ବଙ୍ଗୋପସାଗରରେ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

Jul 13, 2026 - 12:27
ବଙ୍ଗୋପସାଗରରେ ଟ୍ରଲର ବୁଡ଼ି ୯ ମତ୍ସ୍ୟଜୀବୀଙ୍କ ମୃତ୍ୟୁ: ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଉପକୂଳ ବଙ୍ଗୋପସାଗରରେ ଏକ ମାଛଧରା ଟ୍ରଲର ବୁଡ଼ିଯିବା ଯୋଗୁଁ ଏକ ବଡ଼ ଧରଣର ଅଘଟଣ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ନିଖୋଜ ଅଛନ୍ତି। ନିଖୋଜ ଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୩ ଜଣ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ହୋଇଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ବଙ୍ଗୋପସାଗରର କାକଦ୍ୱୀପ ନିକଟରେ ମାଛ ଧରିବାକୁ ଯାଇଥିବା ‘ମା କାଳୀ’ ନାମକ ଏକ ଟ୍ରଲର ବୁଡ଼ି ଯାଇଥିଲା। ଏହି ଘଟଣାରେ ପ୍ରାଣ ହରାଇଥିବା ଏବଂ ନିଖୋଜ ଥିବା ବ୍ୟକ୍ତିମାନଙ୍କ ପାଇଁ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଓଡ଼ିଶାରୁ ନିଖୋଜ ଥିବା ୩ ଜଣ ମତ୍ସ୍ୟଜୀବୀ ହେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଉଲୁଡ଼ା ଗ୍ରାମର ତିନି ଭାଇ- ରବୀନ୍ଦ୍ର ମାଝୀ, ଜଗନ୍ନାଥ ମାଝୀ ଏବଂ ଜୟରାମ ମାଝୀ।

ଏହି ହୃଦୟ ବିଦାରକ ଘଟଣାକୁ ନେଇ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଏକ୍ସ (X) ହ୍ୟାଣ୍ଡେଲରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଯେ, ବଙ୍ଗୋପସାଗରର କାକଦ୍ୱୀପ ନିକଟରେ ମାଛ ଧରିବାକୁ ଯାଇଥିବା ଅନେକ ମତ୍ସ୍ୟଜୀବୀଙ୍କ ସମୁଦ୍ରରେ ନିଖୋଜ ହେବା ଖବର ଶୁଣି ସେ ମର୍ମାହତ। ନିଖୋଜ ଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ତିନିଜଣ ଓଡ଼ିଶାର ବୋଲି ଜାଣି ସେ ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ସେ ମୃତ ମତ୍ସ୍ୟଜୀବୀଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ନିଖୋଜ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।