଖା ଖୋଲିଦେଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ଆଜି ବି ବଦଳିନି ସେହି ସ୍ବାସ୍ଥ୍ୟସେବାର ଭାଗ୍ୟ। ଖାଲି କଳାହାଣ୍ଡି ନୁହେଁ, ପୂର୍ବରୁ ବି ଆମେ ରୁଗଣ ଆମ୍ବୁଲାନ୍ସର ମାଳ ମାଳ ଚିତ୍ର ଦେଖାଇଛୁ ରାଜ୍ୟବ୍ୟାପି। କେତେବେଳେ ଧତଡ଼ା ଟାୟାର ଲାଗିଥିବା ଅବସ୍ଥାରେ ତ ଆଉ କେତେବେଳେ ମୁଣ୍ଡ ଉପରେ ଟପ୍ ଟପ୍ ହୋଇ ପାଣି ଗଳୁଥିବା ଅବସ୍ଥାରେ ଆମ୍ବୁଲାନ୍ସରେ ରୋଗୀ ବୁହାର ଅଭାବନୀୟ ଦୃଶ୍ୟ ଦେଖାଇଛୁ। AC କି ଲାଇଟ୍ କଥା ଛାଡ଼ନ୍ତୁ, ଅକ୍ସିଜେନ୍ ଶୂନ୍ୟ ଆମ୍ବୁଲାନ୍ସରେ ରୋଗୀ ପରିବହନର ଦୁର୍ଦ୍ଦଶା ବି ଦେଖାଇଛୁ। 108 ଆମ୍ବୁଲାନସର ପରିଚାଳନା ଦାୟିତ୍ବ ରହିଛି ଗ୍ରୀନ୍ ହେଲ୍ଥ ସର୍ଭିସ୍ ଏଜେନସି ହାତରେ। କିନ୍ତୁ ନା ରୋଗୀଙ୍କ ଅବସ୍ଥା ପ୍ରତି ନିଘା ରହୁଛି ନା ସରକାରୀ ନିର୍ଦ୍ଦେଶ ପ୍ରତି ଖାତିର। ଯାହାକୁ ନେଇ ସାଧାରଣ ଜନତା ଅସନ୍ତୋଷ ଝାଡ଼ିଛନ୍ତି। ଅପରପକ୍ଷେ ଘଟଣାକୁ ସ୍ବୀକାର କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ସଂପୃକ୍ତ ସଂସ୍ଥା। 

ରାଜ୍ୟବ୍ୟାପି ମାଳ ମାଳ ଅସୁସ୍ଥ ୧୦୮ ଆମ୍ବୁଲାନ୍ସ। ଭଙ୍ଗା ଦଦରା ଗାଡ଼ିରେ ଚାଲିଥିବା ରୋଗୀ ବୁହା ବ୍ୟବସ୍ଥାରେ କେବେ ଆସିବ ସୁଧାର ଏବଂ କେବେ ସଠିକ ସମୟରେ ମେଡ଼ିକାଲରେ ପହଞ୍ଚି ମରଣମୁହଁରୁ ବର୍ତ୍ତିଯିବ ଗରୀବ ମଣିଷଟିଏ, ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।