Rath Khala Update: ନନ୍ଦିଘୋଷ ରଥରେ ଲାଗିଲା ଋଷି ପଟା, ସିଂହାସନ ପଟା ବାଡ଼ିଆ କାର୍ଯ୍ୟ ଶେଷ
ପୁରୀ,୦୨/୦୭: ନନ୍ଦିଘୋଷ ରଥରେ ଋଷି ପଟା ଲଗାଯାଇଛି । ନନ୍ଦିଘୋଷ ରଥର ଚାରିପାର୍ଶ୍ବରେ ଦୁଇ ଜଣ କରି ୮ଜଣ ଋଷି ସ୍ଥାନ ପାଇବେ । ଦାରୁବ୍ରହ୍ମଙ୍କ ତିନି ରଥରେ ଅବସ୍ଥାନ କରନ୍ତି ୨୪ ଋଷି । ଚିତ୍ରକର ସେବକ ଚିତ୍ତରଞ୍ଜନ ମହାପାତ୍ର କୁହନ୍ତି ରଥର ଋଷିମାନେ ଠାକୁରଙ୍କ ଅତି ପ୍ରିୟ । ଏଣୁ ଋଷିମାନଙ୍କୁ ରଥର ଉପରିଭାଗରେ ସ୍ଥାପନ କରାଯାଉଛି । ଏଥିସହ ରଥ ଚାଳିରେ ପ୍ରଭା କାର୍ଯ୍ୟ ରୂପକାରମାନେ ସାରି ଚିତ୍ରକରଙ୍କୁ ରଙ୍ଗ ପାଇଁ ହସ୍ତାନ୍ତର କରିଛନ୍ତି ।
ଅଧିକ ପଢ଼ନ୍ତୁ :- Odisha Police SI Exam: ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ ପରୀକ୍ଷା, ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ
ନନ୍ଦିଘୋଷ ରଥର ବିଶ୍ୱକର୍ମା ଭଗବାନ ମହାରଣା କୁହନ୍ତି ରଥରେ ସିଂହାସନ ପଟା ବାଡ଼ିଆ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଜଗତପୃଷ୍ଠ ଶେଣୀ ଉପରେ ତିଆରି ହୋଇଛି ସିଂହାସନ । ନାହାକାରୁ ଆସିଛି ସିଂହାସନର ମାପ । ନନ୍ଦିଘୋଷ ରଥରେ ଗୋଟିଏ ଧୂଳିଦଣ୍ଡା ଲାଗିଥିବା ସ୍ଥଳେ ଅନ୍ୟଟି ଲାଗିବା ଅପେକ୍ଷାରେ । ତାଳଧ୍ୱଜ ଓ ଦେବୀ ରଥର ଧୂଳିଦଣ୍ଡା ଲାଗି ସାରିଛି । ଚାଳିରେ ଶାଳ ମାଲ ପ୍ରସ୍ତୁତ ହେଉଛି । ତିନୋଟି ଚାଳିରେ ଦୁଇଟି ଲେଖାଏଁ ମୋଟ ଛଅଟି ଶାଳ ଗଡ଼ କାଟି ମାଲ ପ୍ରସ୍ତୁତ କରାଯାଉଛି । ଗୁଣ୍ଡିଚା ଘରେ ପହଣ୍ଡି ସମୟରେ ଏହି ମାଲ ଠାକୁରଙ୍କ ବିଜେରେ ଲାଗିବ । ଚାରମାଳ ତଳେ ରହିବ ମାଲ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପଛ ପାଶ୍ୱ ର୍ ଟେଣ୍ଟରେ ଚିତ୍ରକର ସେବକମାନେ ପାଶ୍ୱ ର୍ଦେବଦେବୀଙ୍କ ସହ ଅନ୍ୟ ସମସ୍ତ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି । ଭୋଇ ସେବକ, ରୂପକାର, ଓଝା ସେବକ, କରତି ସେବକ ନିଜ ନିଜ ରଥ କାର୍ଯ୍ୟ କରୁଛନ୍ତି ।