28 JUNE 2026

Welcome!

Unlock your personalized experience.
Sign Up

Odisha Liquor license: ‘ଉତ୍ତର ଭାରତ ଲିକର୍‌ ସିଣ୍ଡିକେଟ୍‌’ ହାତରେ ଓଡ଼ିଶାର ମଦ ଲାଇସେନ୍ସ, ଅଧାରୁ ଛାଡ଼ିଲେ କୋଟିକୋଟି ଟଙ୍କା ବୁଡ଼ିବ!

Jun 28, 2026 - 09:33
Odisha Liquor license: ‘ଉତ୍ତର ଭାରତ ଲିକର୍‌ ସିଣ୍ଡିକେଟ୍‌’ ହାତରେ ଓଡ଼ିଶାର ମଦ ଲାଇସେନ୍ସ, ଅଧାରୁ ଛାଡ଼ିଲେ କୋଟିକୋଟି ଟଙ୍କା ବୁଡ଼ିବ!

କଟକ,୨୮/୬(ଗୋପାଳ ସ୍ୱାଇଁ): ରାଜ୍ୟରଅଧିକାଂଶ ଠିପିବନ୍ଦ ବିଦେଶୀ ମଦ ଦୋକାନର ଲାଇସେନ୍ସ ଏଥର ଅଣଓଡ଼ିଆ ବ୍ୟବସାୟୀହାତେଇଛନ୍ତି । ଏହା ପଛରେ ରହିଛନ୍ତି ‘ଉତ୍ତରଭାରତର ଲିକର୍’ ସିଣ୍ଡିକେଟ୍ । କେବଳ ବିହାରୀ ବ୍ୟବସାୟୀ ନୁହନ୍ତି, ଛତିଶଗଡ଼ ଓ ଉତ୍ତରପ୍ରଦେଶର ଅନେକ ମଦ ବ୍ୟବସାୟୀ ବି ରାଜ୍ୟ ସରକାରଙ୍କ ଅବକାରୀ ନିୟମର ଗଳାବାଟର ଫାଇଦା ଉଠାଇ ଓଡ଼ିଶାରେ ଏଥର ମଦ ଦୋକାନ ଲାଇସେନ୍ସ ହାତେଇଛନ୍ତି ।

ଉଦ୍‌ବେଗର କଥା ହେଉଛି, ରାଜ୍ୟର ଅଧାମଦ ଦୋକାନର ଲାଇସେନ୍ସ ସରକାର ନାମକୁ ମାତ୍ରକିଛି କାଗଜପତ୍ର ଜରିଆରେ ‘ଉତ୍ତର ଭାରତ ଲିକର୍ସିଣ୍ଡିକେଟ୍’ ହାତକୁ ଟେକି ଦେଇଥିବା ବ୍ୟବସାୟୀ ମହଲରେ ଅଭିଯୋଗ ହେଉଛି । ଯଦି ରାଜ୍ୟ ବାହାରର ଏହି ବ୍ୟବସାୟୀ ହଠାତ୍ ବେପାର ଛାଡ଼ି ପଳାଇଲେ ତାହେଲେ, ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇବାର ଆଶଙ୍କା ରହିଛି ।

ଖାଲି ସେତିକି ନୁହେଁ ସରକାରୀ ନିଷ୍ପତ୍ତିକୁ ଏଭଳି ଦୁର୍ବଳ କରାଯାଇଛି ଯେ, କ୍ଷତି ଭରଣା ପାଇଁ ସରକାର ଚାହିଁଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ।ଅର୍ଥାତ୍ କୌଣସି କାରଣରୁ ଦୋକାନ ଛାଡ଼ି ଦେଉଥିବା ଏହି ବ୍ୟବସାୟୀଙ୍କର ଓଡ଼ିଶା ସରକାର କିଛି ବି କରିପାରିବେନି । ଏହା ମଦ ବ୍ୟବସାୟର ସବୁ ଦିଗ ବୁଝୁଥିବା ଅନେକ ବ୍ୟକ୍ତିଙ୍କ ମତ ।

ଗତ ଜୁନ୍ ୨ ତାରିଖରେ ରାଜ୍ୟର ୩୨ଟି ଅବକାରୀ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଟେରୀ ଜରିଆରେ ୯୬୦ଟି ଠିପିବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ନାଁ ଉଠାଣ କରାଗଲା । ଲଟେରୀ ଉଠାଣ ପରେ ଜଣାପଡ଼ିଲା ପ୍ରାୟ ୫୦ ପ୍ରତିଶତ ମଦ ଦୋକାନ ‘ବିହାରୀ’ ବା ଉତ୍ତରଭାରତୀୟ ମଦ ବ୍ୟବସାୟୀ ନେଇଛନ୍ତି । ତେବେ ଏହି ମଦ ବ୍ୟବସାୟୀଙ୍କ ପଛରେ ଉତ୍ତର ଭାରତରଲିକର ସିଣ୍ଡିକେଟ୍ ଥିବା ଏବେ ପଦାକୁ ଆସିଛି । ବିହାର, ଛତିଶଗଡ଼ ଓ ଉତ୍ତରପ୍ରଦେଶର ମଦ ବ୍ୟବସାୟୀମାନେ ଏହି ସିଣ୍ଡିକେଟ୍କୁ ନିୟନ୍ତ୍ରଣ କରୁଛନ୍ତି । ବିହାରରେ ମଦ ବନ୍ଦ ପରେ ସେଠାକାର ବ୍ୟବସାୟୀଙ୍କ ବେପାର ବୁଡ଼ିଯାଇଥିଲା।

ସେହିପରି ଛତିଶଗଡ଼ରେ ମଧ୍ୟ ସମାନ ସ୍ଥିତି । ସେଠାରେ କିଛି ବର୍ଷ ହେବ ମଦ ବେପାର ସରକାର ନିଜେ କରୁଛନ୍ତି । ତେଣୁ ଏହି ଦୁଇ ରାଜ୍ୟରମଦ ବେପାରୀଙ୍କ ହାତ ଖାଲି ।ଓଡ଼ିଶାରେ ନୂଆ ଲାଇସେନ୍ସ ଆବଣ୍ଟନ ବିଷୟ ଜାଣିବା ପରେ ସିଣ୍ଡିକେଟ୍ ଓଡ଼ିଶା ମୁହାଁ ହେଲା । ଏଣେ ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ସୁଯୋଗ ଦେବା ପାଇଁ ସରକାର ମଧ୍ୟ ଗଳାବାଟ ଖୋଲିଦେଲେ । ପୂର୍ବରୁ ଓଡ଼ିଶାର ବାସିନ୍ଦା ଲାଇସେନ୍ସ ପାଉଥିଲେ । ସେମାନଙ୍କଠାରୁ ସରକାର ‘ସଲ୍‌ଭେନ୍ସି ପ୍ରମାଣପତ୍ର’ ବା ସମ୍ପତ୍ତିର ପ୍ରକୃତ ତଥ୍ୟ ବୁଝି ଜାଣି ଲାଇସେନ୍ସ ଦେଉଥିଲେ । ଯଦି କେହି ଲାଇସେନ୍ସଧାରୀ ହଠାତ୍ ବେପାର ଛାଡ଼ୁଥିଲେ ସରକାର ତା’ ବିରୋଧରେ କେସ୍ କରୁଥିଲେ । ଉକ୍ତ କେସ୍ ବଳରେ ବ୍ୟବସାୟୀଙ୍କ ସମ୍ପତ୍ତି ମଧ୍ୟ ରାଜସ୍ୱ ଭରଣା ବାବଦରେ ସରକାରଙ୍କ ପାଖକୁ ଆସୁଥିଲା । ରାଜ୍ୟର ବାସିନ୍ଦା ହୋଇଥିବାରୁ ସବୁକିଛି ସରକାରଙ୍କ ନିୟନ୍ତ୍ରଣରେ ରହୁଥିଲା । ମାତ୍ର ଏବେ ଲାଇସେନ୍ସ ଦେବା ବେଳେ ଆଧାର କାର୍ଡ, ପ୍ୟାନ୍‌କାର୍ଡ ଓ ଅପରାଧ ନଥିବା ନେଇ ଏକ ସତ୍ୟପାଠ ରଖାଯାଉଛି ।

ଏଥିସହ ସଲଭେନ୍ସି ବଦଳରେ ୧୦ ଲକ୍ଷ ଟଙ୍କାର ବଣ୍ଡ୍ ରଖାଯାଇଛି । ବିଭିନ୍ନ ଦୋକାନୀଙ୍କ ଉପରେ ସରକାର ଏମ୍‌ଜିଆର୍ ବା ମିନିମମ୍ ଗ୍ୟାରେଣ୍ଟେଡ୍ ରେଭିନ୍ୟୁ ସ୍ଥିର କରିଛନ୍ତି । ଅର୍ଥାତ୍ ଜଣେ ମଦ ଦୋକାନୀ ମାସକୁ ନିର୍ଦ୍ଦିଷ୍ଟ ଟଙ୍କାର ମଦ ବିକ୍ରି କରିବାକୁ ବାଧ୍ୟ । ଉଦାହରଣ ଭାବେ କଟକ ସହରର ଏକ ମଦ ଦୋକାନକୁ ମାସକୁ ୧୫ ଲକ୍ଷ ଟଙ୍କାର ମଦ ବିକ୍ରି କରିବାକୁ ଟାର୍ଗେଟ୍ ବା ‘ଏମ୍‌ଜିଆର୍’ ଦିଆଯାଇଛି । ଅର୍ଥାତ୍ ସେ ବର୍ଷକୁ ୧ କୋଟି ୮୦ ଲକ୍ଷ ଟଙ୍କାର ମଦ ବିକିବେ । ଯଦି ସେ ବ୍ୟବସାୟୀ ୫ ବର୍ଷିଆ ଲାଇସେନ୍ସ ନେଇ ବର୍ଷେ ବେପାର କରି ଛାଡ଼ି ପଳାନ୍ତି ତାହେଲେ ବଳକା ୪ ବର୍ଷ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କାର ମଦ ବ୍ୟବସାୟ ହୋଇପାରିବ ନାହିଁ । ଖାଲି ମଦ ବ୍ୟବସାୟ ନୁହେଁ ଏଥିରୁ ମିଳିବାକୁ ଥିବା ବିପୁଳ ଟଙ୍କାର ଟିକସ ମଧ୍ୟ ସରକାର ପାଇବେ ନାହିଁ । କିନ୍ତୁ ବର୍ତ୍ତମାନ ବ୍ୟବସ୍ଥାରେ ଯେଉଁ ଲାଇସେନ୍ସ ଦିଆଯାଇଛି ସେଥିରେ ସରକାର ଏତେ ଟଙ୍କାର ରାଜସ୍ୱ ଭରଣା କରିବା ପାଇଁ ସେଭଳି କଡ଼ା ନିୟମ କିଛି ମଧ୍ୟ କରିନାହାନ୍ତି । କେବଳ ଲାଇସେନ୍ସ ନେବା ବେଳେ ଏକ ସର୍ବନିମ୍ନ ଟଙ୍କା ଗ୍ୟାରେଣ୍ଟି ଅର୍ଥ ଭାବେ ରଖାଯାଉଛି । ଏହାର ପରିମାଣ ମାତ୍ର ୫ରୁ ୬ ଲକ୍ଷ ଟଙ୍କା ମଧ୍ୟରେ ହେବ । କୋଟି କୋଟି ଟଙ୍କାର ରାଜସ୍ୱକୁ ମାତ୍ର ୫ରୁ ୬ ଲକ୍ଷ ଟଙ୍କାରେ ଭରଣା କରିବା ସମୁଦ୍ରକୁ ଶଂଖେ ଭଳି । ନିୟମ କହୁଛି ଯଦି କେହି ଲାଇସେନ୍ସ ନେଇ ଅଧାରୁ ଛାଡ଼ି ପଳାନ୍ତି ତାହେଲେ ଜିଲ୍ଲାପାଳ ତାଙ୍କ ନାଁରେ ମାମଲା କରିଥାନ୍ତି ।

ଏବେ ରାଜ୍ୟ ବାହାର ବ୍ୟବସାୟୀ ବେପାର ଅଧାରୁ ଛାଡ଼ିଗଲେ ଓଡ଼ିଶା ସରକାର ଉକ୍ତ ରାଜ୍ୟର ତଥା ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଲେଖି କେସ୍ କରିବା ପାଇଁ କହିବେ । ତାହାକୁ ସେଠାକାର ଜିଲ୍ଲାପାଳ କେତେ ଗୁରୁତ୍ୱ ଦେବେ, ମାମଲା କରିବେ କି ନାହିଁ, ଯଦି କଲେ ତାହାର ପରିଚାଳନା ଓ ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ପ୍ରଶ୍ନବାଚୀ । ମୋଟାମୋଟି ଭାବେ ଲାଇସେନ୍ସ ନେଇ ଅଧାରୁ ଛାଡ଼ି ଚାଲିଗଲେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେବାଟା ଏକପ୍ରକାର ନିଶ୍ଚିତ ଜଣାପଡୁଛି । ଓଡ଼ିଶାରେ ଦୀର୍ଘ ବର୍ଷ ହେବ ମଦ ବ୍ୟବସାୟରେ ଜଡ଼ିତ ଥିବା ଶଙ୍କରପୁର ଅଞ୍ଚଳର ଶୁଭେନ୍ଦୁ ଖୁଣ୍ଟିଆ କହିଛନ୍ତି ଯେ, ରାଜ୍ୟ ବାହାରର ବ୍ୟବସାୟୀଙ୍କୁ ସୁଯୋଗ ଦେବାରୁ ରାଜ୍ୟର ବେପାରୀ ଏଥର ହତାଶ ହେଲେ । ଏଭଳି ନିଷ୍ପତ୍ତି ସରକାରଙ୍କୁ ମଧ୍ୟ ଅଡ଼ୁଆରେ ପକାଇବ ।

ଅଧିକ ପଢ଼ନ୍ତୁ :- Bus Fire: ଜାତୀୟ ରାଜପଥରେ ଯାତ୍ରୀବାହୀ ବସ୍ରେ ଭୟଙ୍କର ନିଆଁ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଓଡ଼ିଶାରେ ମଦ ବ୍ୟବସାୟର କୌଶଳ ବାହାର ଲୋକଙ୍କୁ ଜଣା ନାହିିଁ । ତେଣୁ ସେମାନେ ଅଧାରୁ ବେପାର ଛାଡ଼ି ଯିବା ଆଶଙ୍କା ଅଧିକ । ଯେଉଁ ନିୟମ ସରକାର କରିଛନ୍ତି ସେଥିରେ ରାଜସ୍ୱ ହାନି ଭରଣା କରିବା ଅସମ୍ଭବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି । ତେବେ ଏହି ପ୍ରସଙ୍ଗ ନେଇ ରାଜ୍ୟ ଅବକାରୀ ଯୁଗ୍ମ କମିସନର ଡମ୍ବରୁଧର ଖଣ୍ଡା ଭିନ୍ନ ମତ ଦେଇଛନ୍ତି । ସେ କହିଛନ୍ତି, ମଦ ଲାଇସେନ୍ସ ଆବଣ୍ଟନ ପ୍ରକ୍ରିୟା ଅନ୍‌ଲାଇନ୍ କରିବାକୁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ଏହା ଏକପ୍ରକାର ଗ୍ଲୋବାଲ୍ ଲଟେରୀ ଭଳି ହୋଇଛି । ତେବେ ଯେଉଁ ରାଜସ୍ୱ କ୍ଷତି ହେବା କଥା କୁହାଯାଉଛି ତାହା ଶତପ୍ରତିଶତ ସତ୍ୟ ନୁହେଁ । ରାଜସ୍ୱ କ୍ଷତି ଭରଣାରେ ସମୟ ଲାଗିପାରେ । ମାତ୍ର ସରକାର ରାଜସ୍ୱ ଫେରାଇବାର ଆଇନଗତ ବାଟ ଖୋଲା ରଖିଛନ୍ତି ବୋଲି ଶ୍ରୀ ଖଣ୍ଡା କହିଛନ୍ତି ।