NTA Invites Bids to Protect Confidential Exam Materials: NEET ବିବାଦ ପରେ NTAର ବଡ଼ ପଦକ୍ଷେପ, ପରୀକ୍ଷା ପେପର ସୁରକ୍ଷା ପାଇଁ ୭.୫ କୋଟି ଟଙ୍କାର ଟେଣ୍ଡର

Aug 02, 2026 - 14:53
NTA Invites Bids to Protect Confidential Exam Materials: NEET ବିବାଦ ପରେ NTAର ବଡ଼ ପଦକ୍ଷେପ, ପରୀକ୍ଷା ପେପର ସୁରକ୍ଷା ପାଇଁ ୭.୫ କୋଟି ଟଙ୍କାର ଟେଣ୍ଡର

NEET-UG ପେପର ଲିକ୍ ବିବାଦ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନିଜ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିଛି। ପରୀକ୍ଷା ପେପର ଏବଂ ସମ୍ବେଦନଶୀଳ ତଥ୍ୟର ସୁରକ୍ଷାକୁ ମଜବୁତ କରିବା ପାଇଁ NTA ପକ୍ଷରୁ ୨୪ ଘଣ୍ଟିଆ ସୁରକ୍ଷା ସେବା ଯୋଗାଇବାକୁ ପ୍ରାୟ ୭.୫ କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଛି।

ଏହା ସହିତ ହାଉସକିପିଂ ଏବଂ ସୁରକ୍ଷିତ ପ୍ରିଣ୍ଟିଂ ସେବା ପାଇଁ ମଧ୍ୟ NTA ନୂଆ ଟେଣ୍ଡର ଆହ୍ୱାନ କରିଛି। ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଏବଂ ଗୋପନୀୟତା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଜୁଲାଇ ୨୫ ତାରିଖରେ ଜାରି ହୋଇଥିବା ଟେଣ୍ଡର ଅନୁସାରେ, ଏହି ସଂସ୍ଥା ଦିଲ୍ଲୀର ମିଣ୍ଟୋ ରୋଡ୍ ସ୍ଥିତ NTA ମୁଖ୍ୟାଳୟ, ଓଖଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ଦାୟିତ୍ୱ ନେବ। ସଂସ୍ଥାକୁ କର୍ମଚାରୀ, ପରିଦର୍ଶକ, ଗୋପନୀୟ ପରୀକ୍ଷା ସାମଗ୍ରୀ, ସର୍ଭର ରୁମ୍, ଷ୍ଟ୍ରଙ୍ଗ ରୁମ୍, ଗୋଦାମ ଏବଂ ରେକର୍ଡ ରୁମ୍ର ସୁରକ୍ଷା କରିବାକୁ ପଡ଼ିବ।

ଏହି ଚୁକ୍ତି ପ୍ରଥମେ ଦୁଇ ବର୍ଷ ପାଇଁ ରହିବ। ଭଲ କାର୍ଯ୍ୟଦକ୍ଷତା ଆଧାରରେ ଏହାକୁ ଆହୁରି ଦୁଇଥର ଏକ ବର୍ଷ ଲେଖାଏଁ ବଢ଼ାଯାଇପାରିବ। ଆଗ୍ରହୀ ସଂସ୍ଥାମାନେ ଅଗଷ୍ଟ ୧୭ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଟେଣ୍ଡର ଦାଖଲ କରିପାରିବେ।

NTA ଜାରି କଲା ଏକାଧିକ ଟେଣ୍ଡର

NTA ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଜଣାଇଛି ଯେ, ସୁରକ୍ଷା ସେବା, ହାଉସକିପିଂ ଏବଂ ପରୀକ୍ଷା ମାନର ପ୍ରିଣ୍ଟିଂ ସେବା ପାଇଁ ଅଲଗା ଅଲଗା ଟେଣ୍ଡର ଜାରି କରାଯାଇଛି। ଏହି ଟେଣ୍ଡରଗୁଡ଼ିକ ସରକାରୀ ଇ-ମାର୍କେଟପ୍ଲେସ୍ (GeM) ମାଧ୍ୟମରେ ଜାରି ହୋଇଛି।

ଦିଲ୍ଲୀ କାର୍ଯ୍ୟାଳୟ ପାଇଁ ସୁରକ୍ଷା ଏବଂ ହାଉସକିପିଂ ଟେଣ୍ଡରର ଶେଷ ତାରିଖ ଅଗଷ୍ଟ ୧୭ ଥିବାବେଳେ ପ୍ରିଣ୍ଟିଂ ସେବା ପାଇଁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ବିଡ୍ ଦାଖଲ କରାଯାଇପାରିବ।
ସାଧାରଣତଃ ସରକାରୀ ବିଭାଗରେ ସବୁଠାରୁ କମ୍ ଦରର ବିଡକୁ ଗୁରୁତ୍ୱ ଦିଆଯାଉଥିବା ବେଳେ NTA ଏଥର Quality-and-Cost Based Selection (QCBS) ପଦ୍ଧତି ଆପଣାଇଛି। ଏଥିରେ ସଂସ୍ଥାର ଟେକ୍ନୋଲୋଜି କ୍ଷମତାକୁ ଅଧିକ ଗୁରୁତ୍ୱ ଦିଆଯିବ।

ଏହି ପ୍ରକ୍ରିୟାରେ ଟେକ୍ନିକାଲ ପ୍ରସ୍ତାବକୁ ୭୦ ପ୍ରତିଶତ ଏବଂ ବାଣିଜ୍ୟିକ ପ୍ରସ୍ତାବକୁ ୩୦ ପ୍ରତିଶତ ମାର୍କ ଦିଆଯିବ। ଟେକ୍ନିକାଲ ମୂଲ୍ୟାୟନରେ ୭୦ ମାର୍କରୁ କମ୍ ପାଇଥିବା ସଂସ୍ଥାକୁ ଆର୍ଥିକ ବିଡ୍ ପାଇଁ ବିଚାର କରାଯିବ ନାହିଁ।

ଯୋଗ୍ୟତା ପାଇଁ ଆବେଦନକାରୀ ସଂସ୍ଥାର ସୁରକ୍ଷା କ୍ଷେତ୍ରରେ ଅତି କମ୍ରେ ୫ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ। ଏହା ସହିତ ଗତ ତିନି ଆର୍ଥିକ ବର୍ଷରେ ହାରାହାରି ୧୦ କୋଟି ଟଙ୍କାର ବାର୍ଷିକ ଟର୍ଣ୍ଣଓଭର ଥିବା ଦରକାର।
କେନ୍ଦ୍ର ସରକାରୀ ସଂସ୍ଥା, ପରୀକ୍ଷା ବୋର୍ଡ, ବିଶ୍ୱବିଦ୍ୟାଳୟ, ବିମାନବନ୍ଦର, ହସ୍ପିଟାଲ କିମ୍ବା ମେଟ୍ରୋ ଭଳି ଉଚ୍ଚ ସୁରକ୍ଷା ସ୍ଥାନରେ ସୁରକ୍ଷା ସେବା ଦେଇଥିବା ସଂସ୍ଥାକୁ ପ୍ରାଥମିକତା ମିଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।