ଗୁରୁଗ୍ରାମରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକା ରୁମକୁ ନେଇ ନବବିବାହିତା ପତ୍ନୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ, ନେପାଳ ଫେରାର୍

Jul 06, 2026 - 15:26
ଗୁରୁଗ୍ରାମରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ପ୍ରେମିକା ରୁମକୁ ନେଇ ନବବିବାହିତା ପତ୍ନୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ, ନେପାଳ ଫେରାର୍

ହରିୟାଣାର ଗୁରୁଗ୍ରାମ ଅନ୍ତର୍ଗତ ମାନେସର ଅଞ୍ଚଳରୁ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ତିନି ମାସ ପରେ ଜଣେ ୨୫ ବର୍ଷୀୟ ଯୁବକ ତାର ନବବିବାହିତା ପତ୍ନୀଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଛି। ଏହି ହତ୍ୟାକାଣ୍ଡରେ ତାର ୩୮ ବର୍ଷୀୟା ପ୍ରେମିକା ମଧ୍ୟ ସାମିଲ ଥିବା ପୋଲିସ ସୂତ୍ରରୁ ଜଣାପଡିଛି।

ଯୋଜନାବଦ୍ଧ ହତ୍ୟାକାଣ୍ଡ

ପୋଲିସର ସୂଚନାନୁସାରେ, ଅଭିଯୁକ୍ତର ନାମ ଅଙ୍କିତ ଏବଂ ତାଙ୍କ ପ୍ରେମିକାଙ୍କ ନାମ ରଜନୀ ଦେବୀ। ଅଙ୍କିତ ମାନେସରରେ ଏକ ଦୋକାନ ଚଳାଉଥିବା ବେଳେ ରଜନୀ ଏକ ବିୟୁଟି ପାର୍ଲରରେ କାମ କରୁଥିଲେ। ଗତ ତିନି ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଫେବୃଆରୀ ୨୦୨୬ ରେ ଅଙ୍କିତ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ମଧ୍ୟ ଅଙ୍କିତ ଏବଂ ରଜନୀଙ୍କର ସମ୍ପର୍କ ଜାରି ରହିଥିଲା ଏବଂ ପତ୍ନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଉଭୟ ମିଶି ଏକ ଷଡ଼ଯନ୍ତ୍ର ରଚିଥିଲେ। ମେ' ୨୧ ତାରିଖ ଦିନ ଅଙ୍କିତ କୌଶଳ କ୍ରମେ ନିଜ ପତ୍ନୀଙ୍କୁ ପ୍ରେମିକା ରଜନୀଙ୍କ ଭଡ଼ା ଘରକୁ ଡାକି ନେଇଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଯୋଜନା ଅନୁଯାୟୀ, ଅଙ୍କିତ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଦୁଇ ମାସ ପୂର୍ବରୁ ଉତ୍ତରପ୍ରଦେଶରୁ କିଣାଯାଇଥିଲା।

ହତ୍ୟା ପରେ ନେପାଳ ଫେରାର୍

ଝିଅ ନିଖୋଜ ହେବା ପରେ ମେ' ୨୨ ତାରିଖରେ ଯୁବତୀଙ୍କ ମା' ମାନେସର ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଏର କରିଥିଲେ। ପୋଲିସର ତଦନ୍ତ ସମୟରେ ରଜନୀଙ୍କ ଭଡ଼ା ଘରୁ ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ, ଅପରାଧ ଘଟାଇବା ପରେ ଅଙ୍କିତ ଏବଂ ରଜନୀ ପ୍ରଥମେ ହରିଦ୍ୱାର ଏବଂ ପରେ ନେପାଳ ଫେରାର୍ ହୋଇଯାଇଥିଲେ। ପ୍ରାୟ ଏକ ମାସ ଧରି ଲୁଚି ରହିବା ପରେ, ଜୁନ୍ ୩୦ ତାରିଖରେ ଉଭୟ ଭାରତ ଫେରିଥିଲେ।

ପୋଲିସ ହାତରେ ଉଭୟ ଗିରଫ

ଉଭୟ ଅଭିଯୁକ୍ତ ଭାରତ ଫେରିବା ମାତ୍ରେ ଟେକ୍ନିକାଲ୍ ସର୍ଭେଲାନ୍ସ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଗୁରୁଗ୍ରାମ ପୋଲିସ ସେମାନଙ୍କୁ ଗିରଫ କରିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ କରିଛି। ବର୍ତ୍ତମାନ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ଏବଂ ଆଗାମୀ ଦିନରେ ଏହି ଘଟଣାର ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।