30 JUNE 2026

Welcome!

Unlock your personalized experience.
Sign Up

Trump-Modi: ସକାଳ ୬ଟା ବାଜିଥିଲା, ଟ୍ରମ୍ପ କହିଲେ ଚାଲ ମୋଦିଙ୍କୁ ଫୋନ୍ କରିବା ... ସର୍ଗିଓ ଗର୍ କହିଲେ ଦୁଇ ବିଶ୍ବ ନେତାଙ୍କ ବନ୍ଧୁତାର କାହାଣୀ

Jun 30, 2026 - 16:15
Trump-Modi: ସକାଳ ୬ଟା ବାଜିଥିଲା, ଟ୍ରମ୍ପ କହିଲେ ଚାଲ ମୋଦିଙ୍କୁ ଫୋନ୍ କରିବା ... ସର୍ଗିଓ ଗର୍ କହିଲେ ଦୁଇ ବିଶ୍ବ ନେତାଙ୍କ ବନ୍ଧୁତାର କାହାଣୀ

ନୂଆଦିଲ୍ଳୀ,୩୦।୬:  ଭାରତ ଏବଂ ଆମେରିକା ଭିତରେ କୌଣସି ବିବାଦ ନାହିଁ। ଇଣ୍ଡୋ-ପାସିଫିକ୍‌ କମାଣ୍ଡର ନାଁ ବଦଳାଇବାକୁ ନେଇ ବିବାଦକୁ ଖଣ୍ଡନ କରିଛନ୍ତି ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗର୍। ସେ କହିଛନ୍ତି, ‘ଲେଟରହେଡ୍‌ରେ ଲେଖା ଥିବା ନାଁ’ରୁ କିଛି ଫରକ ପଡେନି, ବଂର ଏହା ଦେଖିବା ଦରକାର ଯେ, ଆମେରିକା ପ୍ରକୃତରେ କ’ଣ କରୁଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ନେଇ ଏକ ସୁନ୍ଦର ଘଟଣା  ବିଷୟରେ କହିଛନ୍ତି। ସେ କହିଛନ୍ତି ଥରେ ସକାଳ ୬ଟାରେ ଟ୍ରମ୍ପ ପିଏମ୍ ମୋଦିଙ୍କ ସହ କଥା ହେବାକୁ ଅସ୍ଥିର ହୋଇପଡିଥିଲେ। ଏପରିକି ବିନା କୌଣସି ସିଡ୍ୟୁଲରେ ସେ ଫୋନ୍ କରିବାକୁ ଚାହୁଁଥି​‌ଲେ।

ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗର୍ କହିଛନ୍ତି, କିଛି ମାସ ପୂର୍ବେ, ମିଆମିରେ ଏକ UFC କାର୍ଯ୍ୟକ୍ରମରେ ମଞ୍ଚ ପଛପଟେ ଟ୍ରମ୍ପ୍ ହଠାତ୍ ଚିତ୍କାର କରି କହିଥିଲେ, ଚାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିବା।’ ସର୍ଗିଓ ଗର୍ କହିଛନ୍ତି,  ସେ ତାଙ୍କୁ ମନେ ପକାଇ ଦେଇଥିଲେ ଯେ ବର୍ତ୍ତମାନ ଭାରତରେ ସକାଳ ୬ ଟା ବାଜିଛି। ଟ୍ରମ୍ପ୍ ହସି ଉତ୍ତର ଦେଇଥିଲେ, ‘ସେ ନିଶ୍ଚୟ ଜାଗ୍ରତ ଥିବେ। ସେ ମୋ ପରି; ତାଙ୍କୁ ନିଦ ଆସେନି।’ ଯେହେତୁ ଟ୍ରମ୍ପଙ୍କୁ ମଞ୍ଚ ଉପରେ ଯିବାକୁ ପଡିଲା, ତେଣୁ ଦୁଇ ନେତାଙ୍କ ଆଲୋଚନା ପରଦିନ ପାଇଁ ସ୍ଥିର ହୋଇଥିଲା। ସର୍ଗିଓ ଗର୍‌ ଏହି ଘଟଣା ବର୍ଣ୍ଣନା କରି କହିଛନ୍ତି ଯେ, ଟ୍ରମ୍ପ୍ ମୋଦିଙ୍କୁ ନିଜର ଜଣେ ପ୍ରକୃତ ବନ୍ଧୁ ବୋଲି ଭାବନ୍ତି।

ଟ୍ରମ୍ପ-ମୋଦିଙ୍କ ଦୋସ୍ତି ପୁରା ଭିନ୍ନ

ଯେତେବେଳେ ଦୁଇ ଜଣ  ବନ୍ଧୁ ଥାଆନ୍ତି, ସେତେବେଳେ ସବୁ କଥା ପାଇଁ ସିଡ୍ୟୁଲ କରିବାର କିଛି ଆବଶ୍ୟକତା ନଥାଏ। ମୋଦିଙ୍କୁ ଟ୍ରମ୍ପ ନିଜର ଭଲ ବନ୍ଧୁ ଭାବରେ ଦେଖନ୍ତି। ଏଭଳି ସ୍ଥିତିରେ ସେ ଫୋନ୍ କରି ପଚାରି ପାରିଥାନ୍ତେ, କିପରି ଅଛ ? କାରଣ ଟ୍ରମ୍ପ ଭାରତକୁ ଖୁବ୍ ଗୁରୁତ୍ବ ଦିଅନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନ୍ୟ ବିଶ୍ବ ନେତାଙ୍କ ତୁଳନାରେ ଖୁବ୍ ଭଲ ପାଆନ୍ତି। କିଛି ନେତାଙ୍କ ସହ ଆମକୁ ପୂର୍ବରୁ ସିଡ୍ୟୁଲ କରିବାକୁ ପଡିଥାଏ,  କିନ୍ତୁ ମୋଦିଙ୍କ ସହ ଏଭଳି ହୁଏନି।

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରୁ ଏହି ବନ୍ଧୁତା ରହିଛି। ଦୁଇ ନେତା ଭଲ ଭାବରେ ପରସ୍ପର ସହିତ ମିଶିଛନ୍ତି, ଯାହା ଭାରତ-ଆମେରିକା ସମ୍ପର୍କକୁ ଆହୁରି ମଜବୁତ କରୁଛି। ସେ ଆହୁରି କହିଛନ୍ତି ଯେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ଶେଷ ପର୍ଯ୍ୟାୟରେ ଅଛି।   ପ୍ରଧାନମନ୍ତ୍ରୀ ମୋଦି ଡିସେମ୍ବର ୧୪-୧୫ ତାରିଖରେ ମିଆମିରେ ଅନୁଷ୍ଠିତ ହେବାକୁ ଥିବା G20 ଶିଖର ସମ୍ମିଳନୀ ପାଇଁ ଡିସେମ୍ବରରେ ଆମେରିକା ଗସ୍ତ କରିବେ। ରାଷ୍ଟ୍ରପତି ଟ୍ରମ୍ପ ଆସନ୍ତା ବର୍ଷ ମଧ୍ୟ ଭାରତ ଗସ୍ତ କରିପାରନ୍ତି। ରାଷ୍ଟ୍ରଦୂତ ମନେ ପକାଇଛନ୍ତି ଯେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିକଟ ଭବିଷ୍ୟତରେ ଭାରତ ଗସ୍ତ କରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି। ଆମେରିକା-ଭାରତ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ ଲିଡରସିପ୍ ସମିଟ୍ ୨୦୨୬ରେ ରେ ସେର୍ଗିଓ ଗର୍ ଟ୍ରମ୍ପ-ମୋଦିଙ୍କ  ବନ୍ଧୁତା ବିଷୟରେ କହିଛନ୍ତି।  ସେ କହିଛନ୍ତି ଭାରତ ଆଜି ବି କୌଣସି ଅନ୍ୟଦେଶ ତୁଳନାରେ ଆମେରିକା ସହ ଅଧିକ ସାମରିକ ଅଭ୍ୟାସ କରିଥାଏ। ପ୍ରତିରକ୍ଷା ଅଧିକାରୀଙ୍କ ଭିତରେ ନିୟମିତ ଦ୍ବପାକ୍ଷିକ ଗସ୍ତ ହୋଇଥାଏ।

ଆହୁରି ପଢନ୍ତୁ :Asaram case: ‘ଆମେ ଏବେ ଜାମିନ୍ ଦେଇପାରିବୁନି’,ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ଝଟକା