Odisha Politics Heats Up Over Naveen's Demand: CJP ଆନ୍ଦୋଳନ ନିଆଁକୁ କାହିଁକି ଡେଇଁଲେ ନବୀନ, ରାସ୍ତାରେ ଗର୍ଜିଲେ ଶାସକ-ବିରୋଧୀ
ଦିଲ୍ଲୀରେ ଆନ୍ଦୋଳନ। ଓଡ଼ିଶା ରାଜନୀତିରେ ହଲଚଲ୍। ନବୀନଙ୍କ ଆକ୍ରମଣାତ୍ମକ ମୁଦ୍ରା। ୨୪ ଘଣ୍ଟା ଭିତରେ ଦୁଇ ଦୁଇ ଥର ଦାବି କଲେ ଧର୍ମେନ୍ଦ୍ରଙ୍କ ଇସ୍ତଫା। ଗତକାଲି ଦିଲ୍ଲୀରେ ସିଜେପି ଆନ୍ଦୋଳନକୁ ସମର୍ଥନ ସିଧାସଳଖ ନକରି ଆହତ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ, ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ। ଆଉ ଆଜି ଭୁବନେଶ୍ବର ଫେରି ନବୀନ ସେହି ଦାବି ଦୋହରାଇଛନ୍ତି। ତା ସହିତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ମଧ୍ୟ କହିଛନ୍ତି। ସେହିପରି ରାହୁଲ୍ ଗାନ୍ଧି ଓ ସିନିୟର ଲିଡରମାନଙ୍କୁ ପୋଲିସ୍ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିଛି ତାକୁ ମଧ୍ୟ ନିନ୍ଦା କରିଛନ୍ତି ନବୀନ।
ସେପଟେ ନବୀନଙ୍କ ମନ୍ତବ୍ୟକୁ ବିଜେପି କଡ଼ା ନିନ୍ଦା କରିଛି। ଦିଲ୍ଲୀରେ ଦଳୀୟ ସାଂସଦଙ୍କ ଉପସ୍ଥିତିରେ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ନବୀନଙ୍କ ମନ୍ତବ୍ୟ, ଔଷଧ ବିକଳରେ ତାଟିଆ କାମୁଡ଼ିବା ସଦୃଶ। ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ଉଦ୍ୟମରୁ କ୍ଷାନ୍ତ ହେବା ଉଚିତ। ନବୀନଙ୍କ ମୁଖ୍ୟମନ୍ତ୍ରିତ୍ବରେ ଓଡ଼ିଶାରେ ଅନେକ ପରୀକ୍ଷା ବିଭ୍ରାଟ ହୋଇଛି। ଓଡ଼ିଶା ହାଇକୋର୍ଟ ମଧ୍ୟ ଏହି ଘଟଣାକୁ ନେଇ ଉଦ୍ ବେଗ ଜଣାଇଛନ୍ତି। କିନ୍ତୁ ତାଙ୍କ ସମୟରେ ପରୀକ୍ଷା ବିଭ୍ରାଟରେ ଜଣେ ମନ୍ତ୍ରୀ ବି ଇସ୍ତଫା ଦେଇ ନ ଥିଲେ। ବିଜେଡିର CJPକୁ ସମର୍ଥନ ନୁହେଁ, ଆନ୍ଦୋଳନକୁ ସମର୍ଥନ ହେଉଛି ଚଟୁ ଆମିଷ, ବେଣ୍ଟ ନିରାମିଶ ଭଳି।
ଏଠି ପ୍ରଶ୍ନ ନବୀନ ହଠାତ କାହିଁକି ଖଡ୍ଗହସ୍ତ ହେଲେ? କେଉଁ ଉଦ୍ଦେଶ୍ୟ ରଖି ଏଭଳି ଆଭିମୁଖ୍ୟ ରଖିଲା ବିଜେଡି? ନବୀନ ଚାହୁଁଛନ୍ତି କି କେନ୍ଦ୍ର ସରକାର ବିରୋଧରେ କଡା ଆଭିମୁଖ୍ୟ ବାର୍ତ୍ତା ଦେଇ ଦଳ ଭିତର ବିଦ୍ରୋହକୁ ପ୍ରଶମିତ କରିବାକୁ? ସମଦୂରତା ନୀତି କଥା କହୁଥିବା ନବୀନ ଏବେ କଣ ଇଣ୍ଡି ମେଣ୍ଟ ଆଡକୁ ଢଳୁଛନ୍ତି କି? ବିଜେଡି ଲୋକସଭାରେ ଖାତା ଖୋଲି ପାରିନାହିଁ। ରାଜ୍ୟସଭା ସାଂସଦ ସଂଖ୍ୟା ବି ଛିଡି ଛିଡି ଯାଉଛି। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ୮ ବିଧାୟକ ତାଙ୍କ କଥାରେ ନଯାଇ ବିଜେପି ଲାଇନ୍ ରେ ଯାଇଥିଲେ। ତାର ପ୍ରତିଶୋଧ ଓ ଜାତୀୟ ରାଜନୀତିରେ ବିଜେଡି ଅସ୍ତିତ୍ବ ବଞ୍ଚାଇବାକୁ ନବୀନଙ୍କ ଇଏ ଷ୍ଟ୍ରାଟେଜି ନୁହେଁ ତ?
ସେପଟେ ଦିଲ୍ଲୀ ଯନ୍ତରମନ୍ତର ସିଜେପି ଆନ୍ଦୋଳନର ପ୍ରଭାବ ଓଡିଶାରେ ବି ଦେଖିବାକୁ ମିଳିଛି। ବିଜୁ ଯୁବ ଛାତ୍ର ଜନତା ଦଳ, କଂଗ୍ରେସ, ଏଆଇଡିଏସ୍ଓ ପକ୍ଷରୁ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେପଟେ ବିଜେପି ନେତା ମଧ୍ୟ ନବୀନଙ୍କ କୁଶପୁତ୍ତଳିକା ଦାହ କରି କାଉଣ୍ଟର ଆଟାକ୍ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।