କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର
ନୂଆଦିଲ୍ଲୀ: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ କକରୋଚ୍ ଜନତା ପାର୍ଟି (CJP) ର ମୁଖପାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ପାଖାପାଖି ୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ଅମୀମାଂସିତ ରହିଛି, କାରଣ ସିଜେପି ନିଜର ଗୋଟିଏ ପ୍ରମୁଖ ଦାବିରେ ଅଟଳ ରହିଛି।
ସରକାରଙ୍କ ପକ୍ଷରୁ ଜେ.ପି. ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରତିନିଧିତ୍ୱ କରିଥିବା ବେଳେ ସିଜେପି ପକ୍ଷରୁ ଏହାର ଦୁଇ ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ଯୋଗ ଦେଇଥିଲେ। ଏହି ଆଲୋଚନା ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ନଡ୍ଡା କହିଛନ୍ତି, "ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ସେମାନଙ୍କର ୩ଟି ମୁଖ୍ୟ ଦାବି ଏବଂ ୫ଟି ସଂସ୍କାରମୂଳକ ପରାମର୍ଶ ଥିଲା। ଆମେ ଆସନ୍ତାକାଲି ପୁଣି ଥରେ ସେମାନଙ୍କୁ ଭେଟିବା ବୋଲି ଜଣାଇଛୁ।" ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ସେମାନଙ୍କର ଅଭିଯୋଗକୁ ବିସ୍ତୃତ ଭାବେ ଶୁଣାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ସିଜେପି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନିଜ ଜିଦ୍ରେ ଅଟଳ ରହିଛି। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ, "ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେଇ ସରକାର ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ନିଟ୍ ଆଶାୟୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଛାତ୍ରମାନଙ୍କ ଉପରୁ ମାମଲା ପ୍ରତ୍ୟାହାର ଭଳି ୨ଟି ଦାବିରେ ସରକାର ରାଜି ହୋଇଛନ୍ତି।"
କେନ୍ଦ୍ର ସରକାର ଏବଂ ସିଜେପି ମଧ୍ୟରେ ଏହା ଥିଲା ଦ୍ୱିତୀୟ ପର୍ଯ୍ୟାୟର ଆଲୋଚନା। ଗୁରୁବାର ଦିନ ପିଏମ୍ଓ (PMO) ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପିକୁ ଆଲୋଚନା ପାଇଁ ଆହ୍ୱାନ ଦେବା ସହ କହିଥିଲେ ଯେ ସରକାରଙ୍କ ଦ୍ୱାର ସବୁବେଳେ ଖୋଲା ଅଛି ଏବଂ ଆନ୍ଦୋଳନକାରୀ ନିଜ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ କରିପାରିବେ। ଅନ୍ୟପକ୍ଷରେ, ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଗୁରୁବାର ରାତିରେ ତାଙ୍କର ୨୬ ଦିନର ଆମରଣ ଅନଶନ ପ୍ରତ୍ୟାହାର କରିବା ପରେ ପରେ ସିଜେପି ସହ କେନ୍ଦ୍ର ସରକାରଙ୍କ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।