US Warned Iran: ‘ଯୁଦ୍ଧ ବାର୍ତ୍ତା ରୋକିବାକୁ ଇରାନ ନେତାଙ୍କୁ ମାରିବାକୁ ଚାହୁଁଛି ଇସ୍ରାଏଲ’ ଇରାନକୁ ଗୁପ୍ତ ଚେତାବନୀ ଦେଲା ଆମେରିକା
ନୂଆଦିଲ୍ଲୀ, ୩।୭: ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଇରାନକୁ ନେଇ ଚାଲିଥିବା ଭିତରି ବିବାଦକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ‘ଦ ନ୍ୟୁୟର୍କ ଟାଇମ୍ସ’ ଏବଂ ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ’ର ରିପୋର୍ଟ ଅନୁଯାୟୀ, ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ଅତି ସମ୍ବେଦନଶୀଳ ଯୁଦ୍ଧବିରତି ଆଲୋଚନାକୁ ବିଫଳ କରିବା ପାଇଁ ଇସ୍ରାଏଲ ଇରାନର ଶୀର୍ଷ ନେତାମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଥିଲା । ଏହି ବିପଦକୁ ଦେଖି ଆମେରିକା ନିଜେ ମଧ୍ୟ-ପ୍ରାଚ୍ୟର କିଛି ଦେଶ ମାଧ୍ୟମରେ ଇରାନକୁ ଏହି ଇସ୍ରାଏଲୀ ଷଡ଼ଯନ୍ତ୍ର ବିଷୟରେ ଆଗୁଆ ଆଲର୍ଟ କରିଥିଲା । ଏହି ଯୋଜନାର ମୁଖ୍ୟ ଟାର୍ଗେଟ୍ରେ ଥିଲେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଏବଂ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ୍, ଯେଉଁମାନେ ଆମେରିକା ସହ ଶାନ୍ତି ବାର୍ତ୍ତାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି ।
କାହିଁକି ନିଜର ପରମ ଶତ୍ରୁ ଦେଶର ନେତାଙ୍କୁ ବଞ୍ଚାଇଲା ଆମେରିକା ?
ରିପୋର୍ଟ ମୁତାବକ, ଯୁଦ୍ଧ ଆରମ୍ଭ ସମୟରେ ଆମେରିକା ଅଧିକାରୀମାନେ ମଧ୍ୟ ଭାବୁଥିଲେ ଯେ ଇରାନର ଏହି ନେତାମାନଙ୍କୁ ଟାର୍ଗେଟ୍ କରିବା ଇସ୍ରାଏଲର ବୈଧ ଅଧିକାର । କିନ୍ତୁ, ଏପ୍ରିଲରେ ଯେତେବେଳେ ଦୁଇ ଦେଶ ମଧ୍ୟରେ ଆନୁଷ୍ଠାନିକ ଶାନ୍ତି ଆଲୋଚନା ଆରମ୍ଭ ହେଲା, ସେତେବେଳେ ୱାଶିଂଟନର ଆଭିମୁଖ୍ୟ ବଦଳିଗଲା । ଆମେରିକା ପ୍ରଶାସନ ଆଶଙ୍କା କରୁଥିଲା ଯେ ଯଦି ଇସ୍ରାଏଲ ଆରାଘଚି କିମ୍ବା ଗାଲିବାଫ୍ଙ୍କ ମଧ୍ୟରୁ କାହାକୁ ବି ଆକ୍ରମଣ କରେ, ତେବେ ମାସ ମାସର ପରିଶ୍ରମ ପରେ ପ୍ରସ୍ତୁତ ହୋଇଥିବା ସିଜଫାୟାର୍ ଡିଲ୍ ସମ୍ପୂର୍ଣ୍ଣ ବର୍ବାଦ ହୋଇଯିବ ଏବଂ ଯୁଦ୍ଧ ପୁଣି ଥରେ ଭୟଙ୍କର ରୂପ ନେବ । ଆମେରିକାର ଚାପ ପରେ ହିଁ ମାର୍ଚ୍ଚ ମାସରେ ଏହି ଦୁଇ ନେତାଙ୍କ ନାମ ଇସ୍ରାଏଲର ‘ହିଟ୍ ଲିଷ୍ଟ’ରୁ ହଟାଯାଇଥିଲା ।