Pakistan Earthquake: ଭେନେଜୁଏଲାରେ ପରେ ଏବେ ପାକିସ୍ତାନରେ ଭୂକମ୍ପ ଝଟକା, ଶକ୍ତିଶାଳୀ ଭୂକମ୍ପରେ ଥରିଲା ଡେରା ଗାଜି ଖାନ !
ଇସଲାମାବାଦ, ୨୭।୬: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଆସିଥିବା ବିନାଶକାରୀ ଭୂକମ୍ପକୁ ଦୁଇ ଦିନ ନ ପୁରୁଣୁ, ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି । ଶନିବାର ସକାଳେ ପାକିସ୍ତାନର ପଞ୍ଜାବ ପ୍ରାନ୍ତ ଅନ୍ତର୍ଗତ ଡେରା ଗାଜି ଖାନ ଅଞ୍ଚଳରେ ୫.୪ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ତେବେ ଆଶ୍ୱାସନାର ବିଷୟ ଏହା ଯେ, ବର୍ତ୍ତମାନ ସୁଦ୍ଧା କୌଣସି ଧନଜୀବନ ହାନିର ଖବର ହସ୍ତଗତ ହୋଇନାହିଁ । ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସମୟ ସକାଳ ପ୍ରାୟ ୮:୫୩ ମିନିଟ୍ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୫.୪ ରେକର୍ଡ କରାଯାଇଛି ।
ଭୂକମ୍ପର କେନ୍ଦ୍ରବିନ୍ଦୁ ଡେରା ଗାଜି ଖାନ ନିକଟରେ ଭୂପୃଷ୍ଠରୁ ପ୍ରାୟ ୭୫ କିଲୋମିଟର ଗଭୀରତାରେ ରହିଥିଲା । ଭୂକମ୍ପ ଯୋଗୁଁ ଆତଙ୍କିତ ହୋଇ ଲୋକମାନେ ନିଜ ନିଜ ଘର ଏବଂ ବହୁତଳ ପ୍ରାସାଦରୁ ବାହାରକୁ ଚାଲିଆସିଥିଲେ । ପାକିସ୍ତାନରେ ଭୂମି କମ୍ପିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ବେଲୁଚିସ୍ତାନର ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୌଗୋଳିକ ଦୃଷ୍ଟିକୋଣରୁ ପାକିସ୍ତାନ ଏକ ସେସମିକ୍ ଜୋନ୍ ବା ଭୂକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ଏଠାରେ ସମୟ ସମୟରେ ଭୂକମ୍ପ ହୋଇଥାଏ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସଦାସର୍ବଦା ସତର୍କ ଓ ସଜାଗ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ଏହା ବି ପଢ଼ନ୍ତୁ... Massive Asteroid: ପୃଥିବୀ ଆଡ଼କୁ ମାଡ଼ି ଆସୁଛି 'ଏଫିଲ୍ ଟାୱାର୍'ଠାରୁ ବଡ଼ ଜାଏଣ୍ଟ ଉଲ୍କାପିଣ୍ଡ ! ଆଜି ଆକାଶରେ ଦେଖାଯିବ ବିରଳ ଦୃଶ୍ୟ
ଦକ୍ଷିଣ ଆମେରିକାର ପ୍ରମୁଖ ଦେଶ ଭେନେଜୁଏଲା ଏବେ ମହାବିପତ୍ତିର ସାମ୍ନା କରୁଛି । ଠିକ୍ ଏହି ସମୟରେ ପାକିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଗତ ବୁଧବାର ଭେନେଜୁଏଲାରେ ୭.୨ ଏବଂ ୭.୫ ତୀବ୍ରତାର ଦୁଇ ଦୁଇଟି ପ୍ରଳୟଙ୍କରୀ ଯୋଡ଼ା ଭୂକମ୍ପ ଆସିଥିଲା, ଯାହା ଗତ ୧୨୫ ବର୍ଷ ମଧ୍ୟରେ ସେଠାକାର ସବୁଠାରୁ ଭୟଙ୍କର ଭୂକମ୍ପ ବୋଲି କୁହାଯାଉଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ସମେତ ଅନେକ ସହରରେ ଶତାଧିକ କୋଠାବାଡ଼ି ଓ ଆପାର୍ଟମେଣ୍ଟ ତାସ୍ ଘର ଭଳି ଭୁଶୁଡ଼ିପଡ଼ିଛି । ସରକାରୀ ସୂତ୍ର ଅନୁଯାୟୀ ଏପର୍ଯ୍ୟନ୍ତ, ଅନେକ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଭେନେଜୁଏଲାର ପ୍ରଭାବିତ ସହରଗୁଡ଼ିକରେ ଏବେ ମଧ୍ୟ ଭଙ୍ଗା ସ୍ତୂପ ଏବଂ ମଲବାରୁ ଜୀବନ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ତର୍ଜାତୀୟ ସାହାଯ୍ୟ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ମଧ୍ୟ ରିଲିଫ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି । ଭୂକମ୍ପ ଯୋଗୁଁ ଅନେକ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବାରୁ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ କରିବା ପାଇଁ ସମୟ ଲାଗିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି ।