Smart village : ୨୦୨୯ ସୁଦ୍ଧା ୬୭୩୩ ପଞ୍ଚାୟତର ମୁଖ୍ୟ ଗାଁ ହେବ ମଡେଲ, ପାର୍କ ଓ କମ୍ୟୁନିଟି ହଲ୍ ସାଙ୍ଗକୁ ରହିବ ଦକ୍ଷତା କେନ୍ଦ୍ର
ଭୁବନେଶ୍ୱର, : ସ୍ମାର୍ଟ ସିଟି ଢାଞ୍ଚାରେ ହେବ ମଡେଲ ଗାଁ । ପାର୍କ, କମ୍ୟୁନିଟି ହଲ୍, ଦକ୍ଷତା ବିକାଶ କେନ୍ଦ୍ର, ଉନ୍ନତ ପିଏଚ୍ସି ବା ସବ୍ସେଣ୍ଟର, ବ୍ୟାଙ୍କିଂ ସୁବିଧା, ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯିବ । ଗାଁରେ ଆମ୍ବୁଲାନ୍ସ ଯା’ଆସ ପାଇଁ ରାସ୍ତା ଚଉଡ଼ା ହେବ । କେବଳ ରାସ୍ତା ବା ଡ୍ରେନ୍ ନୁହେଁ, ଯେଉଁ ଭିତ୍ତିଭୂମି ଦରକାର ଥିବ ସବୁ କରାଯିବ । ସଫେଇ ଗାଡ଼ି ଘରକୁ ଘର ବୁଲି ଅଳିଆ ନେବ । ୬୭୩୩ ପଞ୍ଚାୟତର ମୁଖ୍ୟ ଗାଁକୁ ମଡେଲ କରିବାକୁ ସରକାର ଯୋଜନା ଚୂଡ଼ାନ୍ତ କରିଛନ୍ତି । ଏପରି ସୁନେଲି ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡିଛନ୍ତି । ଏଥିପାଇଁ ପାଣ୍ଠି ବ୍ୟବସ୍ଥା ପରେ ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପ୍ରକଳ୍ପ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି ।
ମଡେଲ ଗାଁ ଅଭିଯାନ ପାଇଁ ଗତ ମେ ୨୫ ତାରିଖରୁ ପ୍ରତି ପଞ୍ଚାୟତର ମୁଖ୍ୟ ଗାଁରେ ବେସଲାଇନ୍ ସର୍ଭେ ଚାଲିଥିଲା। ଅତିରିକ୍ତ ବିଡିଓଙ୍କ ନେତୃତ୍ୱରେ ୬ଜଣିଆ ଟିମ୍ ବ୍ଲକ୍ରେ ଥିବା ଗାଁ ବୁଲି ସର୍ଭେ କରୁଥିଲେ । କେଉଁ ସବୁ ଭିତ୍ତିଭୂମି ବା ସେବା ଲୋକଙ୍କ ପାଇଁ ପ୍ରଥମେ ଦରକାର ଓ ପ୍ରକୃତରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ତାର ତାଲିକା କରିଥିଲେ । ଏହି ତାଲିକାକୁ ନେଇ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ ହୋଇଛି। ପ୍ରତି ଗାଁର ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ଗାଁର ଆବଶ୍ୟକତା ଆଧାରରେ ଯୋଜନା ପ୍ରସ୍ତୁତ କରିବାକୁ ରାଜ୍ୟସ୍ତରରେ ଏକ ଟାସ୍କଫୋର୍ସ ଗଢ଼ାଯାଇଛି । ପଞ୍ଚାୟତିରାଜ ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଢ଼ାଯାଇଛି । ଏଥିରେ ସବୁ ବିଭାଗର ଅଧିକାରୀଙ୍କୁ ସଦସ୍ୟ ରଖାଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଡିଓ ଏବଂ ଇଓ) ଓ ଜିଲ୍ଲାସ୍ତରୀୟ ଅଧିକାରୀ ସଦସ୍ୟ ରହିଛନ୍ତି । ସବୁଠୁ ବଡ଼ କଥା, କେବଳ ଲୋକଦେଖାଣିଆ କାମ ନୁହେଁ, ସୋସିଆଲ ଅଡିଟ୍ ଆଧାରରେ କାମ କରିବାକୁ ଏହି ଅଭିଯାନରେ ନିଷ୍ପତ୍ତି ହୋଇଥିଲା । ସେଥିପାଇଁ ସର୍ଭେ ଚାଲିଥିଲା । ଗାଁରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ଲୋକଙ୍କୁ ପ୍ରଶିକ୍ଷଣ ଦିଆଯିବ । ସମସ୍ତେ ଯେଭଳି ଆତ୍ମନିର୍ଭରଶୀଳ ହେବେ ସେଥିପାଇଁ ପ୍ରଥମେ ଫୋକସ୍ ଦିଆଯିବ । ଡିଜିଟାଲ ସ୍କିଲିଂ ବ୍ୟବସ୍ଥା ବି ରହିବ ।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରତି ଗାଁରେ ଗ୍ରାମସଭା ଆୟୋଜନକୁ ବାଧ୍ୟତାମୂଳକ କରାଯିବ । ଏଇଠାରୁ ହିଁ ଗ୍ରାମର ବିକାଶ ପାଇଁ ଯୋଜନା(ଜିପିଡିପି) ପ୍ରସ୍ତୁତ ହେବ । ଏହାର ଡିଜିଟାଲ ରେକର୍ଡ ରହିବ । ବିପର୍ଯ୍ୟୟ ପ୍ରବଣ ଗାଁ ହୋଇଥିଲେ ଏଠାରେ ବାତ୍ୟା ଆଶ୍ରୟସ୍ଥଳୀ ଅଛି କି ନା, ସବୁଦିନିଆ ରାସ୍ତା ସୁବିଧା, ଆମ୍ବୁଲାନ୍ସ ଯିବା ଭଳି ରାସ୍ତା ଅଛି ନା ନାହିଁ, ଗାଁରେ ଲୋକଙ୍କୁ ପାଣି ଯୋଗାଣ, ଯୋଗାଣ ହେଉଥିବା ପାଣି ଟ୍ରିଟମେଣ୍ଟ ହେଉଛି କି ନା, ବିଦ୍ୟୁତ ତାର କେତେ ସୁରକ୍ଷିତ, ପ୍ରତି ଘରେ ଶୌଚାଳୟ ସୁବିଧା, ଗାଁକୁ ମଳତ୍ୟାଗ ମୁକ୍ତ କରାଯାଇନି କି ହୋଇନି, ପିଲାଙ୍କ ଖେଳିବା ପାଇଁ ଖେଳପଡ଼ିଆ ଓ ଖୋଲାସ୍ଥାନ, ଖେଳପଡ଼ିଆ ଥିଲେ ଏହାର ରକ୍ଷଣାବେକ୍ଷଣ, ଗାଁରେ ପାର୍କ ଓ କମ୍ୟୁନିଟି ହଲ୍ ଅଛି କି ନା, ଏହାର ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦିଆଯିବ । ଏସବୁକୁ ପ୍ରାଥମିକତା ଦେଇ କାମ ହେବ । ପୁଣି ଗାଁରେ ଘରକୁ ଘର ଅଳିଆ ଗାଡ଼ି ବୁଲିବା ବ୍ୟବସ୍ଥା, ସଂଗ୍ରହ ହେଉଥିବା ଅଳିଆକୁ ପୃଥକୀକରଣ କରି ବୈଜ୍ଞାନିକ ପଦ୍ଧତିରେ ପ୍ରକ୍ରିୟାକରଣ କରାଯିବ । ପ୍ରତି ଘରକୁ ଏଲପିଜି ସଂଯୋଗ, ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ଯୋଗାଇବା, ଗୃହପାଳିତ ପ୍ରାଣୀଙ୍କ ପାଇଁ ଲାଇଭଷ୍ଟକ ଏଡ୍ ସେଣ୍ଟର, ଅଧିକ ଦୁଗ୍ଧ ଚାଷୀ ଥିଲେ ଦୁଗ୍ଧ ସମବାୟ ସମିତି କରାଯିବ । ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ପିଏଚସି) ପ୍ରତିଷ୍ଠାକୁ ପ୍ରାଥମିକତା ଦିଆଯିବ । ଏହା ସମ୍ଭବ ନ ହେଲେ ସବ୍ସେଣ୍ଟର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିଶ୍ଚୟ ରହିବ । ଏଠାରେ ଟେଲିମେଡିସିନ୍ ସୁବିଧା ରହିବ ।
ଗାଁର ପ୍ରତି ଶିଶୁଙ୍କୁ ଟିକାକରଣ ହେଉଛି କି ନା, ତାର ଡିଜିଟାଲ ରେକର୍ଡ ରହିବ । ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ପ୍ରକୃତ ସୁବିଧା ମିଳୁଛି କି ନା, ତାର ଯାଞ୍ଚ ହେବ । ସ୍କୁଲକୁ କେତେ ପିଲା ଅଧାରୁ ପାଠ ପଢୁଛନ୍ତି, ତାଙ୍କୁ ଖୋଜି ସ୍କୁଲ ପଠାଯିବ । ସ୍କୁଲରେ ବିଦ୍ୟୁତ୍ ଓ ପାଣି ସୁବିଧା ଓ ପକ୍କା ଶ୍ରେଣୀ ଗୃହ ବ୍ୟବସ୍ଥା ହେବ । ଭିବି ଜି ରାମ୍ ଜିରେ ଲୋକଙ୍କୁ ଶ୍ରମ ସୁବିଧା ଯୋଗାଇବାକୁ ମଧ୍ୟ ଧ୍ୟାନ ଦିଆଯିବ । ଗାଁରେ ଥିବା ଜଳାଶୟ ବା ପୋଖରୀର ପୁନରୁଦ୍ଧାର କରି ଏଠାରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । ସବୁ ଗାଁରେ ନିଶ୍ଚିତ ବ୍ୟାଙ୍କିଙ୍ଗ ସୁବିଧା ରହିବ । ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଅପପୁଷ୍ଟି ପିଲାଙ୍କୁ ଚିହ୍ନଟ କରି ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ।
ଆହୁରି ପଢନ୍ତୁ- Weather Forecast: ଆସୁଛି ଆଉ ଏକ ଲଘୁଚାପ, ୧୨ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ପାନ ପାଇଁ ବନ୍ଧା ରହିଥିଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ!, କିଏ ବାକିରେ କାଳିଆକୁ ଦେଉଥିଲା ବିଡିଆ ପାନ ?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।