ରଥଯାତ୍ରା ୨୦୨୬: ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ମୁତୟନ ହେବେ ୧୨,୦୦୦ ପୋଲିସ କର୍ମୀ

Jul 06, 2026 - 15:26
ରଥଯାତ୍ରା ୨୦୨୬: ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀରେ ମୁତୟନ ହେବେ ୧୨,୦୦୦ ପୋଲିସ କର୍ମୀ

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ପାଇଁ ଚଳିତ ବର୍ଷ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ପ୍ରାୟ ୧୨,୦୦୦ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯିବ।

ଏହି ପ୍ରସ୍ତୁତି ବୈଠକ ପରେ ଡିଜିପି ୱାଇ.ବି. ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ପୋଲିସ ବିଭାଗ ନିଜର ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା ଏବଂ ସୁରକ୍ଷିତ ରଥଟଣା ଉପରେ ପୋଲିସ ବିଶେଷ ଧ୍ୟାନ ଦେବ। ଚଳିତ ବର୍ଷର ସୁରକ୍ଷା ବ୍ୟବସ୍ଥାର ତଦାରଖ ଏସ. ପ୍ରିୟଦର୍ଶୀ କରୁଥିବାବେଳେ ସୁଚାରୁ ପରିଚାଳନା ପାଇଁ ଟେକ୍ନୋଲୋଜିର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଶ୍ରୀମନ୍ଦିର, ତିନି ରଥ, ବଡ଼ଦାଣ୍ଡ, ପୁରୀ ବେଳାଭୂମି ଏବଂ ରେଳ ଷ୍ଟେସନର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସମଗ୍ର ସହରକୁ ସିସିଟିଭି ନଜରରେ ରଖାଯିବ। ଏହି ବୃହତ ଧାର୍ମିକ ସମାବେଶ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ (IPS) ଅଧିକାରୀ, ସିଆରପିଏଫ (CRPF) ଏବଂ ବିଏସଏଫ (BSF) ସମେତ ୧୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (CAPF) ମୁତୟନ ହେବେ। ଏହାଛଡ଼ା ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ପୋଲିସ (OSAP), ଆଇଆରବିଏନ (IRBN) ଏବଂ ଟ୍ରାଫିକ ଫୋର୍ସର ପ୍ରାୟ ୨୫୦ ପ୍ଲାଟୁନ୍ ପୁରୀରେ ସୁରକ୍ଷା ଦାୟିତ୍ୱ ତୁଲାଇବେ। ଭିଡ଼ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥାରେ ସହାୟତା ପାଇଁ ପ୍ରାୟ ୩,୦୦୦ ହୋମଗାର୍ଡଙ୍କୁ ମଧ୍ୟ ନିୟୋଜିତ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।