ଗୁଜରାଟରେ ଚାନ୍ଦିପୁରା ଭାଇରସ ଆତଙ୍କ: ୨୨ ଶିଶୁଙ୍କ ମୃତ୍ୟୁ, ୩୫ ପଜିଟିଭ୍

Aug 04, 2026 - 15:35
ଗୁଜରାଟରେ ଚାନ୍ଦିପୁରା ଭାଇରସ ଆତଙ୍କ: ୨୨ ଶିଶୁଙ୍କ ମୃତ୍ୟୁ, ୩୫ ପଜିଟିଭ୍

ଗାନ୍ଧୀନଗର: ଗୁଜରାଟରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ସଂକ୍ରମଣରେ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ, ରାଜ୍ୟରେ ମୋଟ ୩୫ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ସର୍ବେକ୍ଷଣ ଏବଂ ଚିକିତ୍ସା ପ୍ରକ୍ରିୟା ଜୋରଦାର କରାଯାଇଛି।

ଏହି ସ୍ୱାସ୍ଥ୍ୟ ସଙ୍କଟ ସମ୍ପର୍କରେ ସୂଚନା ଦେଇ ଗୁଜରାଟର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଫୁଲ୍ଲ ପାନଶେରିୟା କହିଛନ୍ତି ଯେ ରାଜ୍ୟରେ ଏପର୍ଯ୍ୟନ୍ତ ୧୮୪ଟି ସନ୍ଦିଗ୍ଧ ମାମଲା ରିପୋର୍ଟ କରାଯାଇଛି, ଯେଉଁଥିରୁ ୩୫ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ଏବଂ ୧୧ଟି ନମୁନାର ଫଳାଫଳ ଏବେ ବି ଅପେକ୍ଷାରେ ରହିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ ସନ୍ଦିଗ୍ଧ ମୃତ୍ୟୁ ମଧ୍ୟରୁ ୨୨ ଜଣ ଶିଶୁ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ୭ ଜଣ ରୋଗୀ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ଗୁଜରାଟରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁସାରେ, ଗାନ୍ଧୀନଗର, ସାବରକାଣ୍ଠା ଜିଲ୍ଲାର ହିମ୍ମତନଗର, ପାଟଣ, ରାଜକୋଟ ଏବଂ ଭାବନଗରର ସିଭିଲ ହସ୍ପିଟାଲରେ ଶିଶୁମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯାଉଛି। ଏହି ସଂକ୍ରମଣ କେବଳ ଗୋଟିଏ ଗାଁ ବା ଅଞ୍ଚଳରେ ସୀମିତ ନାହିଁ, ବରଂ ଗୁଜରାଟର ବିଭିନ୍ନ ପ୍ରାନ୍ତରୁ ମାମଲା ଆସୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଗ୍ରାଉଣ୍ଡରେ ସକ୍ରିୟ ରହିଛନ୍ତି।

ପ୍ରତିଷେଧକ ମୂଳକ ପଦକ୍ଷେପ ସ୍ୱରୂପ, ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ମାଟି ଘର ଏବଂ କାନ୍ଥର ଫାଟଗୁଡ଼ିକୁ ବନ୍ଦ କରିବାକୁ ପରାମର୍ଶ ଦେଇଛି। ଏହା ସହିତ ଗୃହପାଳିତ ପଶୁ ରହୁଥିବା ଅଞ୍ଚଳରେ କୀଟନାଶକ ସିଞ୍ଚନ କରାଯାଉଛି। ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଚାନ୍ଦିପୁରା ଭାଇରସ ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ଟିକା କିମ୍ବା ଔଷଧ ଉପଲବ୍ଧ ନାହିଁ। ତେଣୁ, ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଠାରେ ଜ୍ୱର, ବାନ୍ତି, ବାତ ମାରିବା ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଚାନ୍ଦିପୁରା ଭାଇରସ୍ – ସି.ଏଚ୍. ପି.ଭି.  ଏକ ବିରଳ ଏବଂ ବିପଦପୂର୍ଣ୍ଣ ଭେକ୍ଟର- ବାହିତ ରୋଗ । ଯାହା ତୀବ୍ର ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍  ସୃଷ୍ଟି କରେ, ଯାହା ମୁଖ୍ୟତଃ ବାଲି ମାଛି କାମୁଡ଼ା ଦ୍ୱାରା ବ୍ୟାପିଥାଏ ଏବଂ ମୁଖ୍ୟତଃ ୧୫  ବର୍ଷରୁ କମ୍ ବୟସ୍କ ପିଲାମାନେ ପ୍ରଭାବିତ ହୁଅନ୍ତି । ଏହି ଭାଇରସ୍ ସଂକ୍ରମଣ ପରେ ଗୁଜରାଟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।