02 JULY 2026

Welcome!

Unlock your personalized experience.
Sign Up

Vladimir Lenin: ୧୦୨ ବର୍ଷ ହେଲା ହୋଇନି ଅନ୍ତିମ ସଂସ୍କାର ! କାହିଁକି ସଂରକ୍ଷିତ ରହିଛି ଲେନିନଙ୍କ ମୃତଦେହ ?

Jul 02, 2026 - 18:35
Vladimir Lenin: ୧୦୨ ବର୍ଷ ହେଲା ହୋଇନି ଅନ୍ତିମ ସଂସ୍କାର ! କାହିଁକି ସଂରକ୍ଷିତ ରହିଛି ଲେନିନଙ୍କ ମୃତଦେହ ?

ନୂଆଦିଲ୍ଲୀ, ୦୨/୦୭:​​​​​​​  ୧୦୨ ବର୍ଷ ହେଲା ମଧ୍ୟ ହୋଇନି ଅନ୍ତିମ ସଂସ୍କାର ! କାହିଁକି ଆଜି ବି ସଂରକ୍ଷିତ ଅଛି ଲେନିନଙ୍କ ମୃତଦେହ ? ସାଧାରଣତଃ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଏ। ଅଧିକ ସମୟ ମୃତଦେହ ରଖିବାକୁ ଅନେକ ସମାଜରେ ଅଶୁଭ ବୋଲି ମନେ କରାଯାଏ। କିନ୍ତୁ ବିଶ୍ୱ ଇତିହାସରେ ଏପରି କିଛି ପ୍ରଭାବଶାଳୀ ନେତା ଅଛନ୍ତି, ଯାହାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମୃତଦେହ ଆଜି ପର୍ଯ୍ୟନ୍ତ ସଂରକ୍ଷିତ ରହିଛି। ନିକଟରେ ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ଅନ୍ତିମ ସଂସ୍କାର ବିଳମ୍ବକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ପୁଣିଥରେ ଆଲୋଚନାକୁ ଆସିଛି ଏମିତି ଜଣେ ବିଶ୍ୱନେତାଙ୍କ କଥା, ଯାହାଙ୍କ ମୃତ୍ୟୁର ଏକ ଶତାବ୍ଦୀରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କର ଦାହ ସଂସ୍କାର ହୋଇନାହିଁ। ସେ ହେଲେ ରୁଷ ବିପ୍ଳବର ମହାନାୟକ ଭ୍ଲାଦିମିର ଇଲିଚ୍ ଲେନିନ । ଆଜି ମଧ୍ୟ ତାଙ୍କ ସଂରକ୍ଷିତ ମୃତଦେହ ରୁଷର ମସ୍କୋ ସ୍ଥିତ ରେଡ୍ ସ୍କୋୟାରରେ ଥିବା ଲେନିନ୍ ମ୍ୟୁଜିୟମରେ କାଚର କଫିନ ମଧ୍ୟରେ ରଖାଯାଇଛି। ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଇତିହାସପ୍ରେମୀ ଏହାକୁ ଦେଖିବା ପାଇଁ ସେଠାକୁ ଯାଆନ୍ତି ।

କିଏ ଥିଲେ ଭ୍ଲାଦିମିର ଲେନିନ?

ଭ୍ଲାଦିମିର ଇଲିଚ୍ ଲେନିନଙ୍କ ଜନ୍ମ ୨୨ ଏପ୍ରିଲ ୧୮୭୦ରେ ରୁଷରେ ହୋଇଥିଲା। ୧୯୧୭ ମସିହାର ବଲସେଭିକ୍ ବିପ୍ଳବର ସେ ଥିଲେ ପ୍ରମୁଖ ନେତା। ଏହି ବିପ୍ଳବ ରୁଷର ରାଜତନ୍ତ୍ରର ଅନ୍ତ ଘଟାଇଥିଲା ଏବଂ ବିଶ୍ୱର ପ୍ରଥମ କମ୍ୟୁନିଷ୍ଟ ରାଷ୍ଟ୍ର ସୋଭିଏତ୍ ୟୁନିଅନ୍ର ସୃଷ୍ଟି କରିଥିଲା । ପରେ ଲେନିନ ସୋଭିଏତ୍ ୟୁନିଅନର ପ୍ରଥମ ନେତା ହୋଇଥିଲେ ଏବଂ ତାଙ୍କ ଚିନ୍ତାଧାରା ବିଶ୍ୱର ଅନେକ ଦେଶର ରାଜନୀତିକୁ ପ୍ରଭାବିତ କରିଥିଲା।

ମୃତ୍ୟୁ ପରେ କାହିଁକି ହେଲାନି ଅନ୍ତିମ ସଂସ୍କାର?

ଲେନିନଙ୍କ ମୃତ୍ୟୁ ୨୧ ଜାନୁଆରୀ ୧୯୨୪ରେ ୫୩ ବର୍ଷ ବୟସରେ ହୋଇଥିଲା। ପ୍ରଥମେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ହୋଇଥିଲା। କିନ୍ତୁ ଲକ୍ଷ ଲକ୍ଷ ଲୋକ ଶେଷ ଥର ପାଇଁ ତାଙ୍କୁ ଦେଖିବାକୁ ଚାହୁଁଥିବାରୁ ସେହି ପ୍ରକ୍ରିୟା ବିଳମ୍ବ ହୋଇଥିଲା। ପରେ ସୋଭିଏତ୍ ନେତୃତ୍ୱ ଏକ ଐତିହାସିକ ନିଷ୍ପତ୍ତି ନେଇ ତାଙ୍କ ମୃତଦେହକୁ ଦୀର୍ଘକାଳ ପାଇଁ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଏକ ଅସ୍ଥାୟୀ କାଠ ନିର୍ମିତ ସ୍ମାରକରେ ତାଙ୍କ ଶରୀରକୁ ରଖାଯାଇଥିଲା। କିନ୍ତୁ ପରେ ମସ୍କୋର ରେଡ୍ ସ୍କୋୟାରରେ ସ୍ଥାୟୀ ଲେନିନ୍ ମ୍ୟୁଜିୟମ୍ ନିର୍ମାଣ କରାଯାଇଥିଲା, ଯେଉଁଠାରେ ଆଜି ପର୍ଯ୍ୟନ୍ତ ତାଙ୍କ ମୃତଦେହ ସଂରକ୍ଷିତ ରହିଛି।

୧୦୨ ବର୍ଷ ଧରି କିପରି ସଂରକ୍ଷିତ ରହିଛି ଶରୀର?

ଲେନିନଙ୍କ ଶରୀର ସଂରକ୍ଷଣ ପଛରେ ରହିଛି ଆଧୁନିକ ବିଜ୍ଞାନ ଓ ନିରନ୍ତର ରକ୍ଷଣାବେକ୍ଷଣ। ତାଙ୍କ ଶରୀରକୁ ସଂରକ୍ଷିତ କରିବା ପାଇଁ କେବଳ ଫର୍ମାଲିନ୍ ବ୍ୟବହାର କରାଯାଇନଥିଲା ବରଂ ସୋଭିଏତ୍ ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ରାସାୟନିକ ପ୍ରଣାଳୀ ବିକଶିତ କରିଥିଲେ। ଶରୀରରୁ ରକ୍ତ ଓ ଅନ୍ୟ ତରଳ ପଦାର୍ଥ ବାହାର କରି ବିଶେଷ ରାସାୟନିକ ଦ୍ରବଣ ଦ୍ୱାରା ଟିସୁଗୁଡ଼ିକୁ ସଂରକ୍ଷିତ କରାଯାଇଥିଲା। ଆଜି ବି ଚାଲିଛି ତାଙ୍କ ଶରୀରକୁ ସତେଜ ରଖିବା ପାଇଁ ବିଶେଷ ଯତ୍ନ ନିବଯାଉଛି। ଯେପରିକି ଆଜି ମଧ୍ୟ ବିଶେଷଜ୍ଞଙ୍କ ଏକ ଦଳ ନିୟମିତ ଭାବେ ଲେନିନଙ୍କ ଶରୀରର ଯତ୍ନ ନେଉଛନ୍ତି। ପ୍ରତି ୧୮ ମାସରେ ଥରେ ଶରୀରକୁ ବିଶେଷ ରାସାୟନିକ ଦ୍ରବଣରେ କିଛି ସପ୍ତାହ ପାଇଁ ରଖାଯାଏ। ଚର୍ମର ଆର୍ଦ୍ରତା ଓ ନମନୀୟତା ବଜାୟ ରଖିବା ପାଇଁ ନିୟମିତ ପ୍ରକ୍ରିୟା କରାଯାଏ।  ମ୍ୟୁଜିୟମରେ ତାପମାତ୍ରା ଓ ଆର୍ଦ୍ରତାକୁ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ସବୁବେଳେ ନିୟନ୍ତ୍ରଣ କରାଯାଏ। ସମୟକ୍ରମେ ଶରୀରର କିଛି ବାହ୍ୟ ଟିସୁର ବୈଜ୍ଞାନିକ ପୁନରୁଦ୍ଧାର ମଧ୍ୟ କରାଯାଇଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ବର୍ତ୍ତମାନ ଦେଖାଯାଉଥିବା ଶରୀରର ବଡ଼ ଅଂଶ ଅସଲି ହୋଇଥିବା ବେଳେ ମଧ୍ୟ କିଛି ବାହ୍ୟ ଟିସୁକୁ ବୈଜ୍ଞାନିକଙ୍କ ଦ୍ବାରା ପୁନରୁଦ୍ଧାର କରାଯାଇଛି।

ଦାହ ସଂସ୍କାରକୁ ନେଇ ବିବାଦ

୧୯୯୧ରେ ସୋଭିଏତ୍ ୟୁନିଅନ୍ ଭାଙ୍ଗିଯିବା ପରେ ରୁଷର ଅନେକ ରାଜନେତା ଓ ଧାର୍ମିକ ସଂଗଠନ ଲେନିନଙ୍କ ଅନ୍ତିମ ସଂସ୍କାର କରିବାକୁ ଦାବି କରିଥିଲେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଶାସନକାଳରେ ମଧ୍ୟ ଏହି ପ୍ରସଙ୍ଗ ଅନେକ ଥର ଉଠିଛି କିନ୍ତୁ ଏପର୍ଯ୍ୟନ୍ତ ସରକାର ଏହାକୁ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି ।

ଆଜି ବି ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ

ମସ୍କୋର ରେଡ୍ ସ୍କୋୟାର ସ୍ଥିତ ଲେନିନ୍ ମ୍ୟୁଜିୟମ୍ ରୁଷର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳ। ପ୍ରତିବର୍ଷ ସାରା ବିଶ୍ୱରୁ ହଜାର ହଜାର ପର୍ଯ୍ୟଟକ ଓ ଇତିହାସପ୍ରେମୀ ଏଠାକୁ ଆସି ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସଂରକ୍ଷିତ ରହିଥିବା ଲେନିନଙ୍କ ମୃତଦେହ ଦେଖିଥାନ୍ତି ଏବଂ ସଂରକ୍ଷଣ ଉପରେ ଗବେଷଣା କରନ୍ତି ।

ଅଧିକ ପଢନ୍ତୁ- Mirror Vastu: ଘରେ ଏହି ଦିଗକୁ ମୁହଁ କରି ଲଗାଇଛନ୍ତି କି ଦର୍ପଣ ? ଶୀଘ୍ର ହଟାଇ ଦିଅନ୍ତୁ, ନହେଲେ...