ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

Jul 13, 2026 - 12:48
ନୂଆ ଭୋଟରଙ୍କ ପାଇଁ ନିର୍ବାଚନ କମିଶନଙ୍କ ବଡ଼ ନିୟମ: ଭୋଟର ତାଲିକାରେ ନାମ ସାମିଲ ପାଇଁ ବାଧ୍ୟତାମୂଳକ ହେଲା ପିତାମାତାଙ୍କ 'ଏସ୍‌ଆଇଆର୍' (SIR) ତଥ୍ୟ

ନୂତନ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ନାଗରିକମାନଙ୍କ ପାଇଁ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଏକ ବଡ଼ ନିୟମ ଲାଗୁ କରିଛନ୍ତି। ଏଣିକି ଭୋଟର ତାଲିକାରେ ନାମ ସାମିଲ କରିବାକୁ ଆବେଦନ କରୁଥିବା ନୂଆ ଆବେଦନକାରୀଙ୍କୁ ନିଜ ପିତାମାତାଙ୍କର ଏସ୍‌ଆଇଆର୍ (SIR) ବା ସ୍ୱତନ୍ତ୍ର ସଘନ ସଂଶୋଧନ ସ୍ଥିତିର ବିବରଣୀ ପ୍ରଦାନ କରିବାକୁ ପଡ଼ିବ। ଅନଲାଇନ୍ ମାଧ୍ୟମରେ ଫର୍ମ-୬ (Form 6) ପୂରଣ କରିବା ବେଳେ ଏହି ନୂତନ ଘୋଷଣାନାମା ଦେବା ଏବେ ବାଧ୍ୟତାମୂଳକ କରାଯାଇଛି।

ନୂଆ ନିୟମ ଅନୁଯାୟୀ, ଆବେଦନକାରୀମାନେ ନିଜ ପିତାମାତା କିମ୍ବା ଜେଜେବାପା ଓ ଜେଜେମାଆଙ୍କ ନାମ ପୂର୍ବ ଏସ୍‌ଆଇଆର୍ ତାଲିକାରେ କିପରି ଥିଲା, ତାହାର ସଠିକ୍ ତଥ୍ୟ ପ୍ରଦାନ କରିବେ। ଏଥିସହିତ ନିର୍ବାଚନମଣ୍ଡଳୀ ନମ୍ବର, ବୁଥ୍ ନମ୍ବର (ପାର୍ଟ ନମ୍ବର) ଏବଂ ଭୋଟର ତାଲିକାର କ୍ରମିକ ସଂଖ୍ୟା ମଧ୍ୟ ଦେବାକୁ ପଡ଼ିବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଆବେଦନକାରୀଙ୍କୁ ୨୦୦୨ ମସିହାର ଏସ୍‌ଆଇଆର୍ ତାଲିକା ତଥ୍ୟ ଆଧାରରେ ନିଜର ପାରିବାରିକ ଲିଙ୍କ୍ ଦେବାକୁ କୁହାଯାଇଛି। ବିନା ଏହି ଘୋଷଣାନାମାରେ ଅନଲାଇନ୍‌ରେ ନୂଆ ଆବେଦନ ପ୍ରକ୍ରିୟା ଆଗକୁ ବଢ଼ିପାରିବ ନାହିଁ କିମ୍ବା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ବୋଲି ଇସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କାହିଁକି ଲାଗୁ ହେଲା ଏହି ନୂଆ ନିୟମ?

ନିର୍ବାଚନ କମିଶନଙ୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୂଆ ଭୋଟରଙ୍କୁ ପରିବାରର ପୁରୁଣା ରେକର୍ଡ ସହିତ ସଠିକ୍ ଭାବରେ ଯୋଡ଼ିବା (ମ୍ୟାପିଂ କରିବା) ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ଯାଞ୍ଚ ପ୍ରକ୍ରିୟା ସହଜ ହେବା ସହ ଆବେଦନକାରୀଙ୍କୁ ଅଯଥା ଅଧିକ ପ୍ରମାଣପତ୍ର ଓ କାଗଜପତ୍ର ଦେବାରୁ ମୁକ୍ତି ମିଳିବ। ଏହାସହିତ ଭୋଟର ତାଲିକାରୁ ନକଲି, ସ୍ଥାନାନ୍ତରିତ, ବିଦେଶୀ ଏବଂ ମୃତ ଭୋଟରଙ୍କ ନାମକୁ ସହଜରେ ଚିହ୍ନଟ କରି ହଟାଇବା ସହ ଏକ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବାରେ ଏହି ନିୟମ ବିଶେଷ ସହାୟକ ହେବ।

ଓଡ଼ିଶାରେ ଚାଲିଛି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)

ବର୍ତ୍ତମାନ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଏସ୍‌ଆଇଆର୍ ପ୍ରକ୍ରିୟା ଜାରି ରହିଛି। ସୂଚନାଯୋଗ୍ୟ ଯେ, ନିକଟରେ ଓଡ଼ିଶାରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ତ୍ରୁଟିପୂର୍ଣ୍ଣ ଓ ଅଯୋଗ୍ୟତା କାରଣରୁ ରାଜ୍ୟର ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାମ ତାଲିକାରୁ କାଟି ଦିଆଯାଇଛି। ଯେଉଁମାନଙ୍କ ନାମ ବାଦ୍ ପଡ଼ିଛି କିମ୍ବା ନୂଆ ନାମ ଯୋଡିବାର ଅଛି, ସେମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ଆବେଦନ କରିପାରିବେ ଏବଂ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏଭଳି ସମୟରେ ନୂଆ ଭୋଟରଙ୍କ ପାଇଁ ପିତାମାତାଙ୍କ ତଥ୍ୟ ବାଧ୍ୟତାମୂଳକ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ତେବେ କାଗଜପତ୍ର (ଅଫଲାଇନ୍) ଫର୍ମ-୬ରେ କୌଣସି ଆଇନଗତ ସଂଶୋଧନ ହୋଇନଥିଲେ ମଧ୍ୟ ଇସିଆଇର ଅନଲାଇନ୍ ପୋର୍ଟାଲରେ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ଓ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳୁଛି |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।