ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ଯୁବକଙ୍କୁ ହତ୍ୟା

Jun 27, 2026 - 12:29
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା: ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ଯୁବକଙ୍କୁ ହତ୍ୟା

ସୁନ୍ଦରଗଡ଼: ସ୍ୱାମୀ-ସ୍ତ୍ରୀଙ୍କ କଳି ନେଲା ପଡୋଶୀଙ୍କ ଜୀବନ । ସ୍ୱାମୀ-ସ୍ତ୍ରୀଙ୍କ କଳି ଛଡ଼ାଇବାକୁ ଯାଇଥିବା ପଡୋଶୀ ଯୁବକଙ୍କୁ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ମାୟାବାହାଲ ଦେହୁରୀପଡ଼ା ଗାଁରି ଆସିଛି ରପରି ଚାଂଚଲ୍ୟକର ଘଟଣା । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ାର ସମାଧାନ କରିବାକୁ ଯାଇ ଜଣେ ପଡୋଶୀ ଯୁବକଙ୍କୁ ନିଜର ପ୍ରାଣ ହରାଇବାକୁ ପଡ଼ିଛି। ମୃତ ଯୁବକଙ୍କ ନାମ ହେମନ୍ତ ନାୟକ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପଡ଼ୋଶୀ କନ୍ଦର୍ପ ଦେହୁରୀ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଝଗଡ଼ା ଉଗ୍ର ରୂପ ନେବାରୁ କନ୍ଦର୍ପଙ୍କ ପତ୍ନୀ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଯାଇ ହେମନ୍ତଙ୍କ ଘରେ ପହଞ୍ଚିଥିଲେ। ପତ୍ନୀଙ୍କ ପଛେ ପଛେ କନ୍ଦର୍ପ ମଧ୍ୟ ସେଠାରେ ପହଞ୍ଚିଥିଲେ। ତେବେ ହେମନ୍ତ ଏବଂ ତାଙ୍କ ପରିବାର ଲୋକେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ହେଲେ କନ୍ଦର୍ପ ହେମନ୍ତଙ୍କ ଭଉଣୀଙ୍କୁ ମାଡ ମାରିଥିଲେ । ଏହାକୁ ନେଇ ହେମନ୍ତ ଓ କନ୍ଦର୍ପଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପରେ ଗାଁରେ କିଛି ଯୁବକ କନ୍ଦର୍ପଙ୍କୁ ନେଇ ତାଙ୍କ ଘରେ ଛାଡିଥିଲେ ।

ଘଟଣା ସାମାନ୍ୟ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ, ରାତି ପ୍ରାୟ ୧୧ଟା ସମୟରେ ହେମନ୍ତ ନିଜ ଘର ବାହାରେ ବସିଥିବା ବେଳେ ପୂର୍ବ ରାଗକୁ ମନରେ ରଖି ଉତ୍‌କ୍ଷିପ୍ତ ଥିବା କନ୍ଦର୍ପ ହଠାତ୍ ସେଠାରେ ପହଞ୍ଚି ଏକ ଧାରୁଆ ଅସ୍ତ୍ରରେ ହେମନ୍ତଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ହେମନ୍ତଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କନ୍ଦର୍ପ ଦେହୁରୀଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।