25 JULY 2026

Welcome!

Unlock your personalized experience.
Sign Up

Suna Besha: ଆଜି ରଥାରୂଢ଼ ଦାରୁବ୍ରହ୍ମଙ୍କ ଦୁର୍ଲଭ ସୁନାବେଶ, ଅପରାହ୍ନ ୫ଟାରେ ମହଣ ମହଣ ସୁନାରେ ବିଭୂଷିତ ହେବେ ମହାବାହୁ

Jul 25, 2026 - 08:00
Suna Besha: ଆଜି ରଥାରୂଢ଼ ଦାରୁବ୍ରହ୍ମଙ୍କ ଦୁର୍ଲଭ ସୁନାବେଶ, ଅପରାହ୍ନ ୫ଟାରେ ମହଣ ମହଣ ସୁନାରେ ବିଭୂଷିତ ହେବେ ମହାବାହୁ

ପୁରୀ,୨୫/୦୭: ଆଷାଢ ଶୁକ୍ଳ ଏକାଦଶୀରେ ରଥାରୂଢ ଶ୍ରୀବିଗ୍ରହଙ୍କ ସୁନାବେଶ । ମଧ୍ୟାହ୍ନ ଧୂପ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ । ଅପରାହ୍ଣ ୫ଟାରୁ ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବେ । ୫ଟାରେ ଶ୍ରୀବିଗ୍ରହଙ୍କ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ସୁଦ୍ଧା ସରିବ । ଦାରୁବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଦଇତାପତି ସେବକମାନେ ଯତ୍ନବାନ ହେବାକୁ ଏବଂ ଶ୍ରୀଜିଉଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଦର୍ଶନ ଅବରୋଧ ନ କରିବା ନେଇ ଧ୍ୟାନ ଦେବାକୁ କୁହାଯାଇଛି । ବେଶରେ ଥାଇ ଠାକୁରଙ୍କ ସନ୍ଧ୍ୟା ଧୂପ ହେବ । ରାତି ୯ଟା ୧୫ରେ ମହାଦୀପ ବନ୍ଦାପନା, ରାତ୍ର ୧୦ଟାରୁ ୧୧ଟା ମଧ୍ୟରେ ସୁନା ବେଶ ମଇଲମ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଦାରୁଦିଅଁଙ୍କ ସୁନାବେଶ

ଶ୍ରୀବିଗ୍ରହ ଶ୍ରୀଭୂଜ, ଶ୍ରୀପୟର, ରତ୍ନ ପଦକ, ରତ୍ନ କିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ବେଶରେ ଥାଇ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ବଢିବ । ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କୁ ବଡ଼ଦେଉଳ ପ୍ରବେଶ ମନା । ଏଣୁ ରଥ ଉପରେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରି ଜଗନ୍ନାଥ ପ୍ରେମୀ ଅସରନ୍ତି ଆନନ୍ଦ ପାଏ ।

ଅଧିକ ପଢ଼ନ୍ତୁ :-  Low Pressure Alert: ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ନେବ ଲଘୁଚାପ ରୂପ, ୩୦ ଯାଏ ବର୍ଷିବ, ଆଜି ଓ କାଲି ପୁରୀରେ ପ୍ରବଳ ବର୍ଷା ସମ୍ଭାବନା

ଶ୍ରୀବଳଭଦ୍ରଙ୍କୁ ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣି, କୁଣ୍ଡଳ, ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ(ଆୟୁଧ), ବାହାଡ଼ା ମାଳି, ବାଘନଖି ମାଳି, ସେବତି ମାଳି, ତ୍ରିଖଣ୍ଟିକା କମରପଟି ଲାଗି କରାଯିବ । ଦେବୀ ସୁଭଦ୍ରା କିରୀଟ, ଓଡ଼ିଆଣି, କାନ, ଚନ୍ଦ୍ର ସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ୨ଟି(ଆୟୁଧ), ସେବତି ମାଳି ଆଦି ଅଳଙ୍କାର ଲାଗି ହେବେ । ସେହିଭଳି ଶ୍ରୀଜଗନ୍ନାଥ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ(ଆୟୁଧ), ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତି ମାଳି, ତ୍ରିଖଣ୍ଡିକା ଓ କମରପଟି ଆଦି ରତ୍ନଅଳଙ୍କାର ଲାଗି ହୁଅନ୍ତି । ଏଥିସହ ଶ୍ରୀମନ୍ଦିର ରତ୍ନସିଂହାସନରେ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା(ବିଜୟ ଦଶମୀ)ରେ ମଧ୍ୟ ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୁଏ ।

୧୬ ହସ୍ତୀରେ ଆସିଥିଲା ବିପୁଳ ରତ୍ନ

ଇତିହାସ କୁହେ ତତ୍କାଳୀନ ଗଜପତି ମହାରାଜା କପିଳେନ୍ଦ୍ର ଦେବ ଜୟଦୁର୍ଗାଙ୍କ କୃପାରୁ ୧୪୬୦ ଖ୍ରୀଷ୍ଟାଦ୍ଦରେ ସମଗ୍ର ଦକ୍ଷିଣ ଜୟ କରି ୧୬ଗୋଟି ହସ୍ତୀରେ ବିପୁଳ ରତ୍ନ ଅଳଙ୍କାର ଆଣିଥିଲେ । ଠାକୁରଙ୍କୁ ଏ ସମସ୍ତ ଅଳଙ୍କାର ଗଜପତି ଉତ୍ସର୍ଗ କରିବା ସହିତ ଆଗ୍ରହ କରିଥିଲେ ଠାକୁରଙ୍କୁ ଏସବୁ ଲାଗି କରିବା ପାଇଁ । ପରେ ବଡ଼ ତଢ଼ାଉ ଶ୍ରୀଛାମୁ(ଗଜପତି) ଙ୍କୁ ରଥ ଉପରେ ସର୍ବ ସମ୍ମୁଖରେ ଠାକୁରଙ୍କ ସୁନାବେଶ କରିବା ପାଇଁ ଅନୁରୋଧ କରିଥିଲେ । ଏଣୁ ରଥ ଉପର ସୁନାବେଶକୁ ବଡ଼ ତଡ଼ାଉ ବେଶ ମଧ୍ୟ କୁହାଯାଏ ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।