No Relief for Stock Investors: ସେୟାର ବଜାର ନିବେଶକଙ୍କୁ ଝଟକା, LTCG ଟ୍ୟାକ୍ସ ନେଇ ସରକାରଙ୍କ ବଡ଼ ଘୋଷଣା
ସେୟାର ବଜାର ନିବେଶକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଇକ୍ୱିଟି ଉପରୁ ଦୀର୍ଘମିଆଦୀ ପୁଞ୍ଜିଗତ ଲାଭକର(ଏଲ୍ଟିସିଜି) ଟ୍ୟାକ୍ସ ଉଚ୍ଛେଦ ନେଇ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏକ ବଡ଼ ସୂଚନା ଦେଇଛନ୍ତି।
ସେୟାର ବଜାରରୁ ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ପ୍ରତ୍ୟାହାର କରିବାର କୌଣସି ପ୍ରସ୍ତାବ ସରକାରଙ୍କ ନିକଟରେ ନାହିଁ। ବାର୍ଷିକ ବଜେଟ୍ ସମୟରେ ହିଁ ଟ୍ୟାକ୍ସ ନୀତିର ସମୀକ୍ଷା କରାଯାଏ। ବଜାର ନିବେଶକମାନେ ଏହି ଟ୍ୟାକ୍ସ ହଟାଇବାକୁ ଦାବି କରୁଥିଲେ। ମାତ୍ର ସରକାର ଏହି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି।
ସଂସଦରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଆକଳନ ବର୍ଷ ୨୦୨୫-୨୬ରେ LTCG ଟ୍ୟାକ୍ସ ଆଦାୟ ୭୮ ପ୍ରତିଶତ ବୃଦ୍ଧି ପାଇଛି। ଏହି ଟ୍ୟାକ୍ସରୁ ସରକାର ୧,୨୯,୧୫୮ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି। ଗତ ବର୍ଷ ଏହା ୭୨,୨୪୯ କୋଟି ଟଙ୍କା ରହିଥିଲା। ସେୟାର ବିକ୍ରିରୁ ରାଜସ୍ୱ ବୃଦ୍ଧି ପାଉଥିବାରୁ ସରକାର ଏହି ଟ୍ୟାକ୍ସ ଉଚ୍ଛେଦ କରିବା ସପକ୍ଷରେ ନାହାନ୍ତି।
ବର୍ତ୍ତମାନର LTCG ଟ୍ୟାକ୍ସ ନିୟମ:
ଗୋଟିଏ ବର୍ଷରୁ ଅଧିକ ସମୟ ସେୟାର ରଖି ବିକିଲେ ତାହା LTCG ଅଧୀନକୁ ଆସିଥାଏ। ବାର୍ଷିକ ୧.୨୫ ଲକ୍ଷ ଟଙ୍କାରୁ ଅଧିକ ଲାଭ ଉପରେ ୧୨.୫ ପ୍ରତିଶତ ଟ୍ୟାକ୍ସ ଲାଗିଥାଏ। ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ସମ୍ପୂର୍ଣ୍ଣ ଟ୍ୟାକ୍ସ ମୁକ୍ତ ରହିଛି। ଅନ୍ୟପଟେ ସର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଲାଗୁ ହୋଇଥାଏ। ଜୁଲାଇ ୨୦୨୪ ବଜେଟ୍ରୁ ଏହି ନିୟମ ଅପରିବର୍ତ୍ତିତ ରହିଛି।
ତେବେ ସେୟାର ବଜାର ରେକର୍ଡ ସ୍ତରରେ ପହଞ୍ଚିବା ପରେ ନିବେଶକମାନେ ଟ୍ୟାକ୍ସ କୋମଳ ହେବା ଆଶା ରଖିଥିଲେ। LTCG ଟ୍ୟାକ୍ସ କମିଲେ ନିବେଶ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଉଥିଲେ। ମାତ୍ର ସରକାର ସେମାନଙ୍କ ପୁରୁଣା ଆଭିମୁଖ୍ୟ କାୟମ ରଖିଛନ୍ତି। ନିୟମିତ ସମୀକ୍ଷା ହେଉଥିଲେ ବି ବର୍ତ୍ତମାନ LTCG ଟ୍ୟାକ୍ସ ପ୍ରତ୍ୟାହାରର କୌଣସି ସମ୍ଭାବନା ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।