ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

Jun 25, 2026 - 11:53
ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବ । ବିଦର୍ଭ ରାଜା ଭିଷ୍ମକଙ୍କ କନ୍ୟା ଋକ୍ମିଣୀଙ୍କୁ ଆଜି ବିବାହ କରିବେ ମହାପ୍ରଭୁ। ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଏଣୁ  ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ନ ଦିନ ୧ ଟାରୁ ୬ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ। ଏହାପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ। ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ ।

ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ମହାଜନ ସେବକ ରୁକ୍ମିଣୀଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ବିଜେ କରାଇବେ। ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହେବ। ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯିବ। ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ।

ବୁଧବାର ସନ୍ଧ୍ୟା ଧୂପ ବଢ଼ିବା ପରେ ଘଣ୍ଟ, କାହାଳୀ, ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଛି। ଏହି ନୀତିକୁ ରାଜେନ୍ଦ୍ରାଭିଷେକ କୁହାଯାଏ। ବୁଧବାର ଜ୍ୟେଷ୍ଠ ଶୁକ୍ଳ ଦଶମୀ। ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ନୀତି ବଢ଼ିବା ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇ ଭୋଗବାଟ ଗଣେଶଙ୍କଠାରେ ପଡ଼ିଥିବା ଖଟ ଉପରେ ବିଜେ କରିଥିଲେ। ଏହାପରେ ଭିତର ଶୋଧ ହୋଇ ଜୟ ବିଜୟ ଦ୍ୱାର ବନ୍ଦ ରହି ଆଲଟ ଲାଗି ହୋଇଥିଲା। ଜଣେ ସେବକ ଡଗର ଭାବେ ଆସି ମଦନମୋହନଙ୍କୁ ଋକ୍ମିଣୀ ବିବାହ ପ୍ରସ୍ତାବ ଜଣାଇଥିଲେ। ଏହାପରେ ମହାଜନେ ଠାକୁରଙ୍କୁ ହାତରେ ବିଜେ କରାଇ ଆଣି ବଟମୂଳେ ଥିବା ରଥରେ ବିଜେ କରାଇଥିଲେ। ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସହିତ ରଥାରୁଢ଼ ମହାପ୍ରଭୁଙ୍କୁ ଭିତର ବେଢ଼ାରେ ଗୋଟିଏ ଘେରା ପରିକ୍ରମା କରାଇଥିଲେ। କୁତ କଉତୁକ ଋଷି (ଜଣେ ସେବକ) ଦଣ୍ଡ ପ୍ରଣାମ କରି ମହାପ୍ରଭୁଙ୍କୁ ଦକ୍ଷିଣୀ ଘରକୁ ନେଇଥିଲେ। ସେଠାରେ ଠାକୁର ଖଟ ଉପରେ ବିଜେ ହେବା ପରେ ପଞ୍ଚାମୃତ ମହାସ୍ନାନ ହୋଇଥିଲା। ଫୁଲ ଚନ୍ଦନ ଲାଗି ହୋଇ ବେଶ ହୋଇଥିଲା। ଶୀତଳ ଭୋଗ ମଣୋହୀ ହୋଇ ଖିରି, ଅମାଲୁ ଭୋଗ ବନ୍ଦାପନା ବଢ଼ିଥିଲା। ଏହାପରେ ଠାକୁର ଦକ୍ଷିଣଘର ସ୍ୱସ୍ଥାନକୁ ବିଜେ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ନିକଟରେ ଛତି ଟେକା ହୋଇ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା। ଗୁରୁବାର ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁ ୠକ୍ମିଣୀଙ୍କୁ ବିବାହ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।