Odisha ACF Death Case: ୫ ବର୍ଷର ଛକାପଂଝା ପରେ ପୂର୍ବତନ DFO ଗିରଫ; ସଂଗ୍ରାମ ଖୋଲିବେ କି ACF ସୌମ୍ୟ ମୃତ୍ୟୁର ଗୁମର

Jul 28, 2026 - 20:02
Odisha ACF Death Case: ୫ ବର୍ଷର ଛକାପଂଝା ପରେ ପୂର୍ବତନ DFO ଗିରଫ; ସଂଗ୍ରାମ ଖୋଲିବେ କି ACF ସୌମ୍ୟ ମୃତ୍ୟୁର ଗୁମର

କଡ଼ ଲେଉଟାଇଲା ଚର୍ଚ୍ଚିତACF ସୌମ୍ୟରଂଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲା। ୫ ବର୍ଷର ଛକାପଂଝା ପରେ ଜେଲ୍ ହାଜତକୁ ଯାଇଥିବା ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କ ଭୂମିକା ଓ ଅତୀତର କାର୍ଯ୍ୟକଳାପକୁ ନେଇ ବଢ଼ିଲା ଚର୍ଚ୍ଚା। କାରଣ ତତ୍କାଳୀନ ସରକାରଙ୍କ ଅମଳରେ କ୍ଲିନଚିଟ୍ ପାଇଥିଲେ ସଂଗ୍ରାମ। ଆଉ ଏବର ସରକାର ଅମଳରେ ବନ୍ଧା ହୋଇଛନ୍ତି। କିନ୍ତୁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ କିମ୍ବା ରୋଷେୟା ମନ୍ମଥ କୁମ୍ଭଙ୍କୁ ଏଯାଏଁ ଗିରଫ କରାଯାଇନି। ସେତେବେଳେ ତତ୍କାଳୀନ ସରକାରଙ୍କ ଛତ୍ରଛାୟାରେ ଥିବା ସଂଗ୍ରାମଙ୍କୁ ନେଇ ଝଡ଼ ଉଠିଥିବାବେଳେ ଏବେ ଆଶା କରାଯାଉଛି ମାମଲାର ସବୁ ଗୁମର ଖୋଲିବ।

୨୦୨୧ର ବହୁଚର୍ଚ୍ଚିତ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ଖୋଲିବ କି ଗୁମର ? ୫ ବର୍ଷର ଛକାପଂଝା ପରେ ଗିରଫ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଫିଟାଇବେ କି ସୌମ୍ୟ ମୃତ୍ୟୁର ରହସ୍ୟ ?

 ସାମ୍ନାକୁ ଆସିବ କି ଯୁବ OFS ଅଧିକାରୀଙ୍କ ମୃତ୍ୟୁ ଷଡ଼ଯନ୍ତ୍ର ପଛର ସତ ? ତତ୍କାଳୀନ ସରକାର ଅମଳରେ ଡିଏଫଓ ଥିବାବେଳେ ସଂଗ୍ରାମଙ୍କୁ କିଏ ଦେଉଥିଲେ ସୁରକ୍ଷା, ହେବ କି ପର୍ଦ୍ଦାଫାସ୍ ? କାରଣ ନ୍ୟାୟିକ ହେପାଜତ ଭିତରକୁ ଏବେ ଆସିଛନ୍ତି ତତ୍କାଳୀନ ବିବାଦୀୟ ଡିଏଫ୍ଓ ସଂଗ୍ରାମ ବେହେରା। ସୋମବାର ସରେଣ୍ଡର୍ ପରେ ଗିରଫ କରି ପାରଳାଖେମୁଣ୍ଡି ଜେଲର ବିଚାର ବିଭାଗୀୟ ହାଜତରେ ରଖାଯାଇଛି ତାଙ୍କୁ। 

ଦୀର୍ଘଦିନ ଧରି ଧରାଛୁଆଁ ଦେଉନଥିବାରୁ ଅଦାଲତଙ୍କ ପକ୍ଷରୁ ଜାରି ହୋଇଥିଲା NBW। ତାକୁ ଟାଳିବା ପାଇଁ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟକୁ ଯାଇ ନାନା ଆଇନଗତ କୌଶଳ ପ୍ରୟୋଗ କରିଥିଲେ ବି ନିରାଶ ହେବାକୁ ପଡ଼ିଛି ତାଙ୍କୁ। ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର ପାରଳାଖେମୁଣ୍ଡି SDJM ଓ ଜିଲ୍ଲା କୋର୍ଟରେ ହାଜର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

୨୦୨୧, ଜୁଲାଇ ୧୩। ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ACF ସୌମ୍ୟରଞ୍ଜନ ସନ୍ଦେହଜନକ ଭାବେ ପ୍ରଥମେ ଜଳିଯାଇଥିଲେ ଏବଂ ପରେ କଟକ SCBରେ ଜୀବନ ହରାଇଥିଲେ। ତେବେ ପୁଅକୁ ହତ୍ୟା ଅଭିଯୋଗ ଆଣି ବୋହୂ ବିଦ୍ୟାଭାରତୀ, ପୂର୍ବତନ ଡିଏଫ୍ଓ ସଂଗ୍ରାମ ଏବଂ ସୌମ୍ୟଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଏତଲା ପରେ ରୁଜୁ ହୋଇଥିଲା ମାମଲା। 

ତତ୍କାଳୀନ ବିଜେଡି ସରକାର ସେହିବର୍ଷ ଅଗଷ୍ଟରେ କ୍ରାଇମବ୍ରାଞ୍ଚକୁ ଦେଇଥିଲେ ତଦନ୍ତ ଭାର। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ କ୍ରାଇମବ୍ରାଞ୍ଚ ସଂଗ୍ରାମଙ୍କୁ ଦେଇଥିଲା କ୍ଲିନଚିଟ୍। ଯାହାକୁ ଚାଲେଞ୍ଜ କରି ସୌମ୍ୟଙ୍କ ପରିବାର ପାରଳା SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବି କୋର୍ଟଙ୍କ ବାରମ୍ବାର ସମନ ସତ୍ତ୍ୱେ ହାଜର ହୋଇନଥିଲେ ୩ ଜଣ। ଶେଷରେ ଟ୍ରାଏଲ୍ କୋର୍ଟ ୨୦୨୫ ଅଗଷ୍ଟରେ ୩ ଜଣଙ୍କ ବିରୋଧରେ ଜାରି କରିଥିଲେ NBW। 

କିନ୍ତୁ ବିଦ୍ୟାଭାରତୀଙ୍କ NBW ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ତେବେ ବୋହୁ ବିଦ୍ୟାଭାରତୀ ଓ ଫେରାର ରୋଷେୟା ମନ୍ମଥଙ୍କୁ ତୁରନ୍ତ ଗିରଫ, ସଂଗ୍ରାମଙ୍କୁ ଚାକିରିରୁ ବହିଷ୍କାର ଏବଂ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ବାପା। 

ତେବେ ବିଦ୍ୟାଭାରତୀଙ୍କ ପ୍ରତିକ୍ରିୟା ପାଇଁ ତାଙ୍କ କପ୍ତିପଦା ବ୍ଳକ ଗୌଡ଼ ଗାଁକୁ ଯାଇଥିଲେ ଆମ ପ୍ରତିନିଧି। କିନ୍ତୁ ପରିବାର ଲୋକେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁକୁ ନେଇ ସେହିବର୍ଷ ବିଧାନସଭାରେ ବି ଉଠିଥିଲା ପ୍ରସଙ୍ଗ। ତତ୍କାଳୀନ ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରାଚାଲାଣ କଥା ଉଠାଇ ସେହି ସମୟରେ DFO ଥିବା ସଂଗ୍ରାମଙ୍କ ଦାୟିତ୍ବ ଉପରକୁ ପ୍ରଶ୍ନ ଉଠାଇଥିଲେ। 

ତତ୍କାଳୀନ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ଏବଂ ତତ୍କାଳୀନ ସରକାର ସଂଗ୍ରାମଙ୍କୁ ସୁରକ୍ଷା ଦେବା ସହ କ୍ଲିନଚିଟ୍ ଦେଇଥିବା ଅଭିଯୋଗ ଆଣିଛନ୍ତି ନାରାୟଣ। ତେବେ ଏନେଇ ବିକ୍ରମ ଆରୁଖଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ବିଜେଡି ଏହାର ଜବାବ ରଖିଛି। ଏବେ ଅପେକ୍ଷା, ଗିରଫ ପୂର୍ବତନ ଡିଏଫଓ ସଂଗ୍ରାମଙ୍କ ପାଖରୁ କି ସତ ସାମ୍ନାକୁ ଆସୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।