18 JULY 2026

Welcome!

Unlock your personalized experience.
Sign Up

Ratha yatra 2026: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମ, ରବିବାରଠୁ ମିଳିବ ଆଡ଼ପ ଦର୍ଶନ, ଅବଢ଼ା

Jul 18, 2026 - 08:16
Ratha yatra 2026: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମ, ରବିବାରଠୁ ମିଳିବ ଆଡ଼ପ ଦର୍ଶନ, ଅବଢ଼ା

ପୁରୀ,୧୮/୦୭: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ରଥରୂଢ଼ ଦାରୁବ୍ରହ୍ମମାନେ । ରବିବାର ମିଳିବ ଆଡ଼ପ  ଅବଢ଼ା । ମଧ୍ୟାହ୍ନ ଧୂପ ପରେ ଅର୍ଥାତ୍‌ ଅପରାହ୍ନ ପ୍ରାୟ ୪ଟା ପରେ ମହାପ୍ରଭୁ  ଶ୍ରୀଜଗନ୍ନାଥ, ଶ୍ରୀବଡ଼ଠାକୁର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କ ଆଡ଼ପ ବିଜେ କରିବାକୁ ପ୍ରଶାସନିକ ପ୍ରସ୍ତୁତି ହୋଇଛି । ମହାପ୍ରଭୁମାନେ ଆଡ଼ପ ବିଜେ କରିବା  ପରେ ସେମାନଙ୍କ ଶ୍ରୀଅଙ୍ଗ ସୁରକ୍ଷା ଗୁପ୍ତ ନୀତି ସାଙ୍ଗକୁ ବାକି ସନ୍ଧ୍ୟା ନୀତି କରାଯିବ । 

ଶୁକ୍ରବାର ସକାଳେ ରଥ ଟଣା ପୂର୍ବରୁ ରଥରେ  ମଙ୍ଗଳ ଆଳତି ୭ଟା ୨୦ରୁ ୮ଟା ମଧ୍ୟରେ ହୋଇଥିଲା । ମଇଲମ ୭ଟା ୩୫ରୁ ୮ଟା ୫ ମଧ୍ୟରେ, ତଡ଼ପଲାଗି  ୭ଟା ୪୫ରୁ ୮ଟା ୫୫ ମଧ୍ୟରେ, ଅବକାଶ ପୂଜା  ୮ଟାରୁ ୯ଟା ୨୫ ମଧ୍ୟରେ ଓ ପରେ ଶ୍ରୀବିଗ୍ରହଙ୍କ  ବେଶ ବଢ଼ି ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ଠାକୁରଙ୍କ ତାଳଧ୍ୱଜ ରଥକୁ ମାର୍କେଟ ଛକ  ନିକଟରୁ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ  ରଥକୁ ମରିଚିକୋଟ ଛକରୁ ଓ ଶେଷରେ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ସିଂହଦ୍ୱାର ଆଗରୁ ଟଣା  ହୋଇଥିଲା। ବାଟରେ ଯିବା ବେଳେ ଭକ୍ତ ନିବେଦିତ  ନୈବେଦ୍ୟ ଖାଇଥିଲେ ମହାପ୍ରଭୁ । କିଏ ହାତରେ  ନଡ଼ିଆ ଧରି ମହାପ୍ରଭୁଙ୍କୁ ଟେକି ଦେଇଥିଲା, ତ  କିଏ କଦଳୀ, ସେଓ, ଅଙ୍ଗୁର, ପଣସ ପ୍ରଭୃତି  ଟେକି ଦେଇଥିଲେ । ବଡ଼ଦାଣ୍ଡରେ ନଡ଼ିଆ ବାଡ଼େଇ  ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନିକଟରେ ନିଜର ଭକ୍ତି  ନୈବେଦ୍ୟ ମଧ୍ୟ ସମର୍ପଣ କରିଥିଲେ । ସକାଳ  ସାଢ଼େ ୯ଟାରୁ ରଥ ଟଣା କରିବାକୁ ପ୍ରଶାସନ  ଯୋଜନା କରିଥିଲେ ହେଁ ନନ୍ଦିଘୋଷ ଟଣା ଯିବା  ବେଳକୁ ପ୍ରାୟ ସାଢ଼େ ୧୦ଟା ହୋଇଥିଲା । ପ୍ରାୟ  ୫ ଘଣ୍ଟା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୩ ରଥ ପହଞ୍ଚିଥିଲା ।  

ତିନି ରଥ ଗୁଣ୍ଡିଚା ଘର ସମ୍ମୁଖରେ ପହଞ୍ଚିଲା  ପରେ ଅନ୍ୟାନ୍ୟ ରଥରେ ଅନ୍ୟାନ୍ୟ ନୀତି ହୋଇଥିଲା ।  ଗୁଣ୍ଡିଚାଘର ସିଂହଦ୍ୱାରେ ତିନି ରଥ ପହଞ୍ଚିବା  ପରେ ସେଠାରେ ଲାଗିଛି ଭିଡ଼ । ଭକ୍ତମାନେ ଦୂରରେ ରହି ଠାକୁରଙ୍କ  ଦର୍ଶନ କରିଥିଲେ । ସଂକୀର୍ତ୍ତନ  ମଣ୍ଡଳୀମାନଙ୍କର ଭଜନ ଧ୍ୱନିରେ  ଫାଟି ପଡୁଛି ଶରଧାବାଲି । ସୁରକ୍ଷାଦୃଷ୍ଟିରୁ ପୁଲିସ କର୍ମୀମାନେ ରଥ ଚାରିପଟେ କର୍ଡନ କରିଥିଲେ ।  ଲକ୍ଷାଧିକ ଭକ୍ତ ତଳେ ଥାଇ ଠାକୁରଙ୍କ  ଦର୍ଶନ କରିଥିଲେ । ଦୂରଦୂରାନ୍ତରୁ  ଆସିଥିବା ହଜାର ହଜାର ଦର୍ଶନାର୍ଥୀ  ବଡ଼ଦାଣ୍ଡରେ ଶୋଇ ରହିଥିଲେ । ଶନିବାର ସନ୍ଧ୍ୟାରେ ଶ୍ରୀଜିଉମାନେ ଆଡ଼ପ ମଣ୍ଡପ ରତ୍ନସିଂହାସନକୁ ବିଜେ  କରିବେ । ଫଳରେ ରବିବାରଠାରୁ  ଶ୍ରୀଜିଉମାନଙ୍କ ଆଡ଼ପ ମଣ୍ଡପ ଦର୍ଶନ ଓ  ଆଡ଼ପ ଅବଢ଼ା ମିଳିବ । 

ଅଧିକ ପଢ଼ନ୍ତୁ :- Rain Alert: ଆଜି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ, ୬ ଜିଲ୍ଲାକୁ ଆଲର୍ଟ ଜାରି, ୨୪ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା

ଅଡ଼ପମଣ୍ଡପରେ ବିଜେ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ  ସେବନ, ଦାନ, ଉପାସନା ଅନ୍ୟ ଦିନ ଅପେକ୍ଷା କୋଟିଗୁଣରେ ଅଧିକ ଫଳପ୍ରଦ ।  ତେଣୁ ଭକ୍ତମାନେ ମହାପ୍ରଭୁଙ୍କୁ ଜନ୍ମବେଦିରେ ଦର୍ଶନ କରିବା ନିମନ୍ତେ ଅତୁର  ହୋଇ ଅପେକ୍ଷା କରିଥାଆନ୍ତି । ଏହି ଅପେକ୍ଷା ରବିବାର ପୂରଣ ହେବାକୁ ଯାଉଛି ।  ଯାହାକୁ ନେଇ ଭକ୍ତମାନେ ଭାବ ବିହ୍ୱଳ ହୋଇ ଉଠିଛନ୍ତି । ନବଯୌବନ ପୂର୍ବ ଦିନ  ଠାରୁ ମହାପ୍ରଭୁଙ୍କ ପହୁଡ଼ ହୋଇନି । ଜ୍ୱରରୁ ଉଠିଥିବା ମହାପ୍ରଭୁ ୫ ଦିନ ହେବ  ଅନିଦ୍ରା ରହିଛନ୍ତି । ଶନିବାର ରାତିରେ ଯଦି ପହୁଡ଼ ନହୁଏ ମହାପ୍ରଭୁଙ୍କ ଅନିଦ୍ରା  ରହିବା ୬ ଦିନରେ ପହଞ୍ଚିବ । ଜନ୍ମମାଟିକୁ ବିଜେ କରିବା ପରେ ମହାପ୍ରଭୁଙ୍କ ପହୁଡ଼  ନୀତି ସମ୍ପାଦିତ ହେବ ବୋଲି କୁହାଯାଉଛି । ତେଣୁ ପ୍ରଶାସନ ଓ ସେବାୟତଙ୍କ  ନୀତି ପରିଚାଳନାରେ ସମନ୍ୱୟ ସବୁଠାରୁ ଗୁରୁତ୍ୱ ରଖୁଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।