Odisha Schools Face Teacher Shortage: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଶିକ୍ଷକ ଜଣେକୁ ପିଲା ମାଳ ମାଳ

Jul 21, 2026 - 19:31
Odisha Schools Face Teacher Shortage: ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ଶିକ୍ଷକ ଜଣେକୁ ପିଲା ମାଳ ମାଳ

କେଉଁଠି ଅଭିଭାକଙ୍କ ଆନ୍ଦୋଳନ, କେଉଁଠି ପିଲାଙ୍କ ଅସନ୍ତୋଷ ଆଉ କେଉଁଠି ଅସହାୟ ଛାତ୍ରଛାତ୍ରୀ। ପାଠ ପଢ଼ିବାକୁ ସବୁ ସାଧନ ଥିଲେ ବି ନାହାନ୍ତି ଶିକ୍ଷକ। ଆଉ ଜଣେ ମାତ୍ର ଶିକ୍ଷକରେ ଚାଲିଛି ପୂରା ସ୍କୁଲ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କୁଡାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାଙ୍କ ସଂଖ୍ୟା ୫୦। କିନ୍ତୁ ପାଠ ପଢାଇବାକୁ ଅଛନ୍ତି ଜଣେ ମାତ୍ର ଶିକ୍ଷୟିତ୍ରୀ। ତେଣୁ ତୁରନ୍ତ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଲାଗି ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି ପିଲା ଓ ଅଭିଭାବକ। ସେହିପରି ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍ ବଢିଆଉସ୍ତା ଗାଁରେ ଥିବା ଇନ୍ଦିରା ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ମୋଟ ୮୧ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ମାତ୍ର ଜଣେ ଶିକ୍ଷକ। ବର୍ଷ ବର୍ଷ ଧରି ଏ ସ୍କୁଲରେ ପୂରଣ ହେଉନି ଖାଲି ଥିବା ଶିକ୍ଷକ ପଦବୀ। ସ୍କୁଲର ଭିତ୍ତିଭୂମି ବେଶ୍ ଅତ୍ୟାଧୁନିକ ଓ ଶିକ୍ଷାର ପରିବେଶ ଉତ୍ତମ। କିନ୍ତୁ ବିଡ଼ମ୍ବନା ମାତ୍ର ଜଣେ ଶିକ୍ଷାକରେ ପାଠପଢ଼ା ଚାଲିଛି। 

ମାତ୍ର ଜଣେ ଶିକ୍ଷକରେ କେମିତି ସ୍କୁଲ ଚାଲୁଛି, ରାଜ୍ୟର ଉପାନ୍ତ ଜିଲ୍ଲା କୋରାପୁଟର ତଥ୍ୟ ଦେଖିଲେ ହୋସ୍ ଉଡ଼ିଯିବ। ଜିଲ୍ଲାରେ ୧୧୯ଟି ସ୍କୁଲ ଏବେ କେବଳ ଜଣେ ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଛି। ସେ ଭିତରେ ବୋରିଗୁମ୍ମା ବ୍ଲକରେ ସର୍ବାଧିକ ୨୬ଟି ସ୍କୁଲରେ ଅଛନ୍ତି ମାତ୍ର ଜଣେ ଲେଖାଏଁ ଶିକ୍ଷକ। ସେହିଭଳି କୋଟପାଡ଼ରେ ୧୫ଟି, ପଟାଙ୍ଗୀରେ ୧୫, ନନ୍ଦପୁରରେ ୧୪, କୋରାପୁଟରେ ୧୩ଟି ସ୍କୁଲ ସିଙ୍ଗଲ ଟିଚରରେ ପରିଚାଳିତ ହେଉଛି। ଏପଟେ ଖାଲି ଉପାନ୍ତ ନୁହେଁ, ଉପକୂଳ ଓଡ଼ିଶାରେ ବି ତଦ୍ରୁପ ଅବସ୍ଥା। ଯାହା ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ଜଳ ଜଳ ଦେଖାଉଛି।

ଆମ ରାଜ୍ୟରେ କୋରାପୁଟ ଜିଲ୍ଲାର ଏ ତଥ୍ୟ କେବଳ ଭାତହାଣ୍ଡିରୁ ଗୋଟିଏ। ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ୍ ସିଷ୍ଟମ ଫର୍ ଏଡୁକେସନ୍ ପ୍ଲସ (UDISI+) ରିପୋର୍ଟ ଦେଶର ପ୍ରାଥମିକ ଶିକ୍ଷାରେ ଶିକ୍ଷକଙ୍କ ସଙ୍କଟଜନକ ସ୍ଥିତିର ପୁରା ପୋଲ୍ ଖୋଲିଛି । ରିପୋର୍ଟ ଅନୁସାରେ ୨୦୨୩ ପରଠୁ ଓଡ଼ିଶାରେ ସିଙ୍ଗଲ ଟିଚର ସ୍କୁଲ ଟ୍ରେଣ୍ଡ୍ ଭୟଙ୍କର ଭାବେ ବଢ଼ି ଚାଲିଛି। ୨୦୨୩-୨୪ରେ ଓଡ଼ିଶାରେ ଜଣେ ଲେଖାଏଁ ଶିକ୍ଷକ ଥିବା ସ୍କୁଲର ସଂଖ୍ୟା ଥିଲା ୧୦୬୫। ୨୦୨୪-୨୫ ଶିକ୍ଷା ବର୍ଷରେ ଏହି ସଂଖ୍ୟା ବଢ଼ିଥିଲା ୧୦୮୯କୁ। କିନ୍ତୁ ୨୦୨୫-୨୬ ଶିକ୍ଷା ବର୍ଷରେ ଏଭଳି ସ୍କୁଲ ସଂଖ୍ୟା ପ୍ରାୟ ୩୪ ପ୍ରତିଶତ ବୃଦ୍ଧି ପାଇଁ ୧୪୫୮ରେ ପହଞ୍ଚିଛି। ଯାହାକି ଅତି ଉଦବେଗଜନକ। ଓଡ଼ିଶାରେ ଏବେ ମୋଟ ୬୧ ହଜାର ୫୯୪ ସ୍କୁଲରେ ପଢୁଥିବା ୭୭ ଲକ୍ଷ ୮୮ ହଜାର ୫୬୭ ପିଲାଙ୍କ ଭିତରୁ ୧୪୫୮ ସ୍କୁଲର ପ୍ରାୟ ୬୦ ହଜାର ପିଲା ଜଣେ ଜଣେ ଶିକ୍ଷକଙ୍କ ଦ୍ବାରା ପାଠ ପଢୁଛନ୍ତି। ଏପଟେ ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାର ଏ ଦୟନୀୟ ଚିତ୍ରକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଶିକ୍ଷାବିତ ଓ ବୁଦ୍ଧିଜୀବୀ।

ଏଣେ ସିଙ୍ଗଲ ଟିଚରରେ ସ୍କୁଲ ଚାଲିବାର ଏ ସ୍ଥିତି କେବଳ ଆମ ରାଜ୍ୟ ନୁହେଁ, ଏ ଟ୍ରେଣ୍ଡ୍ ପୁରା ଦେଶରେ ବଢ଼ିବାରେ ଲାଗିଛି। (UDISI+) ରିପୋର୍ଟ ଅନୁସାରେ ଦେଶରେ ମୋଟ ୧ ଲକ୍ଷ ୮୪୩ ସ୍କୁଲ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି। ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଆନ୍ଧ୍ରପ୍ରଦେଶ। ଏଠି ସିଙ୍ଗଲ ଟିଚରରେ ଚାଲୁଥିବା ସ୍କୁଲ ସଂଖ୍ୟା ୧୬ ହଜାର ୩୫୭। ଏହାପଛକୁ ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।