Nine Fishermen Dead: ଇଲିସି ଲୋଭରେ ଚାଲିଗଲା ୯ ମତ୍ସ୍ୟଜୀବୀଙ୍କ ଜୀବନ, ମିଳୁନି ଅନ୍ୟ ୬ ଜଣଙ୍କ ପତ୍ତା
ବଙ୍ଗୋପସାଗର ଭିତରେ ବଡ଼ ଅଘଟଣ। ଝଡ଼ର ତାଣ୍ଡବରେ ସମୁଦ୍ର ଭିତରେ ଉଜୁଡ଼ିଗଲା ଜୀବନ...ଭାସିଗଲା ସଂସାର...ଧୂଳିସାତ ହୋଇଗଲା ସବୁକିଛି...ୟେ ସେହି ମା କାଳୀ ଟ୍ରଲର୍, ଆଜିକୁ ୧୧ ଦିନ ତଳେ ୧୫ ମତ୍ସ୍ୟଜୀବୀଙ୍କ ସହ ନିଖୋଜ ହୋଇଯାଇଥିଲା। ଏବେ ଟ୍ରଲରର ତ ସନ୍ଧାନ ମିଳିଛି। କିନ୍ତୁ ଚାଲିଯାଇଛି ନଅ ନଅଟି ଜୀବନ, ୬ ଜଣ ଏବେ ବି ଲାପତ୍ତା। ଏହି ୧୫ ଜଣଙ୍କ ମଧ୍ୟରୁ ଓଡ଼ିଶାର ୩ ଭାଇ କେଉଁଠି ଓ କେମିତି ଅଛନ୍ତି, କେହି ଜାଣିପାରୁନାହାଁନ୍ତି। ସମୟ ଗଡୁଛି, ମନକୁ ପାପ ବି ଛୁଉଁଛି। କିନ୍ତୁ ଆଉ ବା କ’ଣ କରିହେବ, କେବଳ ଅପେକ୍ଷାରେ ସମୟ କଟୁଛି।
ରବିବାର ସଂଧ୍ୟାରେ ପଶ୍ଚିମବଙ୍ଗ ଦୀଘାରୁ ପ୍ରାୟ ଦେଢ଼ ଶହ କିଲୋମିଟର ଦୂରରେ ଥିବା ରକ୍ତେଶ୍ୱର ବାଲିଚଡ଼ ତଥା ଏକ ଦୀପ ନିକଟରୁ ମିଳିଥିଲା ମା’ କାଳୀ ଟ୍ରଲର୍। ସେହି ଟ୍ରଲରକୁ ଉଦ୍ଧାର ଭିତରେ ପ୍ରଥମେ ଜଣଙ୍କ ମୃତଦେହ ମିଳିଥିଲା। ପରେ ପୁଣି ଖୋଜୁ ଖୋଜୁ ଅନ୍ୟ ୮ ଜଣଙ୍କ ଡେଡବଡ଼ିକୁ ଉଦ୍ଧାର କରିଥିଲେ ଦକ୍ଷିଣ ୨୪ ପ୍ରଗଣାର ଗୋବର୍ଦ୍ଧନପୁର ପୋଲିସ, ବନ ବିଭାଗ ଏବଂ ଭାରତୀୟ ତଟରକ୍ଷୀ ବାହିନୀ। ମୃତଦେହ ଗୁଡ଼ିକୁ ଏବେ ବ୍ୟବଚ୍ଛେଦ ପାଇଁ ପଶ୍ଚିମବଙ୍ଗର କାକଦ୍ୱୀପ ମେଡ଼ିକାଲକୁ ପଠାଯାଇଛି। କିନ୍ତୁ ଅନ୍ୟ ୬ ଜଣଙ୍କ ସହ ୩ ଓଡ଼ିଆଙ୍କ ପତ୍ତା ମିଳୁନଥିବାରୁ ବଢ଼ିଛି ନାନା ଆଶଙ୍କା। ସେହି ୩ ଜଣ ହେଲେ ବାଲେଶ୍ବର ଭୋଗରାଇ ବ୍ଲକ ଉଲୁଡ଼ା ଗାଁର ୩ ଭାଇ ଜଗନ୍ନାଥ ମାଝୀ, ରବିନ୍ଦ୍ର ମାଝୀ ଏବଂ ଜୟରାମ ମାଝୀ। ତାଙ୍କ ପରିବାର ଲୋକେ ବି କାକଦ୍ବୀପ ହସପିଟାଲରେ ପହଞ୍ଚିଛନ୍ତି। ମୃତଦେହ ଗୁଡ଼ିକ ପଚିସଢ଼ି ଯାଇଥିବାରୁ ସମସ୍ତଙ୍କ ଚିହ୍ନଟ ପାଇଁ DNA ପ୍ରକ୍ରିୟା ଜାରି ରହିଛି।
ଜୁଲାଇ ୨ ତାରିଖ। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଶଙ୍କରପୁର ଜେଟିରୁ ୩ ଓଡ଼ିଆଙ୍କ ସହ ୧୫ ମତ୍ସ୍ୟଜୀବୀଙ୍କୁ ଧରି ପ୍ରାୟ ଦେଢ଼ ଶହ କିଲୋମିଟର ଦୂର ତଥା ସାଗର ଦୀପ ପାଖାପାଖି ସମୁଦ୍ରକୁ ଇଲିସି ଧରିବାକୁ ବାହାରିଥିଲା ମା କାଳୀ ଟ୍ରଲର। ପଶ୍ଚିମବଙ୍ଗର ଆଉ ଏକ ଡଙ୍ଗା ବି ସେଦିନ ଏକାସାଙ୍ଗରେ ବାହାରିଥିଲା। ଜୁଲାଇ ୫ରେ ଟ୍ରଲର୍ ମାଲିକ କାର୍ତ୍ତିକ ବେରା ସହ ୱାରଲେସରେ ଶେଷଥର ପାଇଁ ସମସ୍ତେ ଭଲରେ କଥା ବି ହୋଇଥିଲେ। କିନ୍ତୁ ସେହି ରାତିରେ ହଠାତ୍ କଣ ଘଟିଗଲା କେଜାଣି ମା କାଳୀ ଟ୍ରଲର ସହ ବିଚ୍ଛିନ୍ନ ହୋଇଗଲା ଯୋଗାଯୋଗ। ଅନ୍ୟ ଏକ ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କ କହିବା କଥା, ଜୁଲାଇ ୫ ରାତିରେ ସମୁଦ୍ର ଭିତରେ ଉଠିଥିଲା ଭୟଙ୍କର ଝଡ଼। ବିରାଟ ବିରାଟ ଲହଡ଼ି ଭାଙ୍ଗି ଟ୍ରଲର୍ ଗୁଡ଼ିକୁ ଉଠା ପକା କରୁଥିଲା ଗଭୀର ଜଳ ରାଶିରେ। ଟ୍ରଲର ଭିତରେ ବସିଥିବା ୧୫ ମତ୍ସ୍ୟଜୀବୀ ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟା ବି କରିଥିଲେ। କିନ୍ତୁ ଦୁର୍ଭାଗ୍ୟ, ଲହଡ଼ି ମାଡ଼ରେ ରକ୍ତେଶ୍ୱର ବାଲିଚଡ଼ ତଥା ଏକ ଦୀପ ସହ ପିଟି ହୋଇ ଟ୍ରଲରଟି ଓଲଟିପଡ଼ିଥିଲା। ଏବେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ ପୋଲିସ, ବନ ବିଭାଗ ଓ ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ରହିଛି ସର୍ଚ୍ଚ ଅପରେସନ।
ତେବେ ପ୍ରତିକୂଳ ପାଗ ସଂପର୍କରେ କ’ଣ ଆଗୁଆ ସୂଚନା ପାଇନଥିଲେ କି ସଂପୃକ୍ତ ମତ୍ସ୍ୟଜୀବୀ ? ଯଦି ପାଗ ଖରାପ ରହିପାରେ .ବୋଲି ଜାଣିଥିଲେ, ତାହେଲେ ଦେଢ଼ଶହ କିଲୋମିଟର ଦୂରକୁ ମାଛ ଧରିବା ପାଇଁ କାହିଁକି ଗଲେ ? ଏବେ ଏଭଳି ନାନା ପ୍ରଶ୍ନ ଉଠୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।