Odisha Grapples With Heavy Rainfall: ରାଜ୍ୟରେ ଲଗାଣ ବର୍ଷାରେ ବେହାଲ ସ୍ଥିତି, ସବୁଆଡେ ଜଳ ପ୍ରଳୟର ଚିତ୍ର
ତିନି ଦିନର ଲଗାଣ ବର୍ଷା, ବେହାଲ୍ ସାରା ରାଜ୍ୟ। ବିଭିନ୍ନ ଅଞ୍ଚଳରୁ ଆସୁଛି ଜଳ ପ୍ରଳୟର ଚିତ୍ର। କେଉଁଠି ଘର ଜଳବନ୍ଦୀ...କେଉଁଠି ରାସ୍ତା ନଦୀ ପାଲଟିଛି। ପୁଣି ବ୍ରିଜ୍ ଉପରେ ପାଣି ତ ଆଉ କେଉଁଠି ଏକାଧିକ ପରିବାର ପାଣି ଘେରରେ। କଟକରୁ ଭଦ୍ରକ...ବାଲେଶ୍ୱରରୁ ସୁବର୍ଣ୍ଣପୁର...ବଲାଙ୍ଗୀରରୁ ଜଗତସିଂହପୁର। ଏପରିକି ରାଜଧାନୀ ଭୁବନେଶ୍ୱର ବି ଏହି ବର୍ଷା ମାଡ଼ରୁ ବାଦ୍ ପଡ଼ିନି। ଘର, ରାସ୍ତାଘାଟ ହେଉ କି ମନ୍ଦିର...ସବୁଠି ଖାଲି ପାଣି ଆଉ ପାଣି।
ଘରେ ପାଣି.. ବାହାରେ ବି ପାଣି। ବାସନ କୁସନ ବୁଡିଛି, ବୁଡିଛି ନଳକୂଅ। ଗୁହାଳରେ ଗାଇଗୋରୁ ବି ପାଣି ଘେରରେ। ଦୁଇ ଦିନର ଲଗାଣ ବର୍ଷାରେ ଜଳବନ୍ଦୀ ଜନଜୀବନ। କଟକ ଜିଲ୍ଲା ନିଆଳି ବ୍ଲକ୍ କାନପୁରରେ ଜଳବନ୍ଦୀ ୨୦ରୁ ଅଧିକ ପରିବାର। ଅବିଶ୍ରାନ୍ତ ବର୍ଷା ବେହାଲ କରିଦେଇଛି। ଘର ଚାରିପଟେ ପାଣି ଘେରି ରହିଥିବାରୁ ବାହାରିବା ମୁସ୍କିଲ।
ପ୍ରଥମ ବନ୍ୟାଜଳ ନଛାଡୁନୁ ଭଦ୍ରକ ବାସୁଦେବପୁରର କାଂଶବାଂଶ ଏବଂ ଗମେଇ ନଦୀରେ ମାଡି ଆସିଛି ଦ୍ବିତୀୟ ବନ୍ୟା। ଶହ ଶହ ହେକ୍ଟର ଚାଷ ଜମିରେ ଲହଡି ମାରୁଛି ୧୦ ଫୁଟର ପାଣି। ବରନ୍ତୁଆ ଓ ସୁଦର୍ଶନପୁର ପଂଚାୟତରେ ୬ଟି ପରିବାର ପାଣି ଘେରରେ ଥିବା ବେଳେ ଧୋଇ ଯାଇଛି ବ୍ୟାପକ ଧାନ ଫସଲ। ସେପଟେ ବନ୍ୟା ଜଳ ଆସି ଫୁଲିବାରେ ଲାଗିଛି ଜିଲ୍ଲାର କପାଳୀ ନଦୀ। ଫଳରେ ବନ୍ତ ବ୍ଲକର ୭ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ରାମଚନ୍ଦ୍ରପୁର ପଞ୍ଚାୟତ ମୁଖ୍ୟ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଠପେ ହୋଇଯାଇଛି ଯାତାୟତ। ସେହିପରି ଟିଲୋ ପଞ୍ଚାୟତର ପୋଡ଼ପାଟଣା, ଶାଳକଣିଆଁ ଓ ଶାସନ ଗାଁ ଗୁଡ଼ିକ ଅଧିକ ପ୍ରଭାବିତ ହେବା ଭୟ ରହିଛି।
ସେହିପରି ପାଣି ଘେରରେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତର ଅନେକ ଗାଁ। ୫ ଦିନ ହେବ ଗାଁରେ ପାଣି ପଶିଛି, ଆଣ୍ଠୁଏ ପାଣିରେ ବୁଡି ରହିଛି ରାସ୍ତା ଘାଟ। ଯୋଗାଯୋଗ ବିଛିନ୍ନ ହୋଇ ରହିଛି l
ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲାରେ ବୁଡ଼ିଛି ବ୍ରିଜ, ବନ୍ଦ ରହିଛି ଯାତାୟାତ I ସହରର ଗୁଲାପଡା ତଳି ବ୍ରିଜ ଉପରେ ଚାଲିଛି ୨ ଫୁଟର ପାଣି। ଫଳରେ ବିନିକାରୁ ଗୁଲାପଡା, ଝରାପଡା ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି I ସେହିପରି ବୀରମହାରାଜପୁର-ଆମରପାଲି ରାସ୍ତା ଘୁଙ୍ଗୀ ନାଳ ସେତୁ ଉପରେ ପ୍ରବାହିତ ହେଉଛି ୪ ଫୁଟର ପାଣି। ଫଳରେ ସମ୍ବଲପୁର, ରେଢ଼ାଖୋଲ, ଚାରମାଳ ସହ ବୀରମହାରାଜପୁର ବ୍ଲକର ଦୁର୍ଜନତଇଲା, ବହଳପଦର, ଲୁତୁରପଙ୍କ ଭଳି ତିନୋଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l
ବଲାଙ୍ଗୀରରେ ପାଣି ଭିତରେ ଫସିଛି ଟ୍ରାକ୍ଟର ଓ ପିକଅପ୍। ଆଗଲପୁର ବ୍ଲକ୍ ସାଲେଭଟା-ସୋନପୁର ରାସ୍ତାର ମୁର୍ଷୁଣ୍ଡ ଠାରେ ରେଲୱେ ଅଣ୍ଡର ବ୍ରିଜରେ ଭର୍ତି ହୋଇରହିଛି ପାଣି | ଫଳରେ ଘଣ୍ଟା ଘଣ୍ଟା ଧରି ବନ୍ଦ ରହିଛି ଗାଡି ଚଳାଚଳ |.. ସେପଟେ ଛଡାହୋଇଛି ସୁକତେଲ ଡ୍ୟାମର ପ୍ରଥମ ବନ୍ୟାଜଳ। ଉପରମୁଣ୍ଡରେ ଜଳସ୍ତର ବଢ଼ୁଥିବାରୁ ତିନୋଟି ଗେଟ୍ ଖୋଲାଯାଇ ପାଣି ନିଷ୍କାସନ କରାଯାଉଛି |
ଜଗତସିଂହପୁରରେ ମହାନଦୀରେ ବୃଦ୍ଧି ପାଇଛି ବନ୍ୟା ଜଳ। ଫଳରେ ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ୬ରୁ ଅଧିକ ଗାଁ ଜଳବନ୍ଦୀ। କୋଟକଣା, ମଣିଜଙ୍ଗା, ତିର୍ତ୍ତୋଲ ଆଦିବାସୀ ସାହି ଓ ହରିପୁର ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ୨ଶହରୁ ଅଧିକ ପରିବାର ପ୍ରଭାବିତ ହୋଇଥିବା ବେଳେ ଆସନ୍ତାକାଲି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି।
ତିନି ଦିନର ଲଗାଣ ବର୍ଷାରେ ରାଜଧାନୀ ବି ବେହାଲ। ଘରେ ପାଣି, ମନ୍ଦିରରେ ପାଣି, ରାସ୍ତାରେ ପାଣି। ବମିଖାଲ ସକଳେଶ୍ବର ମନ୍ଦିର ଗର୍ଭଗୃହରେ ପାଣି ପଶିଥିବା ବେଳେ ସେଥିରେ ବୁଡି ରହିଛନ୍ତି ମହାଦେବ। ଟଙ୍କପାଣି ସୁଶାନ୍ତ ବିହାର ଅଞ୍ଚଳରେ ବି ଲୋକେ ଗୃହ ବନ୍ଦୀ। ଘର ଚାରିପଟେ ପାଣି ଘେରି ରହିଥିବାରୁ ସାପ, ବେଙ୍ଗ ପଶୁଛନ୍ତି। ଏସବୁ ଭିତରେ ଲୋକଙ୍କ ଚିନ୍ତା ବଢାଇଛି ପାଣିପାଗ ବିଭାଗର ଆହୁରି ଦୁଇ ଦିନର ବର୍ଷା ଆକଳନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।