North Odisha Battles Devastating Floods: ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା, ଜଳବନ୍ଦୀ ହଜାର ହଜାର ପରିବାର

Jul 29, 2026 - 19:58
North Odisha Battles Devastating Floods: ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା, ଜଳବନ୍ଦୀ ହଜାର ହଜାର ପରିବାର

ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା। ବୈତରଣୀରୁ ବୁଢାବଳଙ୍ଗ, ସାଳନ୍ଦୀ, ଜଳକା ସବୁ ନଦୀରେ ବନ୍ୟା। ଆଉ ଏହି ବନ୍ୟା ପାଣିରେ ଭାସୁଛି ଗାଁ ପରେ ଗାଁ, ଉଜୁଡ଼ି ଯାଉଛି ଧନ ଜୀବନ। ପାଣି ଘେରରେ ଛଟପଟ ହେଉଛନ୍ତି ହଜାର ହଜାର ଲୋକ। ସୁଅ ମୁହଁରେ ଏବେ ଲୋକଙ୍କ ଜୀବନଜୀବିକା। ତେବେ ସଙ୍କଟ ସମୟରେ ସାହସ ସାଜିଛି ଅଗ୍ନିଶମ, ODRAF ଓ NDRF ଟିମ୍। ବଢ଼ି ପାଣିରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଦିନରାତି ଏକ କରିଦେଇଛି ପ୍ରଶାସନ। 

ଉଛୁଳୁଛି ନଦୀ.. ଉବୁଟୁବୁ ଗାଁ ଗଣ୍ଡା। ବନ୍ୟା ଆଁରେ ଶହ ଶହ ଗାଁ। ଘର ଦ୍ବାର, ସରକାରୀ ଅଫିସ, ସ୍କୁଲ, ଦୋକାନ ବଜାର ସବୁ ପାଣି ଘେରରେ। କେଉଁଠି ବେକେ ତ କେଉଁଠି ଅଣ୍ଟାଏ। ବନ୍ୟାରେ ଏଭଳି ସ୍ଥିତି ଉତ୍ତର ଓଡ଼ିଶା ବାଲେଶ୍ବରର। ସ୍ଥିତି ସଙ୍ଗୀନ। ବାଇକକୁ ଭସାଇନେଲା ବୁଢାବଳଙ୍ଗ ନଦୀର ବଢି ପାଣି। ଦେଖୁ ଦେଖୁ ପ୍ରବଳ ସୁଅରେ ଭାସି ଯାଉଥିଲେ ଯୁବକ। ତେବେ ସ୍ଥାନୀୟ ଲୋକ ଓ ଏନଡିଆରଏଫ ଟିମ ମିଶି ଉଦ୍ଧାର କରିଛନ୍ତି। ଗାଁ ଦାଣ୍ଡରେ ଚାଲିଛି ୫-୬ ଫୁଟର ପାଣି। ଘର ବୁଡିଛି, ତା ଭିତରେ ଜିନିଷ ପତ୍ର। ପାଣିର ସୁଅ ଏମିତି ଚାଲିଛି ଯେ, ଗାଁ ଗାଁ ବିଚ୍ଛିନ୍ନ। ଜାଗା ଜାଗାରେ ଫସିଛନ୍ତି ଲୋକ। ତାରି ଭିତରେ ଲୋକଙ୍କୁ ଉଦ୍ଧାର ପାଇଁ ଘୁରି ବୁଲୁଛି ବୋଟ୍। ଜିଲ୍ଲାର ସଦର ବ୍ଲକ୍ ଅଞ୍ଚଳର ଅନେକ ଗାଁ ଦୁଇ ଦିନ ହେଲା ଜଳବନ୍ଦୀ। ଗୁଜୁରି ବଜାର ଓ ବଇଞ୍ଚା ଅଞ୍ଚଳରେ ହଜାର ହଜାର ଲୋକଙ୍କ ଭରସା ପ୍ରଶାସନର ବୋଟ୍।

ସହର ଭିତରେ ବି ଲହଡି ଭାଙ୍ଗୁଛି ବନ୍ୟା ଜଳ। ଚାଲିଛି ଅଣ୍ଟାଏ ଉଚ୍ଚର ପାଣିି। ବାଲେଶ୍ବର ପୌରପାଳିକା ୨୪ ନମ୍ବର ୱାର୍ଡରେ ଜଳବନ୍ଦୀ ହଜାର ହଜାର ଲୋକ। ବୁଡିଗଲାଣି ଘରର ପ୍ରଥମ ମହଲା। କିଏ ଦ୍ୱିତୀୟ ମହଲାରେ ତ କିଏ ଛାତ ଉପରେ ନେଇଛନ୍ତି ଆଶ୍ରୟ। 

ବିପଦ ସଙ୍କେତ ଉପରେ ବୁଢ଼ାବଳଙ୍ଗ, ଜଳକା। ବାଲେଶ୍ବର ସଦର ଓ ରେମୁଣାର ବ୍ୟାପକ ଅଞ୍ଚଳ ପାଣିଘେରରେ। ପ୍ରଭାବିତ ହୋଇଛି ୨୦ରୁ ଅଧିକ ପଞ୍ଚାୟତ। ମୁଖ୍ୟ ରାସ୍ତା ଉପରେ ଚାଲିଛି ୪ ଫୁଟ୍ ପାଣି। ଉତ୍ତର ବାଲେଶ୍ୱରକୁ ଯୋଡୁଥିବା ରେମୁଣା ଗୋଲେଇରୁ ବାଲେଶ୍ୱର ଓ ଫୁଲାଡ଼ିରୁ ବାଲେଶ୍ୱର ମୁଖ୍ୟ ରାସ୍ତା ବିଛିନ୍ନ। ସେପଟେ କାଂଶବାଂଶ ଓ ପିତାକାଳିଆ ନଦୀରେ ତୃତୀୟ ବନ୍ୟା ପାଣି ଘେରରେ ଲୋକେ l ବିଚ୍ଛିନ୍ନ ହୋଇଯାଇଛି ସୋର ବ୍ଲକ ତଳନଗର ପଞ୍ଚାୟତର ୫ଟି ଗାଁ। ତେବେ ବନ୍ୟା ସ୍ଥିତିକୁ ନେଇ ଆଲର୍ଟରେ ରହିଛି ପ୍ରଶାସନ। ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୪ଟି ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ। ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। 

ପ୍ରଥମ ବନ୍ୟାର ପାଣି ଛାଡ଼ିନି, ପୁଣି ମାଡ଼ିଆସିଲା ବନ୍ୟା। ଉବୁଟୁବୁ ଭଦ୍ରକ ଜିଲ୍ଲାର ବାସୁଦେବପୁର। ଚାଷଜମିରେ ପାଣି, ରାସ୍ତାରେ ପାଣି, ଗାଁ ଦାଣ୍ଡରେ ପାଣି। କାଂଶବାଂଶ, ଗମେଈ, ନୂଆନଈ, କଞ୍ଚୁଡ଼ି, ଧଳାନଈ ଓ ମନ୍ତେଇର ବନ୍ୟା ପୁଣି ବଢ଼ାଇଛି ଦୁର୍ଦ୍ଦଶା। ହଜାର ହଜାର ଏକର ଚାଷଜମି ଜଳମଗ୍ନ, ୫ ଫୁଟର ପାଣିରେ ବୁଡି ରହିଛି ଫସଲ। ସୁଦର୍ଶନପୁର ଓ ବରଣ୍ଡୁଆ ରାସ୍ତାର ବିଭିନ୍ନ ସ୍ଥାନରେ ଚାଲିଛି ବନ୍ୟା ପାଣିର ସୁଅ। ଶହ ଶହ ପରିବାର ଜଳବନ୍ଦୀ। ୩୬ଟି ପଞ୍ଚାୟତ ସହ ପୌରାଞ୍ଚଳର ବହୁ ପରିବାର ଏବେ ପାଣିଘେରରେ। 

ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ। ବଢ଼ୁଛି ଜଳସ୍ତର, ବଢ଼ିଚାଲିଛି ବନ୍ୟାର ଭୟ। ଭଣ୍ଡାରିପୋଖରୀ ବ୍ଲକର ୧୦ଟି ପଂଚାୟତରେ ବନ୍ୟା ପାଣି ପଶିଥିବା ବେଳେ ଯାଜପୁର ସହ ବିଛିନ୍ନ ହୋଇଛି ଯୋଗାଯୋଗ। ସେହିପରି ବନ୍ୟାରେ ପ୍ରଭାବିତ ହୋଇଛି ଧାମନଗର ବ୍ଲକର ୭ଟି ପଞ୍ଚାୟତ। ସାଳନ୍ଦୀ ନଦୀ ପାଣିରେ ବୁଡିଛି ଭଦ୍ରକ ପୌରପାଳିକାର କୁଆଁସ, ଏଲଖା ଓ ଧନାଟୋଲା। ସହରରେ ବି ଜଳନ୍ଦୀ ସ୍ଥିତି। ଦି ଦିନ ହେଲା ଘରେ ଚୁଲି ଜଳିନି। ଲୋକ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି। ବିପନ୍ନଙ୍କୁ ଉଦ୍ଧାର ପାଇଁ NDRFର ୩ଟି, ଓଡ୍ରାଫର ୭ଟି ଟିମକୁ ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡି ବ୍ଲକରେ ନିୟୋଜିତ କରାଯାଇଛି। 

ଗାଁ ଗାଁକୁ ମାଡ଼ି ଚାଲିଛି ବନ୍ୟା ପାଣି। ଧିରେ ଧିରେ ଅଧିକ ହେଉଛି। ବୈତରଣୀର ବନ୍ୟା ପାଣି ଘେରରେ ଯାଜପୁର। ଦଶରଥପୁର ବ୍ଲକର ପ୍ରାୟ ୧୦ଟି ପଞ୍ଚାୟତରେ ପଶିଛି ପାଣି। କଟିକଟାରେ ବୈତରଣୀ ନଦୀବନ୍ଧ ବୁଡ଼ି ପାଣି ଚାଲିଥିବାବେଳେ ୩ଟି ଗାଁ ଜଳମଗ୍ନ। ସେପଟେ କାଣୀ ନଦୀବନ୍ଧର ବିଭିନ୍ନ ସ୍ଥାନରେ ବି ବନ୍ଧ ବୁଡ଼ି ପାଣି ଚାଲିଛି। କୋରେଇ ବ୍ଲକର ଗୌରପୁର, ରଣପୁର, ମୁକୁନ୍ଦପୁର ପଞ୍ଚାୟତର ୧୫ରୁ ଅଧିକ ଗାଁ ପ୍ରଭାବିତ ହୋଇଛି ବନ୍ୟାରେ। 

ସେପଟେ ପାଣି ଘେରରେ ରହିଛି ଦଶରଥପୁର ବ୍ଲକ କଇଁଆ ପଞ୍ଚାୟତର ଧର୍ମପୁର। ଲୋକେ ଦି ଦିନ ହେଲା ଘରେ ବନ୍ଦ। ବନ୍ୟା ପାଣି ଘେରରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପାୱାର ବୋଟ୍ ନିୟୋଜିତ କରାଯାଇଛି। NDRF ଓ ଓଡ୍ରାଫ୍ ଟିମ୍ ବନ୍ୟାଞ୍ଚଳରେ ଘୁରି ବୁଲି ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରୁଛନ୍ତି। ଦିନକରେ ୨ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।