Salman Khan's Maatrubhumi : ‘ମାତୃଭୂମି’ର ମଞ୍ଜୁରି ପ୍ରମାଣପତ୍ର ଉପରେ ରୋକ୍, ଅଗଷ୍ଟରେ ରିଲିଜ୍ ହେବନି ଫିଲ୍ମ
ନୂଆଦିଲ୍ଲୀ ୦୪/୦୭: ‘ମାତୃଭୂମି’ର ମଞ୍ଜୁରି ପ୍ରମାଣପତ୍ର ଉପରେ ରୋକ୍ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି) ଏହା ସ୍ପଷ୍ଟ କରିଛି । ସଲମାନ ଖାନ୍ଙ୍କ ଅଭିନୀତ ଏହି ଫିଲ୍ମ ୨୦୨୦ରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଗଲୱାନ ଘାଟିରେ ହୋଇଥିବା ସାମରିକ ସଂଘର୍ଷ ଉପରେ ପର୍ଯ୍ୟବସିତ । ପୂର୍ବରୁ ଫିଲ୍ମର ଟାଇଟଲ ଥିଲା ‘ବ୍ୟାଟଲ ଅଫ୍ ଗଲୱାନ’ । ଗତ ଏପ୍ରିଲ ୧୭ରେ ଇଦ ଅବସରରେ ଫିଲ୍ମ ରିଲିଜ୍ ଲାଗି ଯୋଜନା ହୋଇଥିଲା । କିନ୍ତୁ ପରେ ତାରିଖ ଘୁଞ୍ଚାଇ ଅଗଷ୍ଟ କରାଗଲା । ଏବେ ସେନ୍ସର ବୋର୍ଡର ଏହି ନିଷ୍ପତ୍ତି ପରେ ଅଗଷ୍ଟରେ ଫିଲ୍ମ ରିଲିଜ୍କୁ ନେଇ ଆଶଙ୍କା ଦେଖାଦେଇଛି । ସ୍ୱାଧୀନତା ଦିବସ ଅବସରରେ ଫିଲ୍ମ ରିଲିଜ୍ କରିବାକୁ ନିର୍ମାତା ଆଶା ବାନ୍ଧିଥିଲେ । କିନ୍ତୁ ନୂଆ ମଞ୍ଜୁରି ପ୍ରମାଣପତ୍ର ନ ମିଳିବାରୁ ଏହା ସମ୍ଭବ ମନେହେଉନି ।
ସଲମାନ ଖାନ୍ ଫିଲ୍ମସ ବ୍ୟାନର୍ ଅଧୀନରେ ନିର୍ମାଣ ହୋଇଛି ‘ମାତୃଭୂମି’ । ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ଲଖିୟା । ମ୍ୟୁଜିକ୍ ଦେଇଛନ୍ତି ହିମେଶ ରେଶମିୟା । ସଲ୍ଲୁଙ୍କ ସହ ନାୟିକା ଭୂମିକାରେ ଅଛନ୍ତି ଚିତ୍ରାଙ୍ଗଦା ସିଂହ । ଗତ ବର୍ଷ ଡିସେମ୍ବର ୨୭ ସଲ୍ଲୁଙ୍କ ଜନ୍ମଦିନ ଅବସରରେ ଫିଲ୍ମର ଟିଜର୍ ଆସିଥିଲା । ଏହା ପରେ ଫିଲ୍ମର ଟାଇଟଲକୁ ନେଇ ଚୀନ୍ର ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ୱିବୋରେ ଖୁବ୍ ବିରୋଧ କରାଯାଇଥିଲା । ଚୀନ୍ର ୟୁଜର ନିର୍ମାତାଙ୍କ ବିରୋଧରେ ଗଲୱାନ ଘାଟି ଘଟଣାକୁ ଭୁଲ ଢଙ୍ଗରେ ପ୍ରଦର୍ଶନ କରିଥିବା ଅଭିଯୋଗ କରିଥିଲେ । ବିବାଦ ପରେ ନିର୍ମାତା ଫିଲ୍ମର ନାଁ ‘ବ୍ୟାଟଲ ଅଫ୍ ଗଲୱାନ’କୁ ବଦଳାଇ ‘ମାତୃଭୂମି’ କଲେ । ଏଥିସହ ଫିଲ୍ମର ପଟ୍ଟକଥା ଓ ଦୃଶ୍ୟରେ ମଧ୍ୟ କିଛି ପରିବର୍ତ୍ତନ କରାଗଲା । ଫିଲ୍ମରେ ସଲମାନ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ଭୂମିକା ନିର୍ବାହ କରିଛନ୍ତି । କର୍ଣ୍ଣେଲ ସନ୍ତୋଷ ବାବୁ ଗଲୱାନ ଘାଟିରେ ଚୀନ୍ ସୈନ୍ୟଙ୍କ ସହ ସଂଘଟିତ ସଂଘର୍ଷ ସମୟରେ ଭାରତୀୟ ସୈନ୍ୟ ଗ୍ରୁପ୍ର ନେତୃତ୍ୱ ନେଇଥିଲେ । ଏଥିରେ ସେ ସହିଦ ହୋଇଥିଲେ ।
ଆହୁରି ପଢ଼ନ୍ତୁ...‘ଜନ ନାୟକ’ଲିକ୍ ମାମଲାରେ ବଡ଼ ଖୁଲାସା, ୧.୨କୋଟି ଲୋକ ଦେଖିଛନ୍ତି ଥଲାପତି ବିଜୟଙ୍କ ଫିଲ୍ମ