Odisha Emerge India's Fast-Rising Economy: ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଓଡ଼ିଶାର ଆର୍ଥିକ ପ୍ରଗତିକୁ ମିଳିଲା ସ୍ୱୀକୃତି
ସମଗ୍ର ଭାରତ ଏବେ ବିଶ୍ୱ ବ୍ୟାଙ୍କର ‘ନିମ୍ନ-ମଧ୍ୟମ ଆୟ’ ଶ୍ରେଣୀରେ ରହିଥିବା ବେଳେ, ଦେଶର ୫ଟି ରାଜ୍ୟ ଏହି ସୀମା ପାର୍ କରି ‘ଉଚ୍ଚ-ମଧ୍ୟମ ଆୟ’ ଶ୍ରେଣୀରେ ସାମିଲ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ବିଗତ ତିନି ଦଶନ୍ଧି ମଧ୍ୟରେ ଓଡ଼ିଶାର ବଡ଼ ଆର୍ଥିକ ରୂପାନ୍ତରଣ ହୋଇଛି। ଦିନେ ଉତ୍ତରପ୍ରଦେଶ ସହ ସମାନ ସ୍ତରରେ ଥିବା ଓଡ଼ିଶାର ମୁଣ୍ଡପିଛା ଆୟ, ଏବେ ଉତ୍ତରପ୍ରଦେଶ ତୁଳନାରେ ୭୫ ପ୍ରତିଶତ ଅଧିକ ରହିଛି।
ରିପୋର୍ଟ ଅନୁଯାୟୀ, ବିଶ୍ୱ ବ୍ୟାଙ୍କର ନୂତନ ମାପଦଣ୍ଡ ଆଧାରରେ ଭାରତର ମୁଣ୍ଡପିଛା ଆୟ ୨,୭୬୦ ଡଲାର ରହିଛି। କିନ୍ତୁ ଦେଶର ୫ଟି ପ୍ରମୁଖ ରାଜ୍ୟ ବିଶ୍ୱ ବ୍ୟାଙ୍କର ଉଚ୍ଚ-ମଧ୍ୟମ ଆୟ ସୀମା (୪,୬୩ ୬ ଡଲାର) କୁ ସହଜରେ ପାର୍ କରିଯାଇଛନ୍ତି। ଏହି ତାଲିକାର ଶୀର୍ଷରେ ରହିଛି ଦିଲ୍ଲୀ, ଯାହାର ମୁଣ୍ଡପିଛା ଆୟ ୬,୨୧୭ ଡଲାର। ଏହା ପଛକୁ କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ ଏବଂ ଗୁଜରାଟ ରହିଛନ୍ତି। ସେହିପରି ମହାରାଷ୍ଟ୍ର, ହରିଆଣା ଏବଂ କେରଳ ଅତି ସାମାନ୍ୟ ବ୍ୟବଧାନରେ ଏହି ସୀମାରୁ ବଞ୍ଚିତ ହୋଇଛନ୍ତି।
ରିପୋର୍ଟ ଅନୁସାରେ ୧୯୯୪ ମସିହାରେ ଭାରତର କୌଣସି ବି ରାଜ୍ୟ ମଧ୍ୟମ ଆୟ ଶ୍ରେଣୀରେ ନଥିଲେ। କିନ୍ତୁ ଆଜି କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଭଳି ରାଜ୍ୟଗୁଡ଼ିକର ଆୟ ଇଣ୍ଡୋନେସିଆ ଓ ଭିଏତନାମ ଭଳି ଦେଶକୁ ଟପିଗଲାଣି। ଅନ୍ୟପଟେ, ବିହାର ଏବେ ବି ଦେଶର ସବୁଠାରୁ ଗରିବ ରାଜ୍ୟ ହୋଇ ରହିଥିବା ବେଳେ ଏହା ପଛକୁ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ରହିଛନ୍ତି। ଗତ ୩୦ ବର୍ଷ ମଧ୍ୟରେ ରାଜ୍ୟ ରାଜ୍ୟ ମଧ୍ୟରେ ଆର୍ଥିକ ଅସମାନତା ମଧ୍ୟ ବୃଦ୍ଧି ପାଇଛି। କେବେ ସବୁଠାରୁ ଆଗରେ ଥିବା ପଞ୍ଜାବ ଏବେ ପଛକୁ ହଟି ରାଜସ୍ଥାନ ସହ ସମାନ ସ୍ତରକୁ ଆସିଯାଇଛି। ସେହିପରି ଝାଡ଼ଖଣ୍ଡ ତୁଳନାରେ ଆସାମର ମୁଣ୍ଡପିଛା ଆୟ ୪୮ ପ୍ରତିଶତ ଅଧିକ ରହିଛି।
ଏହି ଆର୍ଥିକ ବିଶ୍ଳେଷଣରୁ ସ୍ପଷ୍ଟ ହେଉଛି ଯେ, ଦେଶରେ ସାମଗ୍ରିକ ବିକାଶ ହେଉଥିଲେ ମଧ୍ୟ କେତେକ ରାଜ୍ୟ ଅତି ଦ୍ରୁତ ଗତିରେ ଆଗକୁ ବଢୁଥିବା ବେଳେ କିଛି ରାଜ୍ୟ ଏବେ ବି ପଛରେ ପଡ଼ି ରହିଛନ୍ତି। ତେବେ ଏହି ଦୌଡ଼ରେ ଓଡ଼ିଶାର ସଫଳତା ସବୁଠାରୁ ଉଲ୍ଲେଖନୀୟ, ଯାହା ଉତ୍ତରପ୍ରଦେଶ ଭଳି ବଡ଼ ରାଜ୍ୟକୁ ଆୟ ମାମଲାରେ ବହୁ ପଛରେ ପକାଇ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।