କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Jul 22, 2026 - 11:19
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦେଶବ୍ୟାପୀ ବିରୋଧୀ ଦଳ ଗୁଡ଼ିକ ସରକାରଙ୍କୁ ଘେରୁଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତ ଅବସରରେ ଆଜି ଦଳୀୟ ସାଂସଦଙ୍କ ସହ ବୈଠକ ପରେ ସେ ସାମ୍ପ୍ରତିକ ଘଟଣାବଳୀକୁ ସ୍ପର୍ଶକାତର ବୋଲି ମତ ରଖିଛନ୍ତି।

ଜାତୀୟ ଗଣମାଧ୍ୟମକୁ ନବୀନ କହିଛନ୍ତି ଯେ ଦିଲ୍ଲୀ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଏବଂ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ଗଣତନ୍ତ୍ର ପାଇଁ ଚିନ୍ତାଜନକ। ମୁଁ ଦିଲ୍ଲୀରେ ଘଟିଥିବା ଅତ୍ୟନ୍ତ ଗୁରୁତର ପରିସ୍ଥିତି ସମ୍ପର୍କରେ ବିଜୁ ଜନତା ଦଳର ସାଂସଦମାନଙ୍କ ସହ ଏକ ବୈଠକ କରିଛି। ଦୁଇ ଦିନ ପୂର୍ବରୁ ମୁଁ ଏହି ବିଷୟରେ ବିସ୍ତୃତ ମତ ରଖିଥିଲି, ଯାହାକୁ ଜାତୀୟ ଗଣମାଧ୍ୟମ ବ୍ୟାପକ ଭାବେ ପ୍ରସାର କରିଛି। ବର୍ତ୍ତମାନର ସ୍ଥିତି ଅତ୍ୟନ୍ତ ଗୁରୁତର ଏବଂ ଉଦବେଗଜନକ। ଅନେକ ଯୁବ ଛାତ୍ରଛାତ୍ରୀଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଛି, ସେମାନେ ଗୁରୁତର ଭାବରେ ଆହତ ହୋଇଛନ୍ତି। ବିଜୁ ଜନତା ଦଳର ସାଂସଦମାନେ ଆହତ ଛାତ୍ରଛାତ୍ରୀଙ୍କୁ ଡ଼ାକ୍ତରଖାନାରେ ଭେଟିଛନ୍ତି। ଆହତ ଯୁବକ ଯୁବତୀମାନଙ୍କ ପାଇଁ ଯାହା ସମ୍ଭବ ସମସ୍ତ ସହାୟତା କରିବାକୁ ଆଶ୍ୱାସନା ଦେଇଛନ୍ତି ଓ ସହଯୋଗ କରୁଛନ୍ତି। ଦିଲ୍ଲୀରେ ଘଟିଥିବା ଘଟଣା ଅତ୍ୟନ୍ତ ଗମ୍ଭୀର।  କେବଳ ଦିଲ୍ଲୀରେ ନୁହେଁ; ଦେଶର  ବିଭିନ୍ନ ସହର ଓ ବିଦେଶରେ ବିିଭିନ୍ନ ଦେଶ ରାଜଧାନୀରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। 

ଆସନ୍ତାକାଲି ସକାଳେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଭୁବନେଶ୍ୱର ଫେରିବାକୁ ପଡ଼ୁଛି; କିନ୍ତୁ ଆମର ସାଂସଦମାନେ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ସଂସଦରେ ଉଠାଇବେ। ଏହି ଘଟଣାରେ ଅନେକ ଯୁବକ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏପରି ପରିସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦତ୍ୟାଗ କରିବା ଉଚିତ ବୋଲି ନବୀନ କହିଛନ୍ତି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।