05 JULY 2026

Welcome!

Unlock your personalized experience.
Sign Up

Rath khala Update: ପ୍ରଭାରେ ରଙ୍ଗ ଦେବାରେ ବ୍ୟସ୍ତ ଚିତ୍ରକର ସେବକ, ରାହୁମୁଣ୍ଡ ଓ ମଗରମୁଣ୍ଡ ମୂର୍ତ୍ତି ଖୋଦେଇ ବେଶ୍ ମନଲୋଭା

Jul 05, 2026 - 14:49
Rath khala Update: ପ୍ରଭାରେ ରଙ୍ଗ ଦେବାରେ ବ୍ୟସ୍ତ ଚିତ୍ରକର ସେବକ, ରାହୁମୁଣ୍ଡ ଓ ମଗରମୁଣ୍ଡ ମୂର୍ତ୍ତି ଖୋଦେଇ ବେଶ୍ ମନଲୋଭା

ପୁରୀ ୦୫/୦୭: ରଥ ଚକାବେଦିରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରିବେ । ବେଦି ପଛପଟେ ରହିବ ପ୍ରଭା । ବିଶ୍ୱକର୍ମାମାନେ ପ୍ରଭା ଫ୍ରେମ୍ ତିଆରିବା ପରେ ରୂପକାରମାନେ ସେଥିରେ ରାହୁମୁଣ୍ଡ ଓ ଉଭୟପାର୍ଶ୍ବରେ ମଗରମୁଣ୍ଡ କଲେ । ତିନି ଦିଅଁଙ୍କ ବିଭିନ୍ନ ରୂପ ନିର୍ମାଣ ସହ ପ୍ରଭାରେ ସଖୀ ଓ ଡାଳିଲତା ମୂର୍ତ୍ତି ଖୋଦେଇ ବେଶ୍ ମନଲୋଭା ହୋଇଛି । ଚଳିତ ବର୍ଷ ଅଧିକ ମାସେ ମିଳିଥିବାରୁ ମୂର୍ତ୍ତିସବୁ ବେଶ୍ କାରୁକାର୍ଯ୍ୟପୂର୍ଣ୍ଣ ହୋଇଥିବା କୁହନ୍ତି ଅଭିଜ୍ଞ ରୂପକାର ସେବକ ପଞ୍ଚାନନ ମହାପାତ୍ର । ଚିତ୍ରକର ସେବକମାନେ ପ୍ରଭାରେ ରଙ୍ଗ ଦେଉଛନ୍ତି । ରଥ ଚାରିପାର୍ଶ୍ବରେ ଲାଗିଥିବା ଦୁଆରଘଡ଼ାକୁ ମଜଭୁତ କରି ଧରି ରଖିଛି ଧ୍ୱଜବତା ।

ଅଧିକ ପଢ଼ନ୍ତୁ :-  Rath Yatra: ରଥଯାତ୍ରାରେ ଖାଦ୍ୟ ବଣ୍ଟନ ନିଷ୍ପତ୍ତି ବଦଳାଇଲା ପ୍ରଶାସନ, ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଦିଆଯିବ

ନିର୍ମାଣକାରୀମାନେ ରଥରେ ଧ୍ୱଜବତା ଲଗାଇଛନ୍ତି । ଧ୍ୱଜବତାରେ ରଥର ଆଜ୍ଞାମାଳ ଲାଗି କରାଯିବ କୁହନ୍ତି ନିର୍ମାଣକାରୀ । କମାର ସେବକମାନେ ଓଲଟ ଶୁଆ ଫିଟିଂ ପାଇଁ ନାରାଜ କଣ୍ଟା ୧୨ ଓ କଳସ ଫିଟିଂ ପାଇଁ ବାଗିଆ କଣ୍ଟା ୩୬ଟି ତିଆରି ସାରି ପ୍ରଭା ବିଡ଼ିଆ କଣ୍ଟା ତିଆରୁଛନ୍ତି । ଚିତ୍ରକରମାନେ ପ୍ରଭାରେ ରଙ୍ଗ ଦେବା ସହ ରଥର ବିଭିନ୍ନ ଅଂଶକୁ ରଙ୍ଗଦେଇ ସୌନ୍ଦର୍ଯ୍ୟପୂର୍ଣ୍ଣ କରୁଛନ୍ତି । ପାଶ୍ୱର୍ଦେବଦେବୀଙ୍କ ରଙ୍ଗ ଜାରି ରହିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ରଥ କନାମଣ୍ଡଣି କାର୍ଯ୍ୟ ଆଗେଇ ଚାଲିଛି । ଆଜି ଲଗାଣ ବର୍ଷା ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ନିର୍ମାଣକାରୀମାନେ ବାରବାର କାମ ବନ୍ଦ କରି ବର୍ଷାର ଗତି ଧିମା ହେବାକୁ ଅପେକ୍ଷା କରି ସେହି ଅଳ୍ପ ବର୍ଷାରେ କାର୍ଯ୍ୟ ଜାରି ରଖିଥିବା ଦେଖିବାକୁ ମିଳିଥିଲା ।