Stock market : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ୍ରେ ଝଡ଼, ବଜାର ଖୋଲିବା ମାତ୍ରେ ଉଡ଼ିଗଲା ୩ ଲକ୍ଷ କୋଟି
ନୂଆଦିଲ୍ଲୀ, ୧୩/୦୭ : ମଧ୍ୟପ୍ରାଚ୍ୟ ଟେନସନ୍ ଯୋଗୁଁ ସୋମବାର ସେୟାର ମାର୍କେଟ୍ କ୍ରାସ୍। ବଜାର ଖୋଲିବା ମାତ୍ରେ ଉଡ଼ିଗଲା ୩ ଲକ୍ଷ କୋଟି। ଇରାନ ହୋର୍ମୁଜ୍ ଷ୍ଟ୍ରେଟ୍ ବନ୍ଦ କରିଥିବା ଦାବି କରିବା ପରେ ଅଶୋଧିତ ତୈଳ ଦର ୫ ପ୍ରତିଶତ ବୃଦ୍ଧି ପାଇଛି। କ୍ରୁଡ୍ ଅଏଲ୍ ଦର ବ୍ୟାରେଲ୍ ପିଛା ୭୯ ଡଲାର ଛୁଇଁଛି। ସେପଟେ ଟଙ୍କା ମଧ୍ୟ ଖସିଛି। ମୋଟାମୋଟି ଭାବେ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ଏଶୀୟ ବଜାର ପୁଣି ଥରେ ପ୍ରଭାବିତ ହୋଇଛି।
ସୋମବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୭୦୦ ପଏଣ୍ଟ ହ୍ରାସ ପାଇଥିଲା। ସେହିପରି ନିଫ୍ଟି ୨୧୦ ଅଙ୍କ ଖସିଥିଲା। ଫଳରେ ବଜାର ଖୋଲିବା ମାତ୍ରେ ନିବେଶକଙ୍କ ୩ ଲକ୍ଷ କୋଟି ଉଡ଼ିଯାଇଛି। ଟିସିଏସ୍, ଏଚସିଏଲ୍, ଏନଟିପିସି, ଏବଂ ପାୱାରଗ୍ରୀଡ ଭଳି କମ୍ପାନୀଙ୍କୁ ଛାଡ଼ି ବାକି ସେୟାରରେ ବଡ଼ ହ୍ରାସ ଘଟିଛି। ତେବେ ସେୟାର ବଜାର ହ୍ରାସ ହେବାର ପ୍ରମୁଖ କାରଣ ହେଉଛି ଅଶୋଧିତ ତୈଳ। ବ୍ରେଣ୍ଟ କ୍ରୁଡ୍ ଅଏଲ୍ ବ୍ୟାରେଲ୍ ପିଛା ୭୯ ଡଲାର ଛୁଇଁଛି। ଯାହାକି ଭାରତ ପାଇଁ ଚିନ୍ତାଜନକ ବିଷୟ। କାରଣ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଅଶୋଧିତ ତୈଳ ଆମଦାନୀକାରୀ ଦେଶ। ତୈଳ ଦର ବଢିବା ଦ୍ଵାରା ଦରଦାମ୍ ବୃଦ୍ଧି ହେବ। ଅର୍ଥନୈତିକ ଅଭିବୃଦ୍ଧି ଏବଂ କର୍ପୋରେଟ୍ ରୋଜଗାର ଉପରେ ଚାପ ପକାଇବ।
ସେୟାର ବଜାରରେ ହ୍ରାସ ଯୋଗୁଁ ନିବେଶକଙ୍କ ବଡ଼ କ୍ଷତି ହୋଇଛି। ଶୁକ୍ରବାର ବିଏସଇ ମାର୍କେଟ୍ କ୍ୟାପ୍ ପ୍ରାୟ ୪୮୨ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ସୋମବାର ଏହା ୪୭୯ ଲକ୍ଷ କୋଟିରେ ପହଞ୍ଚିଯାଇଛି। ଯାହାକି ନିବେଶକଙ୍କ ବଡ଼ କ୍ଷତି।
ଆହୁରି ପଢନ୍ତୁ- Recharge Plans: ମୋବାଇଲ୍ ୟୁଜର୍ସଙ୍କ ପାଇଁ ଖୁସି ଖବର; ଶସ୍ତା ହେବ ବିନା ଡାଟାଯୁକ୍ତ ରିଚାର୍ଜ, ୩୦୦ରୁ ସିଧା ୧୦୦ ହେବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।