Weather Update: ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ ଲଘୁଚାପ, ୮ ତାରିଖ ଯାଏ ପ୍ରବଳ ବର୍ଷିବ, ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Jul 04, 2026 - 07:34
Weather Update: ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ ଲଘୁଚାପ, ୮ ତାରିଖ ଯାଏ ପ୍ରବଳ ବର୍ଷିବ, ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଭୁବନେଶ୍ୱର,୦୪/୦୭: ଲଘୁଚାପ ଆହୁରି ବଳୁଆ ହେବ । ଘନୀଭୂତ ହୋଇ ଆହୁରି ବର୍ଷା ଟାଣିବ । ଏହା ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ କନ୍ଧମାଳରେ ଭୀଷଣ ବର୍ଷା ଆଶଙ୍କା ଅଛି । ପାଣିପାଗ ବିଭାଗ ଏଭଳି ସତର୍କ କରାଇଛି । ଶନିବାର ରାଜ୍ୟରେ ଭାରି ବର୍ଷା ଜାରି ରହିବ । ଭୀଷଣ ବର୍ଷା ଆଶଙ୍କାରେ ୫ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କଟକ, ଢେଙ୍କାନାଳ, କେନ୍ଦୁଝର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନୟାଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଦିଆଯାଇଛି । ଉପକୂଳ ଓଡ଼ିଶା, ଦକ୍ଷିଣ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ବହୁ ସ୍ଥାନରେ ବର୍ଷା ଲାଗି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର, ଏହାର ନିକଟବର୍ତ୍ତୀ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ଥିବା ଲଘୁଚାପ କ୍ଷେତ୍ର ଶୁକ୍ରବାର ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ରହିଥିଲା । ଆଗାମୀ ଦୁଇ ଦିନରେ ଏହା ଅଧିକ ଘନୀଭୂତ ହେବ । ସମ୍ଭବତଃ ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୯ ତାରିଖ ଯାଏ ଓଡ଼ିଶାରେ ବର୍ଷା ହେବ । କିନ୍ତୁ ୮ ତାରିଖ ଯାଏ ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଆକଳନ କରିଛି । ଅଧିକ ପଢ଼ନ୍ତୁ :-  Lightning : ବରଯାତ୍ରୀଙ୍କ ଉପରେ ବଜ୍ରପାତ ; ଜଣେ ମୃତ, ୨ ଗୁରୁତର ଗତ ୨୪ ଘଣ୍ଟାରେ ବରଗଡ଼ ଅମ୍ବାଭୋନାରେ ସର୍ବାଧିକ ୩୨୦ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ବଲାଙ୍ଗୀରରେ ୧୫୦ମିମି, କଣ୍ଟାମାଳରେ ୧୩୦ମିମି,ବୀରମହାରାଜପୁରରେ ୧୨୦, ତରଭାରେ ୧୧୦ମିମି ବର୍ଷା ରେକର୍ଡ ହୋଇଛି । ଶୁକ୍ରବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ୫ଟା ଭିତରେ ଛତ୍ରପୁରରେ ସର୍ବାଧିକ ୮୩ ମିମି ବର୍ଷା ହୋଇଛି । ଗୋପାଳପୁରରେ ୬୭.୭ ମିମି, ନୟାଗଡ଼ରେ ୫୩, ଜଗତସିଂହପୁରରେ ୪୫.୨, ଖୋର୍ଦ୍ଧାରେ ୪୫, କଟକରେ ୪୪.୪, ଚାନ୍ଦବାଲିରେ ୩୧.୯, ଭୁବନେଶ୍ୱରରେ ୨୮.୬, ସମ୍ବଲପୁରରେ ୨୫.୫, ଅନୁଗୁଳରେ ୨୧ମିମି ବର୍ଷା ରେକର୍ଡ ହୋଇଛି।