23 JULY 2026

Welcome!

Unlock your personalized experience.
Sign Up

Noise pollution : ଶବ୍ଦପ୍ରିୟ ଭାରତୀୟ !

Jul 23, 2026 - 14:08
Noise pollution : ଶବ୍ଦପ୍ରିୟ ଭାରତୀୟ !

ବିଶ୍ୱରେ ଦେଶମାନଙ୍କ ମଧ୍ୟରେ ଆୟତନରେ ଭାରତ ସପ୍ତମ ସ୍ଥାନରେ ଥାଇ ଜନସଂଖ୍ୟାରେ ପ୍ରଥମ ସ୍ଥାନରେ ରହିଛି । ପରନ୍ତୁ, ଶବ୍ଦ ପ୍ରଦୁଷଣରେ ଭାରତ ପ୍ରଥମ ସ୍ଥାନ ଅଧିକାର କରିଛି । ମୋଟର କାର୍‌ ନିର୍ମାତା ମର୍ସିଡିଜ୍‌ ବେଞ୍ଜ ଭାରତୀୟ ଗ୍ରାହକଙ୍କ ଅସନ୍ତୋଷର କାରଣ ଅନୁଧ୍ୟାନ କରି ଜାଣିପାରିଲା ଯେ, ଅପେକ୍ଷାକୃତ ସ୍ୱଳ୍ପ ଶବ୍ଦସୃଷ୍ଟିକାରୀ ହର୍ଣ୍ଣ ଗାଡ଼ି ବିକ୍ରୟରେ ବାଧକ ସାଜୁଛି । କାରଣ ଏପରି ସ୍ପଳ୍ପ ଶବ୍ଦସୃଷ୍ଟିକାରୀ ହର୍ଣ୍ଣ ସହିତ ଭାରତୀୟ ରାସ୍ତାରେ ଗାଡ଼ି ଚଳାଇବା ଅସମ୍ଭବ । କମ୍ପାନୀର ଗାଡ଼ି ବିକ୍ରି କମିଯିବାର କାରଣ ଥିଲା ସ୍ୱଳ୍ପ ଶବ୍ଦଯୁକ୍ତ ହର୍ଣ୍ଣ । ସେମାନେ ତୁରନ୍ତ ସେହି ଗାଡ଼ିର ହର୍ଣ୍ଣ ଶବ୍ଦ ବୃଦ୍ଧି କରିବାରୁ ଗାଡ଼ି ପୂର୍ବାପେକ୍ଷା ଅଧିକ ବିକ୍ରି ହେଲା । ସେମାନେ ଜାଣିପାରିଲେ ‘ଶବ୍ଦପ୍ରିୟ ଭାରତୀୟ' ।

ଡୋରକୁ ଜୋର୍‌ରେ ବନ୍ଦ କରିବା ମନା । ଏହାକୁ ବେଆଇନ ବୋଲି ବିବେଚନା କରାଯାଏ । ତେଣୁ ଏଠାରେ କାର୍‌ ଡୋର୍‌ ଜୋରରେ ବନ୍ଦ କଲେ, ଜରିମାନା ଦେବାକୁ ପଡ଼ିଥାଏ । ତେବେ ସ୍ୱିଜରଲାଣ୍ଡରେ ଲୋକଙ୍କ ଶାନ୍ତି ଓ ଆରାମକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଏଥିପାଇଁ ଶବ୍ଦକୁ ନେଇ କଡ଼ା ନିୟମ ଲାଗୁ କରାଯାଇଛି । ଏହି ନିୟମ ‘ରାଇଟ୍‌ ଟୁ ସାଇଲେନ୍‌ସ କନସେପ୍‌ଟ' ଉପରେ ଆଧାରିତ ।

ଆମ ଦେଶରେ ଠିକ୍‌ ଏହାର ଓଲଟା । ଆପଣ ବସିବା ପରେ କାର୍‌ ଡୋର୍‌ ବନ୍ଦ କରିବାବେଳେ ଯଦି ଅଧିକ ଶବ୍ଦ ନହେଲା, ତେବେ ଆପଣ ଅପାରଗ । ଡ୍ରାଇଭର୍‌ ବୁଲିଆସି ଡୋରକୁ ଜୋର୍‌ରେ ବାଡ଼େଇ ଦିଅନ୍ତି । ଏହି ଶବ୍ଦ ଯଦିଓ ଶ୍ରୁତିକଟୁ, ପରନ୍ତୁ ଡ୍ରାଇଭରଙ୍କୁ ଏହା ଶ୍ରୁତିମଧୁର ଲାଗିପାରେ । ଟ୍ରାଫିକର ଲାଲ୍‌ ଲାଇଟକୁ ଅପେକ୍ଷାରତ ଗାଡ଼ି ଷ୍ଟାର୍ଟରେ ରଖି ବାରମ୍ବାର ଉତ୍କଟ ହର୍ଣ୍ଣ ମାରି ପରୀକ୍ଷା କରନ୍ତି । ‘ଆମ ଗାଡ଼ିର ଉତ୍କଟ ଶବ୍ଦ ସମସ୍ତଙ୍କୁ ଚକିତ କରାଇପାରୁଛି ତ?' ବିଚରା ଅପେକ୍ଷା କରିଥିବା ଯାତ୍ରୀ କିପରି ଏହି କାନଫଟା ଶବ୍ଦର ଶିକାର ହୁଅନ୍ତି, ତାହା ସମସ୍ତେ ଅଙ୍ଗେ ନିଭାଉଥିବେ । ଏହି ସ୍ଥାନଟି ଶହ ଶହ ଗାଡ଼ିଙ୍କ ହର୍ଣ୍ଣରେ ବିକଟାଳ ଶବ୍ଦ ସୃଷ୍ଟିକରେ, ତାହା ଟ୍ରାଫିକ୍‌ ଲାଇଟ୍‌ ସାଙ୍ଗକୁ ଗାଡ଼ି ଲାଇଟ୍‌ ଆଲୋକ ପ୍ରଦୂଷଣର କାରଣ ଓ ଏହି ଗାଡ଼ି ଷ୍ଟାର୍ଟରେ ବାୟୁ ପ୍ରଦୂଷଣ ହାର ୬୦୦କୁ ଟପିଯାଏ ।

ସାମାନ୍ୟ କାରଣରୁ ପଡ଼ୋଶୀ କବାଟ ଦୁମ୍‌ଦୁମ୍‌ ବାଡ଼େଇବା, ବାରମ୍ବାର କଲିଂବେଲ୍‌ ଚିପି ଚାଲିଥିବା, ଭାରତୀୟ ପଡୋଶୀଙ୍କ ଅଭ୍ୟାସ । ଡିଜେର ଶବ୍ଦ ୬୫ ଡେସିବେଲ୍‌ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଦୁଇ-ତିନି ଗୁଣ ଶବ୍ଦ ବଢ଼ାଇ ହୃଦରୋଗୀଙ୍କୁ କଷ୍ଟଦେବା ଓ ମାରିଦେବା ଏବେବି ଚାଲିଛି । ଭାରତରେ ଏବେ ଦୀପାବଳି ଆଉ ଗୋଟିଏ ରାତ୍ରିରେ ସୀମିତ ହୋଇ ରହିନାହିଁ । କ୍ରିକେଟ୍‌ ଖେଳରେ ଭାରତ ଜିତିଲେ ରାତିସାରା ଗଡ଼ମା ଶବ୍ଦରେ ପଶୁପକ୍ଷୀ, ମଣିଷ ବ୍ୟତିବ୍ୟସ୍ତ । ଡିଜେ ବଦଳରେ ପାରମ୍ପରିକ ବାଜା ଶବ୍ଦ ତା’ ଶବ୍ଦଠୁଁ ଅଧିକ । ବିଚରା ହୃଦରୋଗୀ ପ୍ରମାଦ ଗଣନ୍ତି । ବର୍ଷସାରା ଲାଗିରହୁଥିବା ନାନା ଉତ୍ସବରେ ଧର୍ମସ୍ଥଳୀର ଗର୍ଜନ ସମ୍ଭାଳିବାକୁ ବାଧ୍ୟ ।

ସହରରେ ରହୁଥିବା ଲୋକେ ଅଧିକାଂଶ ତୀବ୍ର ଶବ୍ଦ ପ୍ରଦୂଷଣର ଶିକାର । ସେଥିପାଇଁ ଅଧିକାଂଶ ଲୋକ ଶ୍ରବଣ ଶକ୍ତି କ୍ଷତିର ଶିକାର । ଏହି ତୀବ୍ର ଶବ୍ଦ ପ୍ରଦୂଷଣ ମଣିଷ ମନରେ ବିରକ୍ତି, ଅଶାନ୍ତି, କ୍ରୋଧ ସୃଷ୍ଟି କରୁଛି । ଯାହାଫଳରେ ସହରରେ ଅଧିକ ଅପରାଧିକ କାର୍ଯ୍ୟ, ପଦେ କଦେ କଥାରେ ହାତ ଉଠାଉଠି । ସହରୀ ଲୋକେ ଏତେ ବଡ଼ ପାଟିରେ କଥା ହେଉଛନ୍ତି, ଏହାର କାରଣ ଶବ୍ଦ ପ୍ରଦୂଷଣ । କେବଳ ମଣିଷ ନୁହେଁ, ପଶୁପକ୍ଷୀ ଏଥିରେ ଅଧିକ ଉଗ୍ର ହୋଇ ଉଠୁଛନ୍ତି । କୁକୁରମାନଙ୍କ କାନଫଟା ବୋବାଳି, ଷଣ୍ଢ ଗାଈମାନଙ୍କର କାନଫଟା ହମ୍ବାରଡ଼ି, ଏହି ଶବ୍ଦ ପ୍ରଦୂଷଣର କୁଫଳ । ପକ୍ଷୀମାନେ ରାଜଧାନୀର ଅନେକ ସ୍ଥାନରେ ଦେଖିବାକୁ ମିଳୁନାହାନ୍ତି । ଶବ୍ଦ ପ୍ରଦୂଷଣ କାରଣରୁ ଆମ ଶାରୀରିକ ଜୈବକ୍ରିୟା ସହିତ ଜଡ଼ିତ ରୋଗ, ରକ୍ତଚାପ, ମଧୁମେହର ଆଶଙ୍କା ଦେଖିବାକୁ ମିଳୁଛି । ପ୍ରଖର ଓ ଲଗାତାର ହେଉଥିବା ଶବ୍ଦ କାରଣରୁ ୟୁରୋପରେ ବାର୍ଷିକ ପ୍ରାୟ ୪୮,୦୦୦ ଜଣ ହୃଦରୋଗରେ ଆକ୍ରାନ୍ତ ହେଉଥିବା ବେଳେ ୧୨,୦୦୦ ଜଣଙ୍କର ମୃତ୍ୟୁ ଘଟୁଛି । ଆଇନ ଯେଉଁଠି ଆତ୍ମସମର୍ପଣ କରୁଛି ସାଧାରଣ ଲୋକେ ଏହାର ବିରୋଧ କଲେ ଖଣ୍ଡପ୍ରଳୟ ହୋଇଯିବ । ପ୍ରଥମ ଥର ପାଇଁ ଫ୍ରାନ୍ସରେ ଶବ୍ଦ ପ୍ରଦୁଷଣକୁ ନେଇ ଏକ ଗବେଷଣା କରାଯାଇଥିଲା । ଏଥିରୁ ଯାହା ତଥ୍ୟ ମିଳିଛି, ତାହା ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚକିତ କରିଦେଲା ଭଳି । ଏହି ଗବେଷଣାରେ ୧୮ରୁ ୭୫ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ସାମିଲ କରାଯାଇଥିଲା । ଉଚ୍ଚ ଶବ୍ଦବିଶିଷ୍ଟ ସଙ୍ଗୀତ ଶୁଣିବା ହେତୁ ସେମାନଙ୍କର ଶ୍ରବଣ ସମସ୍ୟା ହେବା ସହିତ ଜୀବନଶୈଳୀ, ସାମାଜିକ ସ୍ଥିତି, ପାରିବାରିକ ଅବସ୍ଥା, ମାନସିକ ସ୍ୱାସ୍ଥ୍ୟ ବିପନ୍ନ ଜଣାପଡ଼ିଛି । ଆଜିକାଲି କାନରେ ଇୟର ଫୋନ୍‌ ଲଗାଇ ରାସ୍ତାରେ, ଅଟୋ, ବସ୍‌, ରେଳ, ଅଫିସ୍‌ ଏମିତି ଘରେ ମଧ୍ୟ ଘଣ୍ଟା ଘଣ୍ଟା କଥାହେବା, ସଙ୍ଗୀତ ଶୁଣିବା, ଏପରିକି ନିଦ ହୋଇଗଲେ ମଧ୍ୟ କାନ ସେ ସଙ୍ଗୀତର ଦାଉ ସହେ । ଫ୍ରାନ୍ସର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଆଣ୍ଡ ମେଡିକାଲ୍‌ର ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ ଫ୍ରାନ୍‌ସରେ ୪ଜଣଙ୍କ ମଧ୍ୟରୁ ଜଣେ, ଅର୍ଥାତ୍‌ ୨୫ ପ୍ରତିଶତ ଶ୍ରବଣ ସମସ୍ୟାରେ ପୀଡ଼ିତ । ଭାରତରେ ଏପରି କୌଣସି ସର୍ଭେ ହୋଇନଥିଲେ ମଧ୍ୟ ତାହା ୪୦ ପ୍ରତିଶତରୁ ଅଧିକ ବୋଲି ଅନୁମାନ କରାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱରେ ଶବ୍ଦ ପ୍ରଦୁଷଣ କାରଣରୁ ୧୫୦୦ ନିୟୁତ ଜନତା ଶ୍ରବଣ ସମସ୍ୟା ଭୋଗୁଛନ୍ତି । ୧୦୫୦ ମସିହା ସୁଦ୍ଧା ଏଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ କୋଟିରେ ପହଞ୍ଚିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ପ୍ରକାରେ ବର୍ତ୍ତମାନ ବିଶ୍ୱରେ ୧୦୦କୋଟି ଯୁବକ-ଯୁବତୀ, କିଶୋର-କିଶୋରୀଙ୍କ ଶ୍ରବଣ ଶକ୍ତି ବିପଦାପନ୍ନ ।

ଶବ୍ଦ ପ୍ରଦୂଷଣ ଯୋଗୁଁ ବ୍ୟକ୍ତିର ସାମାଜିକ ଚଳଣି, କର୍ମଦକ୍ଷତା, କର୍ମପ୍ରବଣତା ଏବେ ଭୀଷଣ ଭାବେ ବାଧାପ୍ରାପ୍ତ । ଯୁବପିଢ଼ିଙ୍କ ଶ୍ରବଣଶକ୍ତି କ୍ରମଶଃ ହ୍ରାସ ପାଇବାକୁ ଲାଗିଲାଣି । ଆଗାମୀ ଦାୟାଦ ଏକପ୍ରକାର ବଧିର ଦାୟାଦଙ୍କ ସମାଜ ହେବାକୁ ଯାଉଛି, ଯାହାକୁ ଆମେ କାଲ ଓ କାଲୁଣୀଙ୍କ ସମାଜ ବୋଲି କହିବା । ଶବ୍ଦ ପ୍ରଦୂଷଣକୁ ନିରବ ଘାତକ ମନେକରି ୬୫ ଡେସିବଲ୍‌ରୁ ଅଧିକ ଶବ୍ଦ ହେଉଥିବା ସ୍ଥାନକୁ ନିଜେ କିମ୍ବା ନିଜ ପିଲାକୁ ନେବା ଅନୁଚିତ । ବିବାହ ଆଦି ଉତ୍ସବରେ ପାରମ୍ପରିକ ମହୁରୀ, ତେଲଙ୍ଗି ଓ ଢୋଲ ବାଜାକୁ କମ୍‌ରେ ଶବ୍ଦ କରିବା ଉଚିତ । କୌଣସି ଆବାସିକ ଖୋଲା ସ୍ଥାନରେ ସାଂସ୍କୃତିକ କିମ୍ବା ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନରେ ଅଳ୍ପ ଶବ୍ଦରେ ଲାଉଡ୍‌ ସ୍ପିକର୍‌ କମ୍‌ ସମୟ ପାଇଁ ବଜାଇବା ଦରକାର । ବର୍ତ୍ତମାନ ପିଲାଙ୍କର ପ୍ରତିମାସରେ ପରୀକ୍ଷା । ଯାନବାହନର ଉପଯୁକ୍ତ ରକ୍ଷଣାବେକ୍ଷଣ, ଇଞ୍ଜିନର ଶବ୍ଦ ହ୍ରାସ, ବସ୍‌ ଓ ଟ୍ରକ୍‌ ଚାଳକମାନେ ପ୍ରେସର୍‌ ହର୍ଣ୍ଣରୁ ନିବୃତ୍ତ ରହିବା, ବାଇକ୍‌ ଚାଳକମାନେ ବିକଟାଳ ହର୍ଣ୍ଣ ସାଇଲେନ୍ସର ବ୍ୟବହାର କରିବା ପାଇଁ ପଦକ୍ଷେପ ନିଆଯାଉ । ଅଯଥାରେ ହର୍ଣ୍ଣ ନବଜାଇବା ଉଚିତ୍‌ । ହସ୍ପିଟାଲ ଓ ବିଦ୍ୟାଳୟ ଭଳି ସାଇଲେନ୍ସ ଜୋନ୍‌ରେ ନୋ-ହର୍ଣ୍ଣ କଟକଣାକୁ କଡ଼ାକଡ଼ି ପାଳନ କରାଯାଉ । ବାଣଫୁଟା ସଂପୂର୍ଣ୍ଣ ବନ୍ଦ କରାଯାଉ । ରାସ୍ତାକଡ଼ରେ ଶବ୍ଦ ପ୍ରତିରୋଧକ ବୃକ୍ଷଲତା ଲଗାଯାଉ । କଳକାରଖାନାର ଶବ୍ଦ ପ୍ରଦୂଷଣ ରୋକିବା ବିଧେୟ । ଶବ୍ଦ ପ୍ରଦୂଷଣ ଏକ ଦଣ୍ଡନୀୟ ଅପରାଧ । ତେଣୁ ଆପଣଙ୍କ ଅଞ୍ଚଳରେ ନିୟମିତ ପ୍ରଦୂଷଣ କରୁଥିବା ବ୍ୟକ୍ତିବିଶେଷ/ସଂସ୍ଥାଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କୁ ନିଶ୍ଚିତ ଅବଗତ କରାନ୍ତୁ । "ଶବ୍ଦପ୍ରିୟ ଭାରତୀୟ’ କଳଙ୍କ ତୁରନ୍ତ ଲୋପ ହେବା ଆବଶ୍ୟକ । 

​​​​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।