Odisha Police Faces Manpower Shortage: ପୋଲିସ ବିଭାଗରେ ବଢୁଛି କି ଚାପ ? ଖାଲି ପଡ଼ିଛି ୨୬ ହଜାର ପୋଲିସ୍ ପଦବୀ
ପୋଲିସ ବିଭାଗରେ ବଢୁଛି କି ଚାପ ? ଥାନା ଅଧିକାରୀଙ୍କ ଭିତରେ ସୃଷ୍ଟି ହେଉଛି କି ମାନସିକ ଅବସାଦ ? ରେଷ୍ଟଲେସ କାମ ପାଇଁ ପୋଲିସ ଅଫିସରଙ୍କର ବଢ଼ି ଯାଉଛି କି ରକ୍ତଚାପ ? ଏହାକୁ ନେଇ ପୋଲିସ ଡିଜି ରଖିଛନ୍ତି ବଡ଼ ବୟାନ। କହିଛନ୍ତି, ରାଜ୍ୟରେ ଏବେ ଖାଲି ପଡିଛି ୨୬ ହଜାର ପୋଲିସ୍ ପଦବି।
ରାଜ୍ୟର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠୁଛି। ପୋଲିସ ଠାରୁ ଲୋକଙ୍କ ଆଶା ବଢୁଛି। ହେଲେ ଏହି ସମୟରେ ରାଜ୍ୟ ପୋଲିସର ବିକଳ ଚିତ୍ର। କେଉଁଠି ଥାନା ବାବୁ ନାହାନ୍ତି ତ ଆଉ କେଉଁଠି ଥାନାରେ ନାହାନ୍ତି ଆବଶ୍ୟକୟ ଷ୍ଟାଫ୍, ତେଣୁ ଠିକରେ ହୋଇପାରୁନି କାମ। କଟକ ଗ୍ରାମାଞ୍ଚଳ ଏସପିଙ୍କ ଅଧୀନରେ ଆସୁଥିବା ଆଠଗଡ଼, ବଡମ୍ବା, ନରସିଂହପୁର ଏବଂ ମାଣିଆବନ୍ଧ ଥାନାରେ ଥାନା ବାବୁ ଅଛନ୍ତି, ହେଲେ ଯଦି କିଛି କାମରେ ସେ ଫିଲ୍ଡ ଡ୍ୟୁଟିକୁ ବାହାରିଗଲେ ତେବେ ଥାନା ଜଗିବା ପାଇଁ ମଧ୍ୟ କେହି ଷ୍ଟାଫ ନାହାନ୍ତି। ଆଇଆଇସିଙ୍କ ସହ ଏଠାରେ ୩ ଏସଆଇ ରହିବା କଥା, ହେଲେ ଦୀର୍ଘଦିନ ଧରି ସବୁ ଏସଆଇ ପଦବି ଖାଲି। ଥାନା ବାବୁ, ୨ ଜଣ ଏଏସଆଇ ଓ ୪ ଜଣ କନଷ୍ଟେବଳଙ୍କୁ ନେଇ ଚଳାଉଛନ୍ତି ଥାନା।
ସେହିପରି ଆଇଆଇସିଙ୍କ ସହ ଜଣେ ଏସଆଇ, ୩ ଜଣ ଏଏସଆଇ ଓ ୬ ଜଣ କନଷ୍ଟେବଳଙ୍କୁ ନେଇ ଚାଲିଛି ବଡ଼ମ୍ବା ଥାନା। ଆନ୍ତଃଜିଲ୍ଲା ନିଶା ଚୋରା ଚାଲାଣ ଓ ଜଙ୍ଗଲଜାତ ଦ୍ରବ୍ୟ ଚୋରା ଚାଲାଣ ରୁଟ୍ ହେଉଛି ନରସିଂହପୁର ଥାନା ଅଞ୍ଚଳ। ହେଲେ ଏଠାରେ ଥାନାର ବିକଳ ଚିତ୍ର ଦେଖିଲେ ପୋଲିସ କିଭଳି କାମ କରୁଛି ତାହା ଜଳ ଜଳ ହୋଇ ଦେଖା ଯାଉଛି। ନରସିଂହପୁର ଥାନାରେ ଆଇଆଇସି ଥିବା ବେଳେ ଜଣେ ହେଲେ ଏସଆଇ ନାହାନ୍ତି। ୫ ଜଣ ଏଏସଆଇ ବଦଳରେ ଅଛନ୍ତି ୨ ଜଣ। କେହିହେଲେ ହାବିଲଦାର ନଥିିବା ବେଳେ ୮ ଜଣ କନଷ୍ଟେବଳଙ୍କ ସ୍ଥାନରେ ଅଛନ୍ତି ମାତ୍ର ୫ ଜଣ।
ଖାଲି କଟକ ଗ୍ରାମାଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ଥାନାର ଅଳ୍ପ ବହୁତ ଏଭଳି ଅବସ୍ଥା। କେଉଁଠି ଥାନା ବାବୁ ଥିଲେ ଅନ୍ୟ ଷ୍ଟାଫ ନାହାଁନ୍ତି ତ ଆଉ କେଉଁଠି ଜଣେ ଆଇଆଇସିଙ୍କୁ ଏକାଧିକ ଥାନା ଚଳାଇବା ପାଇଁ ପଡୁଛି। ଯେଉଁଥି ପାଇଁ ପୋଲିସ୍ ଉପରେ ଚାପ ବଢୁଥିବା କୁହାଯାଉଛି। ପୋଲିସ ବିଭାଗରେ ରୋଷ୍ଟର ଡ୍ୟୁଟି ଲାଗୁ କରିବା ପାଇଁ ଅନେକ ଦିନରୁ ଦାବି ହେଉଥିବା ବେଳେ ଏହା ଏବେ ସ୍ବପ୍ନ। ପୋଲିସ ଡିଜି କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୋଲିସ ବହୁତ କମ ମାନବ ସମ୍ବଳରେ କାମ କରୁଛି। ଲୋକ ସଂଖ୍ୟା ତୁଳନାରେ ପୋଲିସ ସଂଖ୍ୟା ବହୁତ କମ୍ ଅଛନ୍ତି। ରାଜ୍ୟରେ ଏବେ ପୋଲିସର ୨୬ ହଜାର ବିଭିନ୍ନ ପଦବୀ ଖାଲି ପଡିଛି। ତେବେ ଆଗାମୀ ଦିନରେ ଏହି ପଦବି ପୂରଣ ହେଲେ ରାଜ୍ୟ ପୋଲିସ୍ ବେଶ୍ ସଶକ୍ତ ହୋଇପାରିବ ବୋଲି କହିଛନ୍ତି ପୋଲିସ ଡିଜି।
ଅପରାଧ ନିୟନ୍ତ୍ରଣ, ତଦନ୍ତ, ଭିଆଇପି ଡ୍ୟୁଟି, ପର୍ବପର୍ବାଣୀ ଡ୍ୟୁଟି ସହ ଦୈନନ୍ଦିନ ଆଇନଶୃଙ୍ଖଳା, ସବୁ କିଛି ପୋଲିସ କର୍ମଚାରୀଙ୍କ କାନ୍ଧରେ। ବିଶେଷଜ୍ଞଙ୍କ କହିବା କଥା, ପୋଲିସ ବିଭାଗରେ ମାନବ ସମ୍ବଳ ଅଭାବ କେବଳ କାର୍ଯ୍ୟଚାପ ବଢ଼ାଏ ନାହିଁ, ବରଂ ଅଧିକାରୀଙ୍କ ମାନସିକ ସ୍ୱାସ୍ଥ୍ୟ, ନିଷ୍ପତ୍ତି ନେବା କ୍ଷମତା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ସିଧା ପ୍ରଭାବ ପକାଏ।
ବିଭିନ୍ନ କାରଣ ପାଇଁ ପୂରଣ ହୋଇପାରୁ ନାହିଁ ଖାଲି ପଡ଼ିଥିବା ପୋଲିସ ପଦବି। ଦୀର୍ଘ ଦୁଇବର୍ଷ ହେବ ପ୍ରକାଶ ପାଇଥିବା ୯୩୩ ପୋଲିସ ଏସଆଇ ପଦବି ସହ ମୋଟ ୭ ହଜାର ୬୬୪ପଦବୀରେ ହୋଇପାରୁନାହିଁ ନିଯୁକ୍ତି ପ୍ରକ୍ରିୟା। ନୂତନ କରି ଗଠନ ହୋଇଥିବା OUSSSC ଜରିଆରେ ଖୁବଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି ସମସ୍ତଙ୍କ ଆଶା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।