Ram Mandir Theft : ରାମ ମନ୍ଦିରରୁ ୫ କୋଟିର ସୁନାଖଚିତ ରାମଚରିତ ମାନସ ଗାଏବ, ଅଭିଯୋଗ କଲେ ପୂର୍ବତନ ଆଇଏଏସ୍
ଅଯୋଧ୍ୟା ୦୫/୦୭: ଅଯୋଧ୍ୟା ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାକୁ ନେଇ ନୂଆ ନୂଆ ଖୁଲାସା ହେବାରେ ଲାଗିଛି । ସଦ୍ୟ ଘଟଣାରେ ପୂର୍ବତନ କେନ୍ଦ୍ର ଗୃହ ସଚିବ ଏସ୍ ଲକ୍ଷ୍ମୀନାରାୟଣନ ସଙ୍ଗିନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ମନ୍ଦିରରୁ ସୁନାଖଚିତ ରାମଚରିତ ମାନସକୁ ବି ଚୋରାଇ ନିଆଯାଇଛି । ଏହାର ମୂଲ୍ୟ ୫ କୋଟି ଟଙ୍କା ହେବ । ଲକ୍ଷ୍ମୀନାରାୟଣନ କହିଛନ୍ତି ଯେ ସେ ୨୦୨୪ ଏପ୍ରିଲ ୮ରେ ରାମ ମନ୍ଦିର ଟ୍ରଷ୍ଟକୁ ୧୫୧ କିଲୋ ଓଜନର ରାମଚରିତ ମାନସ ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ରସିଦ ତାଙ୍କୁ ଦିଆଯାଇ ନାହିଁ । ୩-୪ ମାସ ପରେ ଏହା ମନ୍ଦିରରୁ ଗାଏବ ହୋଇଯାଇଥିଲା । ରାମଚରିତ ମାନସର ୧୦୦୦ ପୃଷ୍ଠାରେ ୨୪ କ୍ୟାରେଟ ସୁନା ଆସ୍ତରଣ ଚଢ଼ାଯାଇଥିଲା ।
ଗଣମାଧ୍ୟମ ସହ କଥା ହୋଇ ଏହି ପୂର୍ବତନ ଆଇଏଏସ୍ ଅଧିକାରୀ କହିଛନ୍ତି, ମୁଁ ଅଯୋଧ୍ୟା ପହଞ୍ଚିବା ପରେ ଚମ୍ପତ ରାୟ ମୋତେ ୯ ଘଣ୍ଟା ଅପେକ୍ଷା କରାଇଥିଲେ । ମୁଁ ତାଙ୍କୁ ହାତ ଯୋଡ଼ି କହିଥିଲି, ଏହା ମୋ ଜୀବନର ପୁଞ୍ଜି । ରାମଚରିତ ମାନସକୁ ମନ୍ଦିରରେ ରଖାଯାଉ । ଏହାପରେ ଚମ୍ପତ ରାୟ କହିଥିଲେ ତାଙ୍କ ପାଖକୁ ଅନେକ ଲୋକ ସୁନା ଅଳଙ୍କାର ଏବଂ ବିଭିନ୍ନ ପ୍ରକାର ସାମଗ୍ରୀ ପଠାଉଛନ୍ତି । ସେ ସବୁକୁ ମନ୍ଦିରରେ ପ୍ରଦର୍ଶନ କରାଯାଇ ପାରିବ ନାହିଁ ।
ଏପଟେ ରାମ ମନ୍ଦିର ଟ୍ରଷ୍ଟ ଜୁଲାଇ ୬ରେ ହେବାକୁ ଥିବା ବୈଠକର ଏଜେଣ୍ଡା ଶନିବାର ଜାରି କରିଛି । ଏଥିରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ । ଏହାଛଡ଼ା ଏସ୍ଆଇଟିର ପ୍ରାରମ୍ଭିକ ରିପୋର୍ଟ ଏବଂ ମନ୍ଦିର ପରିଚାଳନା ସହ ଜଡ଼ିତ ବ୍ୟବସ୍ଥା ଉପରେ ବି ଚର୍ଚ୍ଚା ହେବ । ଅନ୍ୟପକ୍ଷରେ ଚମ୍ପତ ରାୟଙ୍କ ଇସ୍ତଫାକୁ ନେଇ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି, ଏତେ ବଡ଼ ଭଗବାନଙ୍କ ଦରବାରରୁ ଚୋରି କରି ଇସ୍ତଫା ଦେଇଦେଲେ ଛୁଟି ମିଳିଯିବ ନାହିଁ । ସରକାର ଯଦି ଏମାନଙ୍କୁ ଜେଲ ନ ପଠାନ୍ତି ତେବେ ଜନତା ଏମାନଙ୍କୁ ପିଟିବେ ।
ମନ୍ଦିରରୁ ଚୋରି ଯାଇଥିବା ସୁନା ଅଳଙ୍କାରଗୁଡ଼ିକୁ ସୁନା ବିସ୍କୁଟରେ ପରିଣତ କରାଯିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି । ଏସ୍ଆଇଟି ଏହାର ତଦନ୍ତ କରୁଛି । ଅଧିକାରୀଙ୍କ ସନ୍ଦେହ ଯେ ଅଭିଯୁକ୍ତମାନେ ଧରାପଡ଼ିବା ଭୟରେ ଚୋରି ସୁନା ଅଳଙ୍କାରକୁ ବିସ୍କୁଟରେ ବଦଳାଇଛନ୍ତି । ଏହି ସନ୍ଦେହ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି । କାରଣ ଅଭିଯୁକ୍ତଙ୍କ ଘର ଉପରେ ଚଢ଼ଉ କରାଯିବା ବେଳେ କୌଣସି ଚୋରି ଅଳଙ୍କାର ମିଳିନାହିଁ ।
ଆହୁରି ପଢ଼ନ୍ତୁ...Ram Mandir : ରାମ ମନ୍ଦିରରୁ ଦାନ ଚୋରି ପରେ ବଦଳିଲା ନିୟମ, ଗଣନା କର୍ମଚାରୀଙ୍କୁ ଡବଲ ଚେକିଂ, ନୂଆ ଡ୍ରେସ୍ କୋଡ୍ ଲାଗୁ...
ଏସ୍ଆଇଟି ଅଧିକାରୀମାନେ ଶନିବାର ରାମ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏହାପରେ ମନ୍ଦିର ଦାୟିତ୍ୱରେ ଥିବା କେ ଡି ବାବୁଙ୍କୁ ଅଳଙ୍କାର ଓ ଅନ୍ୟ ମୂଲ୍ୟବାନ ଦାନ ସାମଗ୍ରୀଗୁଡ଼ିକର ଭଣ୍ଡାର, ରକ୍ଷଣାବେକ୍ଷଣ ବାବଦରେ ଜେରା କରିଥିଲେ । ସେମାନେ ଏ ସବୁର ରେକର୍ଡ ମାଗିଛନ୍ତି । ରାମ ମନ୍ଦିରରୁ ଚୋରି ଅଭିଯୋଗ ହେବା ଦିନରୁ ପଞ୍ଜିକୃତ ବ୍ୟାଙ୍କଗୁଡ଼ିକରେ ଦାନ ଅର୍ଥ ଜମା ପରିମାଣ ବଢ଼ିଥିବା ଦେଖିବାକୁ ମିଳିଛି । ସୂତ୍ର ମୁତାବକ, ବ୍ୟାଙ୍କରେ ହାରାହାରି ଦୈନିକ ଜମା ଅର୍ଥ ୧୬ରୁ ୧୮ ଲକ୍ଷ ଟଙ୍କା ରହୁଥିଲା । କିନ୍ତୁ ଚୋରି ଅଭିଯୋଗ ହେବା ଦିନରୁ ଏହି ରାଶି ୨୪ରୁ ୨୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । ତେଣୁ ଦାନ ଅର୍ଥ ଚୋରି କରାଯାଉଥିବା ନେଇ ଏଥିରୁ ସଙ୍କେତ ମିଳିଛି । ଉଲ୍ଲେଖଯୋଗ୍ୟ, ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ନେଇ ଜୁନ ୭ରେ ଅଭିଯୋଗ ହୋଇଥିଲା । ଏହାପରେ ୟୁପି ସରକାର ଏସ୍ଆଇଟି ଗଠନ କରିଥିଲେ । ପ୍ରାଥମିକ ତଦନ୍ତ ପରେ ଏଫ୍ଆଇଆର୍ ହୋଇଥିଲା । ଅଦ୍ୟାବଧି ୮ ଜଣଙ୍କୁ ଗିରଫ କରାଯାଇଛି ।