Odisha Extends Mid-Day Meals: ନବମ, ଦଶମ ପିଲାଙ୍କୁ ମିଳିବ ମିଡ୍ ଡେ' ମିଲ୍; ନୂଆ ନିଷ୍ପତ୍ତି କମାଇବ କି ଡ୍ରପ୍ ଆଉଟ୍…

Jul 03, 2026 - 20:03
Odisha Extends Mid-Day Meals: ନବମ, ଦଶମ ପିଲାଙ୍କୁ ମିଳିବ ମିଡ୍ ଡେ' ମିଲ୍; ନୂଆ ନିଷ୍ପତ୍ତି କମାଇବ କି ଡ୍ରପ୍ ଆଉଟ୍…

ଭୋକିଲା ପେଟରେ ନୁହେଁ, ଏବେ ସ୍କୁଲରେ ଖାଇ ମନ ଖୁସିରେ ପାଠ ପଢିବେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ ପରେ ଏବେ ସ୍କୁଲରେ ବଢ଼ିଛି ଉପସ୍ଥାନ। ଆଶା ଜାଗିଛି ଆଗକୁ କମିବ ଡ୍ରପ୍ ଆଉଟ୍ ହାର। ପୂର୍ବରୁ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଡ୍ ଡେ ମିଲ୍ ସୁଯୋଗ ଥିଲା। ବର୍ତ୍ତମାନ ସମସ୍ତ ପିଲା ଏହାର ସୁଯୋଗ ପାଇବେ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ସ୍ବାଗତ କରିଛନ୍ତି। ଏହା ଛାତ୍ରଛାତ୍ରୀଙ୍କୁ ସ୍କୁଲମୁଖୀ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ବୋଲି ଶିକ୍ଷାବିତ୍ ମତ ଦେଉଛନ୍ତି। 

କେବଳ ପ୍ରଥମରୁ ଅଷ୍ଟମ ନୁହେଁ, ଏଣିକି ନବମ, ଦଶମ ଶ୍ରେଣୀ ପିଲାଙ୍କୁ ବି ମିଳିବ ମିଡ୍ ଡେ ମିଲ୍ । ସ୍କୁଲରେ ଡ୍ରପ୍ ଆଉଟ୍ ହ୍ରାସ କରିବାକୁ ଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ସଂସ୍କାର । ରାଜ୍ୟର ସବୁ ସରକାରୀ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ମିଡ୍ ଡେ ମିଲ୍ ମିଳୁଥିଲା। ଆଗାମୀ ୫ ବର୍ଷ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ। ପ୍ରାୟ ୫୭ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ। 

ଏଥିପାଇଁ ଆଗାମୀ ୫ ବର୍ଷରେ ୪ ହଜାର ୨ଶହ ୨୪ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ଏହି ଯୋଜନା ଲାଗୁ ପରେ ସବୁ ସ୍କୁଲରେ ଖୁସିର ମାହୋଲ। ପୂର୍ବରୁ ଦୂର ଦୂରାନ୍ତରୁ ଟିଫିନ ଧରି ସ୍କୁଲ ଆସୁଥିଲେ ଛାତ୍ରଛାତ୍ରୀ। କିନ୍ତୁ କୌଣସି କାରଣରୁ ଯଦି ଖାଦ୍ୟ ନଷ୍ଟ ହେଉଥିଲା ଦିନସାରା ଭୋକରେ ରହିଥିଲେ। ଏବେ ସେହି ସମସ୍ୟାର ସମାଧାନ ହୋଇଛି। ଯାହାକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ନବମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀମାନେ ।

ମଧ୍ୟାହ୍ନ ଭୋଜନ କେବଳ ପିଲାଙ୍କ ପେଟ ପୂରାଉନି, ବରଂ ଶିକ୍ଷାର ମାନରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଆଣେ। ପୂର୍ବରୁ ନବମ ଓ ଦଶମ ଶ୍ରେଣୀର ପିଲା ମଧ୍ୟାହ୍ନ ବିରତିରେ ଘରକୁ ଖାଇବାକୁ ଯାଇ ଆଉ ସ୍କୁଲକୁ ଫେରୁନଥିଲେ। ଯାହାଫଳରେ ସ୍କୁଲରେ ଡ୍ରପ୍ ଆଉଟ୍ ବଢୁଥିଲା। ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। 

କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ନାମଲେଖା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ଏବଂ ପୁଷ୍ଟିସାଧନ ପାଇଁ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସରକାରଙ୍କ ନିଷ୍ପତ୍ତି ଦ୍ବାରା ଗରିବ ଓ ମଧ୍ୟବିତ୍ତ ପରିବାରର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।..

ସରକାରଙ୍କ ଏହି ନିଷ୍ପତ୍ତି ମଧ୍ୟାହ୍ନ ଭୋଜନ ଯୋଜନା ନିଷ୍ପତ୍ତି ଶିକ୍ଷା କ୍ଷେତ୍ରରେ ଏକ ବଡ଼ ସଂସ୍କାର ବୋଲି କୁହାଯାଉଛି। ଯାହା ଛାତ୍ରଛାତ୍ରୀଙ୍କୁ ସ୍କୁଲମୁଖୀ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ।